ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସୁରକ୍ଷିତ ରଖ: ସୁପ୍ରିମକୋର୍ଟ

(ଦ କୁଇଭର ବ୍ୟୁରୋ): ଜ୍ଞାନବାପି ମସଜିଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି ଯେ ଯେଉଁଠାରେ ଶିବଲିଙ୍ଗ ମିଳିଥିଲା ସେହି ସ୍ଥାନକୁ ସିଲ୍ କରି ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ । ସୁରକ୍ଷା ବ୍ୟବସ୍ଥା ଦ୍ଵାରା ନମାଜ ପାଠ ବାଧାପ୍ରାପ୍ତ ନ ହେବାକୁ ମଧ୍ୟ କହିଲେ କୋର୍ଟ।

ଏଥିସହ ଜ୍ଞାନବାପୀ ମସଜିଦର ସର୍ଭେ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ନିମ୍ନ ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଛି। ଜିଲ୍ଲା ଅଦାଲତର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍। ଏହି ସମୟରେ ୟୁପି ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି କିଛି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସରକାରଙ୍କୁ ସହାୟତାର ଆବଶ୍ୟକତା ରହିଛି।

ଶିବଲିଙ୍ଗକୁ ସୁରକ୍ଷା ଛଡା, ବାରଣାସୀ ଜିଲ୍ଲା କୋର୍ଟ ସମସ୍ତ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ କୋର୍ଟ। କୋର୍ଟ ବର୍ତ୍ତମାନ ଶୁଣାଣି ଗୁରୁବାର ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାପୂର୍ବରୁ ମୁସଲିମ ଦଳ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ନେଇ ସର୍ଭେ ବନ୍ଦ କରିବାକୁ ଦାବି କରିଛନ୍ତି। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀ ହିନ୍ଦୁ ଭକ୍ତମାନଙ୍କୁ ନୋଟିସ ଜାରି କରିଛନ୍ତି। ବର୍ତ୍ତମାନ ମସଜିଦ କମିଟିର ଆବେଦନ ଉପରେ ଶୁଣାଣି ପାଇଁ ୧୯ ମଇ ତାରିଖ ସ୍ଥିର କରାଯାଇଛି।

କ’ଣ ଏହି ଜ୍ଞାନବାପି ?

କାଶୀ ବିଶ୍ଵନାଥ ମନ୍ଦିର ଓ ମସଜିଦ ମଝିରେ ଅଛି ଏକ କୂପ, ଯାହାର ମୂଳ ନାମ `ଜ୍ଞାନବାମ୍ଫି’। ପ୍ରକାରାନ୍ତରେ ଏହା ଜ୍ଞାନବାପୀ ନାଁରେ ଉଚ୍ଚାରିତ ହୁଏ । ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ଭଗବାନ ଶିବ ନିଜେ ତ୍ରିଶୂଳ ଦ୍ବାରା ଏହାକୁ ଖୋଳି ଥିଲେ। ଏଠାରେ ହିଁ ଶିବ, ଦେବୀ ପାର୍ବତୀଙ୍କୁ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ ।

କାଶୀ ବିଶ୍ଵନାଥ ମନ୍ଦିର ଉପରେ ମୁସଲମାନ ଶାସକମାନଙ୍କ ଆକ୍ରମଣ ଔରଙ୍ଗଜେବଙ୍କ ଆଗରୁ ମଧ୍ୟ ହୋଇଛି । ୧୧୯୪ ମସିହାରେ ମହମ୍ମଦ ଘୋରୀଙ୍କ ସେନାପତି କୁତବୁଦ୍ଦିନ ଆଇବାକ ମୂଳ ବିଶ୍ୱନାଥ ମନ୍ଦିର ଭାଙ୍ଗି ଥିଲେ ।  ୧୨୩୦ ରେ ଗୁଜରାଟର ଜଣେ ବ୍ୟବସାୟୀ ଏହି ଭଗ୍ନ ମନ୍ଦିରର ପୁନଃନିର୍ମାଣ କରିଥିଲେ। ୧୪୮୯-୧୫୧୭ ମଧ୍ୟରେ ସିକନ୍ଦର ଲୋଦିଙ୍କ ଦ୍ୱାରା ମନ୍ଦିରଟି ପୁନର୍ବାର ଭଙ୍ଗା ଗଲା। ବିଶ୍ୱନାଥ ମନ୍ଦିରର ବର୍ତ୍ତମାନର ରୂପ ୧୭୮୦ ମସିହାରେ ଇନ୍ଦୋରର ମହାରାଣୀ ଅହିଲ୍ୟା ବାଇ ହୋଲକର ଦ୍ୱାରା ନିର୍ମିତ। ୧୯୮୩ ପରଠାରୁ ଉତ୍ତରପ୍ରଦେଶ ସରକାର ଏହି ମନ୍ଦିର ପରିଚାଳନା କରୁଛନ୍ତି।

ବାବରି ମସଜିଦ ଭଳି ଜ୍ଞାନବାପୀ ମସଜିଦ ମଧ୍ୟ ହିନ୍ଦୁମାନଙ୍କ ଧର୍ମ ବିଶ୍ବାସ ଉପରେ ମୁସଲମାନ ଶାସକମାନେ କରିଥିବା ଅତ୍ୟାଚାର ଓ ଅନାଚାରର ପ୍ରତୀକ। ଏଣୁ ଆଗକୁ କ’ଣ ହେଉଛି, ତାହା ଦେଖିବାକୁ ସମ୍ପୁର୍ଣ୍ଣ ହିନ୍ଦୁ ସମାଜ ଅନାଇ ବସିଛି।

Leave a Reply

Your email address will not be published. Required fields are marked *