Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଧରାପଡ଼ିଗଲେ ସରକାର

ପୁରୀ (ଦ କୁଇଭର): ପୁଣି ଧରାପଡ଼ିଲା ପିନାକୀଙ୍କ ଆଉ ଏକ ମିଛ । ଟ୍ୱିଟ୍ କରି କହିଥିଲେ, ଶ୍ରୀମନ୍ଦିର ଐତିହ୍ୟ ଅଂଚଳରେ ଜିପିଆରଏସ ସର୍ଭେ ହୋଇଛି । ତେଣୁ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଚାଲିଥିବା ବାଦ ବିବାଦ କେବଳ ଅପପ୍ରଚାର । ରାଜନେତା ଓ ରାଜନୈତିକ ଗୋଷ୍ଠୀ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ମେ’ ୧୮ ତାରିଖରେ ଏଭଳି ଟୁଇଟ୍ କରିଥିଲେ ସାଂସଦ ପିନାକୀ ବାକୁ । ବେଶ୍ ଠାଣିରେ କହିଥିଲେ ଅପେକ୍ଷା କରନ୍ତୁ, ସବୁ ସତ ପଦାରେ ପଡ଼ିଯିବ । ଏବେ ସବୁ ସତ ପଦାକୁ ଆସିଛି । ପିନାକୀ କହୁଥିବା କଥା, ଯେ ଡାହା ମିଛ ଏକଥା ସ୍ପଷ୍ଟ ହେଉଛି ଠିକା ସଂସ୍ଥା ଓବିସିସିର ରାତିଅଧିଆ ପଦକ୍ଷେପରୁ ।

ରାତିଅଧିଆ ଚାଲିଛି ରାଡାର ସର୍ଭେ । ଆଇଆଇଟି ଅହମ୍ମଦାବାଦ ସହାୟତାରେ ପ୍ରଭାବ ଆକଳନ ପାଇଁ ଏହି ସର୍ଭେ କରାଯାଉଛି । ଏଥିରୁ ଜଣାପଡ଼ିଯାଉଛି, ପିନାକୀ ଐତିହ୍ୟ କରିଡ଼ରକୁ ନେଇ ଲୋକଙ୍କୁ ବାରମ୍ବାର ଭୂଆଁ ବୁଲାଉଛନ୍ତି । ଏହାପଛରେ ତାଙ୍କର ଦଳୀୟ ଚାଟୁକାରିତା ଅଛି, ନା ଅନ୍ୟ କିଛି ସ୍ୱାର୍ଥ । ଏହି ପ୍ରଶ୍ନ ଏବେ ସବୁଠି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କରିଡର ପ୍ରକଳ୍ପ ସ୍ଥଳରେ ଗତ ୨ ଦିନ ହେବ ଚାଲିଛି ଜିପିଆରଏସ ସର୍ଭେ । ତାହା ପୁଣି ମଧ୍ୟ ରାତ୍ରିରେ । ଯେମିତି କେହି ଦେଖିପାରିବେ ନାହିଁ । କିଛି ଜାଣିପାରିବେ ନାହିଁ । କେହି କିଛି ଜାଣିବା ପୂର୍ବରୁ ଜିପିଆରଏସ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଦେବେ ସରକାର । କିନ୍ତୁ ରାଜ୍ୟ ସରକାରଙ୍କ ଠିକା ସଂସ୍ଥାର ଏହି ଚୋରା କାରବାର ଗତକାଲି ରାତିରେ ପଦାରେ ପଡ଼ିଛି ।

ପ୍ରତ୍ନତତ୍ୱବିତଙ୍କ ସୂଚନା ଅନୁଯାୟୀ, ଜିପିଆରଏସ ରାଡାର ସର୍ଭେ ଳ୍କଳ୍ପ ଆରମ୍ଭ ପୂର୍ବରୁ କରାଯିବା କଥା । ଏହି ସର୍ଭେ ରିପୋର୍ଟକୁ ନେଇ ପ୍ରକଳ୍ପର ବିବରଣୀ ପ୍ରସ୍ତୁତ ହେବା କଥା । ମାତ୍ର ସରକାର ପ୍ରଥମେ ପ୍ରକଳ୍ପ ଆରମ୍ଭ କରିଦେଲେ, ଐତିହ୍ୟକୁ ଭାଙ୍ଗି ଧୂଳିସାତ୍ କରିଦେଲେ । ୧୦ରୁ ୧୨ ଫଉଟ୍ ଗଭୀରରୁ ଗାତ ଖୋଳି କଙ୍କ୍ରିଟ୍ ପିଲାର ଉଠାଇଲେ । ଯାହାଦ୍ୱାରା ବଡ଼ଦେଉଳ ପ୍ରତି ବିପଦର ଆଶଙ୍କା ବଢିଛି । ସରକାର ବଡ଼ଦେଉଳକୁ ବିପଦକୁ ଠେଲିଦେଇ ଏଭଳି ସର୍ଭେ କରିବା କେବଳ ଫାର୍ସ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ କହିଛନ୍ତି ଯେ, ଚୋର, ଡକାୟତାମନେ କେବଳ ରାତିରେ କାମ କରନ୍ତି । ସରକାର ଜାଣିଗଲେଣି ଯେ, ସେ ଯେଉଁ ପ୍ରକଳ୍ପ କରୁଛନ୍ତି ତାହା ଭୁଲ୍ । ତେଣୁ ସରକାର କିଛି ଲୁଚାଉଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପକୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ଆଇନ ଅନୁଯାୟୀ, ସବୁ କରାଯାଉ । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଐତିହ୍ୟ ପ୍ରକଳ୍ପର ପିଛା ଛାଡ଼ୁନି ବିବାଦ । ସକରାର ଯେତେ କୈଫିୟତ ଦେଲେ ବି ଫସି ଫସି ଯାଉଛନ୍ତି । ନିଜ ବେଆଇନ କାମକୁ ଲୁଚାଇବା ପାଇଁ ପୁଣି ଏକ ବେଆଇନ କାମ କରୁଛନ୍ତି । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳୀରେ ସରକାରଙ୍କ ଏହି ବେଆଇନ କାମ ପ୍ରକଳ୍ପର ମହନୀୟତା ନେଇ ପ୍ରଶ୍ନ ଉଠାଉଛି । ଦେଖିବା ସରକାର ତାଙ୍କ ବେଆଇନକୁ କେବେ ବନ୍ଦ କରୁଛନ୍ତି ।

Exit mobile version