Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଷ୍ଟାର ପ୍ରଚାରକରୁ ଷ୍ଟାର ବାଦ୍

ଭୁବନେଶ୍ୱର (ଦ କୁଇଭର): ଷ୍ଟାର ପ୍ରଚାରକରୁ ଷ୍ଟାର ବାଦ୍ । ବ୍ରଜରାଜନଗର ଉପନିର୍ବାଚନରେ ପ୍ରଚାର କରିବାକୁ ଅନୁଭବଙ୍କୁ ମନା । ବିଜେଡିର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ବଦଳରେ ଅଭିନେତା ଅରିନ୍ଦମ ରାୟଙ୍କ ଉପରେ ଭରଷା କରିଛି ଦଳ । ଦଳରୁ ଅବହେଳିତ ବା ଅଲୋଡା ହୋଇପଡ଼ିଥିବା ଅନୁଭବ ମହାନ୍ତିଙ୍କୁ ଲାଗିଛି ପୁଣି ଏକ ଝଟକା । କାହିଁକି ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଗଲା ? କାହିଁକି ଅନୁଭବଙ୍କ ଉପରେ ଭରଷା କଲେନି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ? ତାହା ଏବେ ପ୍ରଶ୍ନବାଚୀ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଦଳ ପକ୍ଷରୁ ୪୦ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରାଯାଇଥିବା ବେଳେ ଆଜି ବ୍ରଜରାଜନଗର ପାଇଁ ବିଜେଡି ତାର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ୪୦ଜଣ ଷ୍ଟାର ପ୍ରଚାରକୁ ମୈଦାନକୁ ଓହ୍ଲାଇବେ । କିନ୍ତୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ବିଜେଡିର ୪୦ଜଣିଆ ଷ୍ଟାର ପ୍ରଚାରକ ଚାଲିକାରେ ନାହିଁ ଅନୁଭବ ମହାନ୍ତିଙ୍କ ନାଁ । ପାରିବାରିକ ବିବାଦ ସହ ନିଜ ବିବାଦୀୟ ବୟାନକୁ ନେଇ ଛନ୍ଦିହୋଇଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଆଉ ଏହା ବଦଳରେ ଅଭିନେତାରୁ ରାଜନେତା ପାଲଟିଥିବା ଅରିନ୍ଦମ ରାୟଙ୍କ ଉପରେ ଭରଷା କରିଛି ଦଳ ।

ଦଳ ଭିତରେ ଅନୁଭବ ଅଲୋଡା ହେଇପଡ଼ିଥିବା ଚର୍ଚ୍ଚା ହେଲାଣି । ବିଜେଡିର ଅନେକ ସାଙ୍ଗଠନିକ ବୈଠକରେ ଅନୁଭବଙ୍କ ଅନୁପସ୍ଥିତି ଏହା ସ୍ପଷ୍ଟ କରୁଛି । ପାରିବାରିକ ବିବାଦକୁ ନେଇ ଅନୁଭବ ବିବାଦ ଘେରକୁ ଆସିବା ପରେ ଦଳ ଭିତରେ ମଧ୍ୟ ତାଙ୍କୁ ସେତିକି ଗୁରୁତ୍ୱ ଦେଉନଥିବା ବିଜେଡି ଶିବିରରେ ଚର୍ଚ୍ଚା ହେଲାଣି । ସବୁଠି ତାଙ୍କୁ କଣଠେସା କରି ରଖାଯାଉଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ ବର୍ଷାଙ୍କ ପାଇଁ ବିବାଦ ଘେରକୁ ଆସିଥିବା ଅନୁଭବଙ୍କୁ ବାଦ୍ ଦିଆଯିବା ପରେ ବର୍ଷା ବ୍ରଜରାଜନଗରରେ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବିଭିନ୍ନ ପ୍ରସଙ୍ଗରେ ସେ ସରକାରଙ୍କ ସପକ୍ଷରେ ମତ ଦେଇଥାନ୍ତି ।

ଯେଉଁଥିପାଇଁ ବର୍ଷା ଏବେ ବିଜେଡିର ଗୁଡବୁକରେ ଅଛନ୍ତି । ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେବା ପରେ ବର୍ଷା ପ୍ରଚାର କରିବା ଆଶା ବଢିଯାଇଛି । ବିବାଦ ଘେରରେ ଛନ୍ଦି ହୋଇଥିବା ଅନୁଭବ ମହାନ୍ତିଙ୍କ ଦବଦବା ଦଳରେ କମୁଥିବା ବେଳେ ଅଭିନେତାରୁ ରାଜନେତା ପାଲଟିଥିବା ଅରିନ୍ଦମଙ୍କ ପ୍ରଧାନ୍ୟ ବଢୁଛି । ଏହାସହ ଅଭିନେତା ଆକାଶ ଦାଶ ନାୟକଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ଦଳ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଦଳରେ ଧିରେ ଧିରେ ଅନୁଭବ ମହାନ୍ତିଙ୍କ ଦବଦବା କମିବାରେ ଲାଗିଛି ।

Exit mobile version