ଗ୍ୟାସ ବଦଳରେ ଆପଣାଉଛନ୍ତି ଚୁଲି

(ଦ କୁଇଭର ବ୍ୟୁରୋ): ହାଣ୍ଡିଶାଳରେ ଚଡ଼କ । ଗ୍ରାହକଙ୍କୁ ବାଧିଲାଣି ଅହେତୁକ ଗ୍ୟାସ ଦର ବୃଦ୍ଧି । ବର୍ଷକ ଭିତରେ ୫୦ ପ୍ରତିଶତ ମହଙ୍ଗା ହେଲାଣି ରନ୍ଧନ ଗ୍ୟାସର ଦର । ଉଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ସିଲିଣ୍ଡର ନେଇଥିବା ଗ୍ରାହକ ଏବେ ଗ୍ୟାସ୍ ଛାଡି ଚୁଲି ଓ ଜାଲେଣି ମୁହାଁ ହେଲେଣି । କାରଣ ଅହେତୁକ ଗ୍ୟାସଦର ବୃଦ୍ଧି ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଲାଣି । ଗୋଟିଏ ସିଲିଣ୍ଡର ଗୋଟିଏ ମାସ ପୂରଣ କରିବା କଷ୍ଟକର ହୋଇପଡ଼ୁଛି । ପାଖାପାଖି ୧୧୦୦ ପହଞ୍ଚିଲାଣି ଏଲପିଜି ସିଲିଣ୍ଡରର ମୂଲ୍ୟ ।

ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଗ୍ୟାସ ଦର ବୃଦ୍ଧିରେ ଅତିଷ୍ଠ ହୋଇ ଲୋକମାନେ କିଭଳି ଗ୍ୟାସ ସିଲିଣ୍ଡରକୁ ପୋଖରୀରେ ବିସର୍ଜନ କରୁଛନ୍ତି । ଏହାସହ କାଠ, ଜାଳେଣିକୁ ନେଉଛନ୍ତି । ଏଲପିଜି ଗ୍ୟାସ୍ ଦର ଲୋକଙ୍କୁ ଏତେ ବାଧିଲାଣି ଯେ, ଲୋକମାନେ ସିଲିଣ୍ଡର ପୁନଃଭରଣା ପାଇଁ ସକ୍ଷମ ନୁହଁନ୍ତି । ଅତ୍ୟାବଶ୍ୟକ ସେବାକୁ ଧୀରେ ଧୀରେ ବେପାର କରିଦେବାକୁ ବସିଲେଣି ସରକାର । ଆଗ ମାଗଣା ଦେଇ ପରେ ତଣ୍ଟିଚିପି ନେଉଛନ୍ତି । ସିଧାସଳଖ ଶୋଷଣ କରି ଚାଲିଛନ୍ତି କେନ୍ଦ୍ର ସରକାର ।

ଗ୍ୟାସ ଶୋଷଣ ଯୋଗୁଁ ହଜାର ହଜାର ଗରିବ ପୁଣି କାଠ ନଡା ଜାଳେଣିକୁ ଫେରିବାକୁ ଆରମ୍ଭ କରିଲେଣି । ଗ୍ୟାସ ପାଇଁ ଦିନେ ଲାଇନ ଲଗାଉଥିବା ଲୋକେ ଏବେ ସେହି ଗ୍ୟାସ ସିଲିଣ୍ଡରକୁ ନଦୀ, ନାଳ ଓ ପୋଖରିରେ ଫିଙ୍ଗି ଦେଉଛନ୍ତି । ଯାହା ଏହି ଦୃଶ୍ୟ ବୟାନ କରୁଛି । ଏହା କେଉଁ ଅଂଚଳର ଯଦିଓ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ରିଲାଏନ୍ସ ଓ ଏୟାରଟେଲ ଭଳି ପ୍ରଥମେ ମାଗଣା ଦେଇ କିଭଳି ଗ୍ୟାସ ଶୋଷଣ ନୀତି ଆପଣାଉଛନ୍ତି ସରକାର ।

ପ୍ରଥମେ ଲୋକଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେଲେ । ଲୋକେ ଚୁଲି ଛାଡି ଗ୍ୟାସ ଆପଣାଇଲେ । ପରେ ଲୋକାମାନେ ଗ୍ୟାସର ଅଭ୍ୟସ୍ତ ହୋଇସାରିବା ପରେ ଏଥିରୁ ୩ ହଜାର କୋଟି ଟଙ୍କା ଆଦାୟ କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରାୟ ଦେଢ ହଜାର କୋଟି ଟଙ୍କା ଆଦାୟ କରିସାରିଲେଣି ସରକାର । ଘରୋଇ ଇନ୍ଦନ ଗ୍ୟାସ ସଂଯୋଗ ମାଗଣା ଓ ରିହାତିରେ ଚୁଲା ଉଜ୍ଜଳା ଯୋଜନାରେ ଯୋଗାଇ ଦେଲେ । ମହିଳାଙ୍କୁ ଧୂଆଁରୁ ରକ୍ଷା କରିବା ପାଇଁ କେନ୍ଦ୍ରସରକାରଙ୍କ ଏହି ପଦକ୍ଷପ ବେଶ ଗ୍ରହଣୀୟ ହେଲା । ମାତ୍ର ଏବେ ତଣ୍ଡି ଚିପି ଆଦାୟ କରୁଛି ତୈଳ ମନ୍ତ୍ରାଳୟ ।

ଉଜ୍ୱଳ ଯୋଜନାରେ ସିନା ଗୋଟିଏ ସିଲିଣ୍ଡର ମାଗଣା ଦେଲେ, କିନ୍ତୁ ଏବେ ପୁନଃଭରଣ ପାଇଁ ଖାଉଟି ମୂଲ୍ୟ ହଜାରରେ ୫୦ ଟଙ୍କା ଆଦାୟ କରୁଛି କମ୍ପାନୀ । କେନ୍ଦ୍ରସରକାରଙ୍କ ଏହି ଗ୍ୟାସ ଶୋଷଣ ଗାଁର ଗରିବ ଲୋକଙ୍କୁ ବାଧିଲାଣି । ଗୋଟିଏ ପଟେ ଟଙ୍କିକିଆ ଚାଉଳ ଦେଉଛନ୍ତି, ଅନ୍ୟପଟେ ଗ୍ୟାସ୍ ସିଲିଣ୍ଡର ଭଳି ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରି ଶୋଷଣ କରୁଛନ୍ତି । ଯେଉଁଥିପାଇଁ ଲୋକେ ଏବେ ଗ୍ୟାସ ଛାଡି ପୁଣି କାଠ, ନଡା ଜାଳେଣିକୁ ଆପଣାଇଲେଣି ।

Leave a Reply

Your email address will not be published. Required fields are marked *