ପୁରୀ (ଦ କୁଇଭର): ବଡ଼ ଦେଉଳର କ୍ଷତ ଆଉ ସରକାରୀ ତହବିଲର କ୍ଷତିକୁ ଭରଣା କରିବ କିଏ? ବିବାଦୀୟ ଐତିହ୍ୟ କରିଡର ପ୍ରକଳ୍ପ ନିର୍ମାଣ ଦ୍ୱାରା ବଡ଼ ଦେଉଳର କି କ୍ଷତି ହୋଇଛି? କେତେ ପରିମାଣରେ ଚାପ ବଡ଼ ଦେଉଳର ଢ଼ାଞ୍ଚା ଉପରେ ପଡ଼ିଛି । ଯଦି ଏହାର ପ୍ରଭାବ ପଡ଼ିଥିବ, ତେବେ ଏହାର ଭରଣା କିପରି ହେବ । ଏବେ ଏହି ପ୍ରକଳ୍ପ ସ୍ଥାନାନ୍ତର ହେବ । ଯେଉଁ ବେଆଇନ ପ୍ରକଳ୍ପ ହେଲା ଓ ଏବେ ଉଠାଯିବ, ସେହି ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ କିଏ ଦେବ? ସରକାରୀ ତହବିଲ ବା ଜନତାଙ୍କ ଅର୍ଥ କାହା ପାଖରୁ ଭରଣା କରାଯିବ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସଚେତନ ଜନତା । ହେଲେ ଉତ୍ତର ଦେବ କିଏ?

ଅନେକ ସଚେତନ ନାଗରିକଙ୍କର ମତ ଆମ ପାଖରେ ପହଞ୍ଚିଛି । ସେମାନେ ଶ୍ରୀମନ୍ଦିର ଐତିହ୍ୟ କରିଡର ନାମରେ ହେଉଥିବା ପ୍ରହସନକୁ ନେଇ ପ୍ରଶ୍ନ କରିଛନ୍ତି । ଆମେ ସେମାନଙ୍କ ପ୍ରଶ୍ନରୁ କିଛି ଏଠାରେ ରଖୁଛୁ । ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଯୋଜନା କରାଯିବା ବେଳେ ରାଜ୍ୟ ସରକାର ଐତିହ୍ୟ ସଂରକ୍ଷଣ ଆଇନକୁ ତର୍ଜମା କରିନଥିଲେ କି? ନା ରାଜ୍ୟରେ ବିରୋଧୀଙ୍କୁ ନିଜ ଆୟତ୍ତରେ ରଖିଥିବା ସଂଖ୍ୟା ଗରିଷ୍ଠ ସରକାର ଆଇନକୁ ଭାଙ୍ଗି କାମ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ପ୍ରକଳ୍ପ ପଛରେ ଅନେକ ଅଭିଜ୍ଞ ଆଇଏଏସ, ଆଇପିଏସ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟଟାଣ୍ଟ, କିତ୍ତୀରାଜି ବିଶେଷଜ୍ଞମାନଙ୍କର ମତ, ମନ୍ତବ୍ୟ ରହିଛି । ଏମାନେ ଐତିହ୍ୟର ସୁରକ୍ଷା ଆଇନକୁ ଦଳି ମକଚି ଦେଲେ କିପରି? ପ୍ରଥମରୁ ଆଇନ ଭାଙ୍ଗି ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା । ଲକ୍ଷ୍ୟ ଥିଲା ଜୋର ଜବରଦସ୍ତ କାମ କରିଦେବେ । ମାତ୍ର ରୋକ ଲାଗିଗଲା । ସରକାରଙ୍କ ବେଆଇନ ଧରାପଡ଼ିଗଲା । ଏବେ ନିଷିଦ୍ଧାଞ୍ଚଳର ନିର୍ମାଣ ଅବୈଧ ବୋଲି ସ୍ପଷ୍ଟ ହୋଇଯାଇଛି ।

ଯୁଦ୍ଧକାଳୀନ ଭିତତ୍ତିରେ ହୋଇଥିବା ଏହି ଅବୈଧ କାର୍ଯ୍ୟ ବେଳେ ବହୁ ଯନ୍ତ୍ରପାତି ବ୍ୟବହାର ହୋଇଛି । ପୂରା ବଡ଼ ଦେଉଳକୁ ଥରାଇ ଦେବା ଭଳି କାର୍ଯ୍ୟ ହୋଇଛି । ଏହି ଅବୈଧ କାର୍ଯ୍ୟର ପ୍ରଭାବ ବଡ଼ ଦେଉଳ ଉପରେ କେତେ ପଡ଼ିଛି? ତାହାର ସ୍ୱତନ୍ତ୍ର ସର୍ବେକ୍ଷଣ କାହିଁକି କରାଯାଉନାହିଁ? ଯଦି ବଡ଼ଦେଉଳର କିଛି କ୍ଷତ ହୋଇଥିବ, ତେବେ ତାହା ପାଇଁ କାହାକୁ ଦାୟୀ କରାଯିବ?

କେବଳ ସେତିକି ନୁହେଁ, ଏହି ପ୍ରକଳ୍ପ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଏବେ ଏହି ପ୍ରକଳ୍ପ ସ୍ଥାନାନ୍ତର ହେବ । ନିଷିଦ୍ଧାଞ୍ଚଳ ପରେ ନିର୍ମାଣ ହେବ । ନିଷିଦ୍ଧାଞ୍ଚଳରେ ହୋଇଥିବା ଅବୈଧ ପ୍ରକଳ୍ପ ବାବଦରେ ହୋଇଥିବା ଖର୍ଚ୍ଚ ବରବାଦ ହେବ । ଅର୍ଥାତ ଜନତାଙ୍କ ଅର୍ଥ କ୍ଷତି ହେଲ । କିଛି ଅପରିଣାମର୍ଶୀ ଯନ୍ତ୍ରୀ ଓ ପରାମର୍ଶଦାତାଙ୍କ ପାଇଁ ଜନତାଙ୍କର କ୍ଷତି ହୋଇଥିବା କୋଟି କୋଟି ଟଙ୍କା ଭରଣା କରିବ କିଏ? ଏମିତି ଅନେକ ପ୍ରଶ୍ନ ଏବେ ସଚେତନ ନାଗରିକଙ୍କ ମନରେ ରହିଛି । ହେଲେ ଉତ୍ତର ଦେବାକୁ କେହି ନାହିଁ ।

Leave a Reply

Your email address will not be published. Required fields are marked *