ଭୁବନେଶ୍ୱର(ଦ କୁଇଭର): କାହିଁକି ଅଦଳବଦଳ ହେଲାନି ମନ୍ତ୍ରୀମଣ୍ଡଳ? ମନ୍ତ୍ରୀମଣ୍ଡଳ ଅଦଳବଦଳ ନ ହେବା ପଛର କାରଣ କ’ଣ? ଡରିଗଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? କୁହାଯାଉଥିଲା ନବୀନ ଦିଲ୍ଲୀରୁ ଫେରିଲେ ମନ୍ତ୍ରୀମଣ୍ଡଳ ସଜାଡିବେ । ନୂଆ ଟିମ୍ ଗଢିବେ । କିନ୍ତୁ ଏପର୍ଯ୍ୟନ୍ତ ତାର କିଛି ସୁରାକ୍ ବି ମିଳିଲାନି । ମନ୍ତ୍ରୀମଣ୍ଡଳ ଅଦଳବଦଳ ନ ହେବା ପଛରେ କାରଣ କ’ଣ? ଏକଥା ଏବେ ସବୁଠି ଚର୍ଚ୍ଚା ।
କିଛି ଦିନ ତଳେ ନବୀନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ତାହା ହଠାତ୍ ଥମିଗଲା । କୁହାଯାଉଛି ଆଗକୁ ବ୍ରଜରାଜନଗର ଉପନିର୍ବାଚନ ଥିବାରୁ ଏହାକୁ ସ୍ଥଗିତ ରଖିଛନ୍ତି ନବୀନ । କାରଣ ଉପନିର୍ବାଚନ ପୂର୍ବରୁ କାହାକୁ ବିଦା କଲେ, କାଳେ ସେ ଅସନ୍ତୁଷ୍ଟ ହେବେ, ଆଉ ହଇରାଣ କରିବେ । ଏମିତିରେ ବି ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା କମ୍ ନୁହେଁ । ଆହୁରି ଅସନ୍ତୁଷ୍ଟଙ୍କୁ ବଢାଇବା ପାଇଁ ଚାହୁଁନାହାନ୍ତି ନବୀନ । ସେଥିପାଇଁ ଅଦଳବଦଳ କରାଯାଉନଥିବା ବିଜେଡି ଶିବିରରେ ଚର୍ଚ୍ଚା ହେଲାଣି ।

ଦେଖିବାକୁ ଗଲେ ପ୍ରତିପାଳିରେ ବଦଳିଥାଏ ନବୀନଙ୍କ ମନ୍ତ୍ରୀମଣ୍ଡଳ । ୨ରୁ୩ ବର୍ଷ ମଧ୍ୟରେ ଏହା କରିଥାନ୍ତି ନବୀନ । ସବୁ ଦାଗୀ, ଦୁର୍ନୀତିଗ୍ରସ୍ତଙ୍କୁ ଫିଙ୍ଗିଦିଅନ୍ତି । ତାଙ୍କ ଛବି ସ୍ୱଚ୍ଛ ରଖନ୍ତି । ପ୍ରତିଥର କ୍ଷମତାକୁ ଆସିବା ସହ ବଦନାମ ହେଉଛି ବିଜେଡି । ଅସନ୍ତୁଷ୍ଟ ବଢୁଛନ୍ତି । ହୁଗୁଳିବାରେ ଲାଗିଛି ସଙ୍ଗଠନର ସ୍ତମ୍ଭ । ବହୁ ପୁରୁଖା, ଅଣଦେଖା ଯୋଗୁଁ ବିକଳ୍ପ ଖୋଜୁଛନ୍ତି । ଜଣେ ଖସିଲେ ସବୁ ଖସିଯିବେ । ଏକଥା ବୁଝିଛନ୍ତି ନବୀନ । ସଙ୍ଗଠନ ଏବେ ତାସ ଘର ଭଳି ପାଲଟିଛି । ଗୋଟିଏ ଖସିଲେ ସବୁ ଖସିଯିବେ । ତେଣୁ ଡରାଇ ଧମକାଇ ସମସ୍ତଙ୍କୁ ରଖାଯାଇଛି । ଯଦି ମନ୍ତ୍ରୀମଣ୍ଡଳ ଅଦଳବଦଳ କରି କୌଣସି ନେତା ଓ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଦଳ ଭୁଷୁଡିଯିବାର ସମ୍ଭାବନା ବହୁତ ରହିଛି ।

ଏହାସହ ଆଗକୁ ଆସୁଛି ବ୍ରଜରାଜନଗର ଉପ-ନିର୍ବାଚନ । ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଥିବା ବେଳେ କାଳେ କେଉଁ ନେତା ଓ ମନ୍ତ୍ରୀ ଅସନ୍ତୁଷ୍ଟ ହୋଇଯିବେ, ସେଥିପାଇଁ ନବୀନ ଚୁପ୍ ଥିବା ଚର୍ଚ୍ଚା ହେଉଛି । କାରଣ ବିଜେଡି ପାଇଁ ସବୁବେଳେ ବଡ଼ କଣ୍ଟା ପାଲଟିଥାଏ ଅସନ୍ତୁଷ୍ଟ କର୍ମୀ ଓ ନେତା । ପଞ୍ଚାୟତ, ପୌର ଓ ମେୟର ନିର୍ବାଚନରେ ଏହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଯଦି ମନ୍ତ୍ରୀମଣ୍ଡଳ ଅଦଳବଦଳ କରି କାହାକୁ ବିଦା କରନ୍ତି, ତେଣୁ ସେ କାଳେ ଦଳ ପାଇଁ କ୍ଷତି ପହଞ୍ଚାଇବ ଓ ବ୍ରଜରାଜନଗର ଆସନ ହାତରୁ ଖସିଯିବ, ସେଥିପାଇଁ ସବୁ ଚୁପ୍ ଥିବା କୁହାଯାଉଛି । ଉପନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ବୋଲି ଅନେକ କହୁଛନ୍ତି । ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରି କିଭଳି ଦଳ ଭିତରେ ସନ୍ତୁଳନ ରଖାଯିବ ସେନେଇ ଚାଲିଛି ପ୍ରସ୍ତୁତି । ନହେଲେ ତାସ ଘର ଭଳି ବିଜେଡି ଭୁଷୁଡିଯିବ।

Leave a Reply

Your email address will not be published. Required fields are marked *