ନାଟୋରେ ସାମିଲ ହେବେ ଫିନଲାଣ୍ଡ୍ ଓ ସ୍ୱିଡେନ୍

(ଦ କୁଇଭର ବ୍ୟୁରୋ): ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଏକ ବଡ ଝଟ୍କା । ଗୋଟିଏ ପଟେ ଯୁଦ୍ଧ ଜାରି ରହିଥିବା ବେଳେ ନାଟୋରେ ସାମିଲ ହେବ ଫିନଲାଣ୍ଡ ଏବଂ ସ୍ୱିଡେନ । ଏ ନେଇ ପ୍ରଥମେ ଫିନଲାଣ୍ଡ୍ ଓ ପରେ ସ୍ୱିଡେନ୍ ଏହି ଘୋଷଣା କରିଛି । କେବଳ ଏତିକି ନୁହେଁ, ଉଭୟଙ୍କ ସଦସ୍ୟତାକୁ ବିରୋଧ କରୁଥିବା ତୁର୍କୀ ବି ଏବେ ସହମତି ପ୍ରକାଶ କରିଛି ।

ଫିନଲାଣ୍ଡ୍ ଓ ସ୍ୱିଡେନ୍ ନାଟୋରେ ମିଶିଲେ ଋଷର ଚିନ୍ତା ବଢିପାରେ ।କାରଣ ପଡୋଶୀ ଦେଶ ନାଟୋରେ ସାମିଲ ହେବାକୁ ଋଷ ବିରୋଧ କରୁଛି । ଋଷର କହିବାନୁସାରେ, ନାଟୋରେ ସାମିଲ ହେଲେ ଆମେରିକା ପଡୋଶୀ ଦେଶର ସୀମା ଯାଏଁ ଆସିଯିବ । ଏହି ଡରରେ ପୁଟିନ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଯୁଦ୍ଧ ବନ୍ଦ କରିବା ସର୍ତ୍ତ ମଧ୍ୟ ୟୁକ୍ରେନ ନାଟୋରେ ସାମିଲ ନହେବା ରହିଛି । ୟୁକ୍ରେନ ଉପରେ ଚାଲିଥିବା ଋଷର ଆକ୍ରମଣ ମଧ୍ୟରେ ଫିନଲାଣ୍ଡ ସରକାର ରବିବାର ଦିନ ନାଟୋର ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କିଛି ଘଣ୍ଟା ପରେ ସ୍ୱିଡେନର ଶାସକ ଦଳ ମଧ୍ୟ ନାଟୋ ସଦସ୍ୟତା ପାଇଁ ଏକ ଯୋଜନାକୁ ସମର୍ଥନ କରିଥିଲେ।

ଫିନଲାଣ୍ଡ ମିଡିଆ ଅନୁସାରେ, ଚଳିତ ସପ୍ତାହରେ ନାଟୋରେ ସାମିଲ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ସ୍ୱିଡେନରେ ମଧ୍ୟ ସରକାରୀ ଦଳ ନାଟୋରେ ସାମିଲ ସପକ୍ଷରେ ରହିଛି । ତେବେ ପୂର୍ବରୁ ସ୍ୱିଡେନ୍ ଏହାକୁ ବିରୋଧ କରିଥିଲା । ଏବେ ୟୁକ୍ରେନର ଘଟଣା ପରେ ଦେଶର ନେତାମାନେ ନାଟୋରେ ସାମିଲ ନେଇ ଦାବି କରିଥିଲେ । ଏନେଇ ଋଷିଆ ମଧ୍ୟ ପ୍ରତିକ୍ରିୟା ରଖି କହିଛି ଏହା ମସ୍ତବଡ ଭୁଲ । ଏହାକୁ ନେଇ ଋଷ କୌଣସି ଉପାୟ ଶୀଘ୍ର ଚିନ୍ତା କରିବ । ଋଷର ଉପ ବିଦେଶମନ୍ତ୍ରୀ ସର୍ଗେଇ ରାୟାବକୋବ ସାମ୍ବାଦିକଙ୍କୁ କହିଛନ୍ତି ଏହା ଏକ ଗମ୍ଭୀର ଭୁଲ, ଏହାର ପରିଣାମ ଭବିଷ୍ୟତରେ ଭୋଗିବାକୁ ପଡିବ ।

Leave a Reply

Your email address will not be published. Required fields are marked *