Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସରକାରଙ୍କ ପାଇଁ ଖେଳନା

ଭୁବନେଶ୍ୱର (ଦ କୁଇଭର): ଶ୍ରୀମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖେଳନା ଭଳି ବ୍ୟବହାର କରୁଛନ୍ତି ସରକାର । ତାଙ୍କୁ ସୁହାଇଲା ଭଳି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖଣ୍ଡ ଖଣ୍ଡ କରି ବ୍ୟବହାର କରୁଛନ୍ତି । ଶ୍ରୀମନ୍ଦିର କରିଡର ପ୍ରସଙ୍ଗରେ ହାଇକୋର୍ଟରେ ଚାଲିଥିବା ମାମଲାରେ ସରକାର ଦର୍ଶାଇଛନ୍ତି ଯେ, ଆମେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭକ୍ତମାନଙ୍କ ସୁବିଧା ପାଇଁ କାର୍ଯ୍ୟ କରୁଛୁ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେଉଁଠି କୁହାଯାଇନି ଯେ, ନିଷିଦ୍ଧାଞ୍ଚଳରେ ବଡ଼ ବଡ଼ ନିର୍ମାଣ କାର୍ଯ୍ୟ କର । ସରକାର ଏଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅସ୍ତ୍ର କରି ନିଜ ମନ ଇଚ୍ଛାରେ ବେଆଇନ କାର୍ଯ୍ୟ କରିଚାଲିଛନ୍ତି । ଆଉ ବେଆଇନ କାମକୁ ନେଇ ପ୍ରଶ୍ନ ହେଲେ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶର ସଫେଇ ଦେଉଛନ୍ତି ।

ହେଲେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେତେ ଗୁରୁତର ସହ ନେଉଛନ୍ତି ତାର ଉଦାହରଣ ଦେଖନ୍ତୁ । ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଶ୍ରୀମନ୍ଦିର ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତ କର । ଯେହେତୁ ଶ୍ରୀମନ୍ଦିର ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ହଜାର ହଜାର କୋଟି ଟଙ୍କା ଭୂସମ୍ପତ୍ତି ଏଥିରେ ଜଡ଼ିତ ଅଛି । କୋଟି କୋଟି ଲୋକଙ୍କ ବିଶ୍ୱାସ ଏ ମନ୍ଦିର ପ୍ରତି ରହିଛି, ତେଣୁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତ କରାଯାଉ । କିନ୍ତୁ ତାହା ମଧ୍ୟ କରୁନାହାନ୍ତି ସରକାର । ନିଜର ଫାଇଦା ପାଇଁ ସ୍ୱାର୍ଥ ହାସଲ ପାଇଁ ବାରମ୍ବାର ଅସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତ କରୁଛନ୍ତି । ସୁପ୍ରିମକୋର୍ଟ ଏକଥା ବି କହିଛନ୍ତି ଶ୍ରୀମନ୍ଦିର ଭିତର କାଠ ନିକଟରେ କୋଣସି ଦାନ ସଂଗ୍ରହ କରାଯାଇପାରିବ ନାହିଁ । ତାକୁ କାର୍ଯ୍ୟକାରୀ କରିପାରୁନାହାନ୍ତି ଏ କାର୍ପଟଦାର ମୁଖ୍ୟ ପ୍ରଶାସକ, ରାଜ୍ୟ ସରକାର ଓ ତାଙ୍କ ପରାମର୍ଶଦାତା । କେବଳ ଏତିକି ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହାମଧ୍ୟ ଉଲ୍ଲେଖ ଅଛି ଯେ, ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ନିଯୋଗ କାର୍ଯ୍ୟାଳୟକୁ ହଟାଇ ଦିଆଯାଉ । ତାକୁ ମଧ୍ୟ ହଟାଇପାରୁନାହାନ୍ତି । ସୁପ୍ରିମକୋର୍ଟଙ୍କ କୌଣସି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ଏ ସରକାର । ଯେଉଁଠି ନିଜ ସ୍ୱାର୍ଥ ଦରକାର ସେଠାରେ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶକୁ ଅସ୍ତ୍ର କରୁଛନ୍ତି ।

ସରକାରଙ୍କ ଏହି ଦୋମୁହାଁ ନୀତି ଓ ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ପ୍ରତି ଅବହେଳାକୁ ବି କଡ଼ା ସମାଲୋଚନା କରିଛନ୍ତି ଅପରାଜିତା । ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍ କରି କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକାସଙ୍ଗରେ ତିନୋଟି ଦାୟିତ୍ୱରେ ରହିଛନ୍ତି କିପରି? ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସଚିବ ଯିଏ ଅଛନ୍ତି, ସେହି ବ୍ୟକ୍ତି ଓବିସିସିର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଅଛନ୍ତି । ନିର୍ଦ୍ଦିଷ୍ଟ ଅଧିକାରୀ ତିନୋଟି ଦାୟିତ୍ୱରେ କିପରି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ ଥିବା ପୂର୍ତ୍ତ ସଚିବ ଶ୍ରୀମନ୍ଦିର ପରିଚାଳନା ସମିତିର ମୁଖ୍ୟ ପ୍ରଶାସକ ଥିଲେ । ଏହା ସଂଯୋଗ ନା ଯୋଜନା ପ୍ରସୂତ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

Exit mobile version