Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଲୋପ ପାଇଯିବ କି ହିଟଲରି ଶାସନ ?

(ଦ କୁଇଭର ବ୍ୟୁରୋ): ବିଶ୍ୱର ଅନେକ ଦେଶରେ ସୃଷ୍ଟି ହେଲାଣି ନେତୃତ୍ୱ ସଙ୍କଟ । ଚୀନ, ଋଷ, ଉତ୍ତର କୋରିଆ, ବ୍ରିଟେନ, ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାର ସ୍ଥିତିରୁ ଏହା ସ୍ପଷ୍ଟ ଜଣାପଡୁଛି । ସବୁଠି ଦେଖାଦେଇଛି ନେତୃତ୍ୱ ସଙ୍କଟ । ଭାରତରେ ଯଦିଓ ନେତୃତ୍ୱ ସ୍ଥିର ରହିଛି କିନ୍ତୁ ଭାରତର ଆର୍ଥିକ ଓ ସାମାଜିକ ସ୍ଥିତି ସବୁବେଳେ ପରିବର୍ତ୍ତନର ହୁଙ୍କାର ମାରୁଛି । ହେଲେ ଆଗକୁ ସ୍ଥିତି କ’ଣ ହେବ କିଛି ଜଣାପଡୁନି ।

ଅନ୍ୟପଟେ ପ୍ରଶ୍ନ ଉଠିଲାଣି, ବଦଳିବ କି ବିଶ୍ୱ ନେତୃତ୍ୱ? ଲୋପ ପାଇଯିବ କି ହିଟଲରି ଶାସନ? ଗୋଟିଏ ପଟେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିବା ବେଳେ ଅନ୍ୟପଟେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେପଟେ ଉତ୍ତର କୋରିଆର ସୁପ୍ରିମ ଲିଡର କୁହାଯାଉଥିବା କିମ୍ ଜଙ୍ଗ ଉନ୍ କେତେବେଳେ ଗାୟବ ହେଇଯିବା, କେତେବେଳେ ତାଙ୍କ ମୃତ୍ୟୁ ଖବର ତ ଆଉ କେତେବେଳେ ସେ ଅସୁସ୍ଥ ରହିବା ଭଳି ଖବର ସାମ୍ନାକୁ ଆସିଥାଏ । କିମ୍ ଙ୍କ ଅନେକ ଅଜବ ନିୟମ ଏବଂ ମାନବାଧିକାର ଉଲ୍ଲଙ୍ଘନ ସହ ଆଣବିକ କାର୍ଯ୍ୟକ୍ରମ ଯୋଗୁଁ ଉତ୍ତର କୋରିଆ ଉପରେ ବହୁ ଆର୍ନ୍ତଜାତୀୟ କଟକଣା ଲାଗିଛି । ଏକ ଘରକିଆ ହୋଇ ରହିଛି ଉତ୍ତରକୋରିଆ । ଶ୍ରୀଲଙ୍କାରେ ମଧ୍ୟ ଦେଖାଦେଇଛି ନେତୃତ୍ୱ ସଂଙ୍କଟ ।

ଅନ୍ୟପଟେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟ ଅସୁସ୍ଥ ଥିବା ଖବର ଆସୁଛି । ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି ଜିନପିଙ୍ଗ । କିଛି ବର୍ଷ ହେବ ଜିନପିଙ୍ଗ ଅସୁସ୍ଥ ଅଛନ୍ତି । ତେଣୁ ସେ ଆଉ ରାଷ୍ଟ୍ରପତି ପଦରେ ରହିନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜିକାଲି ଚାଇନାର ସୋସିଆଲ ମିଡିଆରେ ରାଷ୍ଟ୍ରପତି ସି-ଜିନପିଙ୍ଗ ପଦବୀ ଛାଡ଼ିବାର ଗୁଜବ ଜୋର ଧରିଛି । ସୋସିଆଲ ମିଡିଆରେ ବ୍ୟାପିଥିବା ଏହି ଗୁଜବ ଗୁଡିକରେ ଦାବି କରାଯାଇଛି ଯେ, ଅସୁସ୍ଥତା, କରୋନା ଭୁଲ ପରିଚାଳନା ଏବଂ ଅର୍ଥନୈତିକ ମନ୍ଥରତା ହେତୁ ଚୀନ୍ ରାଷ୍ଟ୍ରପତି ତାଙ୍କ ପଦ ଛାଡିପାରନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେବ ଜିନପିଙ୍ଗ ସେରିବ୍ରାଲ ଏନ୍ୟୁରିଜିମ୍ ରୋଗରେ ଆକ୍ରାନ୍ତ । ସେରିବ୍ରାଲ ଏନ୍ୟୁରିଜିମ୍ ହେଉଛି ଏକ ମସ୍ତିଷ୍କ ରୋଗ । ଏହାସହ ଚୀନରେ ଜିରୋ କୋଭିଡ ମୁକାବିଲା ଏବଂ ଅର୍ଥନୀତି ପରିଚାଳନା ପାଇଁ ଚୀନବାସୀ ଅସନ୍ତୁଷ୍ଟ ରହିଥିବା ସୂଚନା ମିଳିଛି । ଉଭୟ କାରଣରୁ ଜିନପିଙ୍ଗ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଚୀନରେ ଏବେ ପୁଣିଥରେ କରୋନା ବ୍ୟାପିଛି । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ କରୋନା ମୁକାବିଲା ପାଇଁ ଜିନପିଙ୍ଗ୍ ଜିରୋ କୋଭିଡ ନୀତି ଆପଣାଇଥିଲେ । ହେଲେ ଏହି ନୀତି କରୋନା ସଂକ୍ରମଣଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଏଥିପାଇଁ ତାଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହୋଇଥିଲେ । ତେବେ ଜିନପିଙ୍ଗ ଯଦି ଇସ୍ତଫା ଦେବେ ତାହେଲେ ତାଙ୍କ ସ୍ଥାନରେ ଲି କେକିଆଙ୍ଗ ଆଗାମୀ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଜିନପିଙ୍ଗଙ୍କ ଅସୁସ୍ଥତା ବିଷୟରେ ନିରନ୍ତର ରିପୋର୍ଟ ରହିଛି। ସି ଜିନପିଙ୍ଗ କୋଭିଡ ଆସିବା ପରେ ବିଦେଶୀ ନେତାଙ୍କୁ ଭେଟିବା ବନ୍ଦ କରିଦେଲେ । ସେ କେବଳ ଶୀତକାଳୀନ ଅଲିମ୍ପିକ୍ସ ସମୟରେ ଜଣେ ବିଦେଶୀ ନେତାଙ୍କୁ ଭେଟିଛନ୍ତି।

ଅନ୍ୟପଟେ ଜେନେରାଲ୍ ଏସ୍ଭିଆର୍ର ରିପୋର୍ଟ ଅନୁସାରେ ଦୀର୍ଘ ୧୮ ମାସ ହେଲାଣି ପୁଟିନଙ୍କର ଅବଡୋମିନାଲ କ୍ୟାନ୍ସର ଓ ପାର୍କିନସନ ରୋଗ ହୋଇଛି। ସେ ତାଙ୍କର ସର୍ଜରୀ ବିଳମ୍ବରେ କରିଛନ୍ତି। ଏବେ ସେ ଆଉ ଏକ ସର୍ଜରୀ କରିବେ। ପୂର୍ବରୁ ଏପ୍ରିଲ ସପ୍ତାହରେ ସର୍ଜରୀ ହେବାର ଥିଲା। କିନ୍ତୁ ଯୁଦ୍ଧ ପରିସ୍ଥିତି ଯୋଗୁ ଏହା ବିଳମ୍ବ ହୋଇଛି। ଅନ୍ୟପଟେ ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲିି ୟୁକ୍ରେନର ଜେନେରାଲ ଅଫ ଆର୍ମି ଇଣ୍ଟେଲିଜେନ୍ସ ଦାବି କରିଛି । ତାଙ୍କୁ କର୍କଟ ରୋଗରେ ପିଡିତ ଥିବାରୁ ସେ ମାନସିକ ସ୍ତରରେ ବହୁତ ଦୁର୍ବଳ ହୋଇଯାଇଛନ୍ତି ବୋଲି ଦାବି କରିଛନ୍ତି ୟୁକ୍ରେନ ଜେନେରାଲ । ତେଣୁ ମିଳିଥିବା ଏହି ଖବର ଯଦି ସତ ହୁଏ, ତେବେ ବିଶ୍ୱ ନେତୃତ୍ୱ କ’ଣ ହେବ? ସୃଷ୍ଟି ହେବ କି ନେତୃତ୍ୱ ସଙ୍କଟ? ତାହା ଏବେ ଚିନ୍ତାର ବିଷୟ ।

Exit mobile version