କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ: ବିକ୍ରି କରିଦେବେ ଏୟାରଲାଇନ୍ସ

(ଦ କୁଇଭର ବ୍ୟୁରୋ): ଅନ୍ଧାରରେ ଶ୍ରୀଲଙ୍କା । ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ । ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଆହୁରି ଜଟିଳ ହୋଇଛି । ଶ୍ରୀଲଙ୍କା ପାଖରେ ଆଉ ମାତ୍ର ଗୋଟିଏ ଦିନ ପାଇଁ ପେଟ୍ରୋଲ ଥିବା ବେଳେ ଦୈନିକ ୧୫ ଘଣ୍ଟା ଯାଏ ପାୱାର କଟ୍ ମଧ୍ୟ ହେଉଛି । ଏହାରି ଭିତରେ ଦେଶର ଆର୍ଥିକ ବ୍ୟବସ୍ଥା ସୁଧାରିବାକୁ ଏୟାରଲାଇନ୍ସ ବିକ୍ରି କରିଦେବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ସରକାର । ଏପରିକି ଏୟାରଲାଇନ୍ସ କର୍ମଚାରୀଙ୍କୁ ଦରମା ଦେବାକୁ ସରକାରଙ୍କ ପାଖରେ ଅର୍ଥ ନାହିଁ । ଯେଉଁଥିପାଇଁ ଏୟାରଲାଇନ୍ସକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଦିନକୁ ଦିନ ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ ତେଲ ଓ ଔଷଧର ଘୋର ଅଭାବ ଦେଖାଦେଇଛି । ଦେଶର ଏକ ଚତୁର୍ଥାଂଶ ବିଜୁଳି ତେଲରୁ ଉତ୍ପାଦନ ହୁଏ । ତେଲ ଅଭାବରୁ ଦୈନିକ ୧୫ ଘଣ୍ଟା ବିଜୁଳି କାଟ୍ ମଧ୍ୟ ହୋଇପାରେ । ଭାରତରୁ ଆସିବାକୁ ଥିବା ପେଟ୍ରୋଲ ଓ ଡିଜେଲ ଯଦିଓ କିଛି ଦିନ ପାଇଁ ଆସ୍ୱସ୍ତି ଆଣିପାରେ । ହେଲେ ତାହା ମାତ୍ର ସୀମିତ ସମୟ ପାଇଁ ବୋଲି କୁହାଯାଉଛି । ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ବିକ୍ରମସିଂହ ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇ କରଣ ପ୍ରସ୍ତାବ ଦେଇଛନ୍ତି । ଅର୍ଥାତ୍ ଆର୍ଥିକ ସ୍ଥିତିରୁ ଦେଶକୁ ବଞ୍ଚାଇବା ପାଇଁ ଏୟାରଲାଇନ୍ସକୁ ବିକ୍ରି କରିଦେବାପାଇଁ ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିମାନ କମ୍ପାନୀ କ୍ଷତିରେ ଚାଲିଛି । ୨୦୨୦-୨୧ରେ ବିମାନ କମ୍ପାନୀର କ୍ଷତି ୪୫ ବିଲ୍ରିନ ଏସଏଲଆର ଥିଲା । ସେହିପରି କମ୍ପାନୀ ବର୍ତ୍ତମାନ ମୋଟ୍ ୩୭୨ ବିଲିୟନ ଏସଏଲଆର କ୍ଷତି ଘଟାଇଲାଣି । ତେଣୁ ଏହାକୁ ଘରୋଇ କମ୍ପାନୀକୁ ବିକ୍ରି କରିଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରୀଲଙ୍କାରେ କାର୍ଯ୍ୟ କରୁଥିବା ୧.୪ ମିଲିୟନ ସରକାରୀ କର୍ମଚାରୀଙ୍କୁ ଚଳିତ ମାସରେ ଦରମା ଦେବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ । କର୍ମଚାରୀଙ୍କ ଦରମା ଓ ଜରୁରୀ ସାମଗ୍ରୀ କିଣିବା ପାଇଁ ସରକାର ଟଙ୍କା ଛାପିବାରେ ଲାଗିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ସ୍ଥିତିର ମୁକାବିଲା ପାଇଁ ସେ ସବୁ ରାଜନୈତିକ ଦଳକୁ ନେଇ ଜାତୀୟ ପରିଷଦ ଗଠନ କରିବେ ବୋଲି ଘୋଷଣା କରିଛନ୍ତି । ସେପଟେ ସରକାରଙ୍କ ବିଫଳତାକୁ ଦାୟୀ କରି ଶ୍ରୀଲଙ୍କାର ଜନସାଧାରଣ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ପ୍ରଶ୍ନ ଉଠୁଛି ବିକ୍ରି ହୋଇଯିବ କି ଶ୍ରୀଲଙ୍କା?

Leave a Reply

Your email address will not be published. Required fields are marked *