Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କାହିଁକି ବାଉଳି ହେଉଛନ୍ତି ପିନାକୀ ?

ପୁରୀ (ଦ କୁଇଭର): ବାଉଳି ହେଉଛନ୍ତି ପିନାକୀ । ବାରମ୍ବାର ମିଛ କହୁଛନ୍ତି । କରିଡର ପ୍ରକଳ୍ପକୁ ନେଇ ପିନାକୀଙ୍କ ଗୋଟିଏ ପରେ ଗୋଟିଏ ମିଛ ପଦାରେ ପଡ଼ିବାରେ ଲାଗିଛି । ତଥାପି ଆଗକୁ ଦୁଇ ପାଦ ମାଡ଼ିଯାଇ ଆଉ ଏକ ବିଭ୍ରାନ୍ତିକର କଥା କହୁଛନ୍ତି । ଏବେ ଜିପିଆରଏସ ସର୍ଭେକୁ ନେଇ ପୁଣି ଏକ ଟୁଇଟ୍ କରିଛନ୍ତି । ଯାହା ତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ଟୁଇଟ୍ କରି କହିଛନ୍ତି, ଦ୍ୱିତୀୟ ଥର ଜିପିଆରଏସ ସର୍ଭେ କରିବା ପାଇଁ ଆଇନରେ କୌଣସି ବାଧା ନାହିଁ । ପିନାକୀ ବାବୁ ପ୍ରଥମେ ଏହା ସ୍ପଷ୍ଟ କରନ୍ତୁ ଯେ, ପୂର୍ବରୁ ହୋଇଥିବା ଜିପିଆରଏସ ସର୍ଭେ ଏବଂ ବର୍ତ୍ତମାନ ଚାଲିଥିବା ଜିପିଆରଏସର ଆଭିମୁଖ୍ୟ ସମାନ କି? ଯଦି ଆଭିମୁଖ୍ୟ ଭିନ୍ନ ତାହେଲେ ପିନାକୀ ବାବୁ ଜାଣିରଖିବା ଉଚିତ୍ ଉଭୟ ସର୍ଭେର ଆବଶ୍ୟକତା ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ଅଛି । ସର୍ଭେ ନ କରି ପ୍ରକଳ୍ପ ଆରମ୍ଭ କରିବା ପରେ ଏବେ ଧରାପଡ଼ିଯିବା ପରେ ଆମେ ସର୍ଭେ କରୁଛୁ ବୋଲି କହିବା ଚୋରଙ୍କ ମୁହଁଟାଣ ଛଡା କିଛି ନୁହେଁ । ପିନାକୀ ବାବୁ ଜାଣିରଖିବା ଉଚିତ୍ ଯେ, ସେ ଯେଉଁ ଜିପିଆରଏସ ରିପୋର୍ଟ ଦେଖାଉଛନ୍ତି ତାହା ହେଉଛି, ଜିପିଆରଏସ ୟୁଟିଲିଟି ସର୍ଭେ । ଯେଉଁଥିରେ ମାଟିତଳେ ଥିବା ଐତିହ୍ୟ ସନ୍ଧାନ ସହିତ କୌଣସି ସମ୍ପର୍କ ନାହିଁ । କିନ୍ତୁ ବର୍ତ୍ତମାନ ଚାଲିଛି ଜିପିଆରଏସ ରାଡାର ସର୍ଭେ । ଯାହା ପ୍ରକଳ୍ପ ଆରମ୍ଭ ପୂର୍ବରୁ କରାଯାଇନାହିଁ ।

ପିନାକୀ ବାବୁ ଜଣେ ବିଜ୍ଞ ଓ ବରିଷ୍ଠ ଆଇନଜୀବୀ । ଆଇନକୁ ସେ ଭଲ ଭାବେ ଜାଣିଛନ୍ତି । ଯେଉଁ ଆଇନର ପାଠ ପଢାଇ ସମସ୍ତଙ୍କୁ ଚୁପ୍ କରିବାକୁ ଚାହୁଁଛନ୍ତି । ଜଣେ ବରିଷ୍ଠ ଆଇନଜୀବୀ ହିସାବରେ ସେ କ’ଣ ଜାରିପାରୁନାହାନ୍ତି, କେଉଁଠି କ’ଣ ହେଉଛି? ସରକାରଙ୍କ ବେଆଇନ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଗୋଟିଏ ଧ୍ୱଂସାଭୀମୁଖୀ ପ୍ରକଳ୍ପକୁ କାହିଁକି ସମର୍ଥନ କରୁଛନ୍ତି ପିନାକୀ? ସେ ହେଉଛନ୍ତି ଖୋଦ୍ ପୁରୀର ସାଂସଦ । ବଡ଼ ଦେଉଳ ପ୍ରତି ଏତେ ବଡ଼ ବିପଦ ବେଳେ ପୁରୀ ନ ଆସି କାହିଁକି ଦିଲ୍ଲୀରେ ରହି ମିଡିଆ ବାଇଟ୍ ଓ ଟୁଇଟ କରି ଗୋଟିଏ ପରେ କାହିଁକି ବିଭ୍ରାନ୍ତିକର କହି ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଜିପିଆରଏସ ୟୁଟିଲିଟି ସର୍ଭେ ରିପୋର୍ଟ ଦେଖାଇ ଲୋକଙ୍କୁ ଭ୍ରମିତ କରିବାକୁ କାହିଁକି ଚେଷ୍ଟା କରୁଛନ୍ତି ପିନାକୀ ମିଶ୍ର । ଆଜିପର୍ଯ୍ୟନ୍ତ ସେ ପୁରୀ ଲୋକଙ୍କ ସାମ୍ନାରେ ଠିଆ ହୋଇ କହିଲେଣି କି ଯାହା ସବୁ ଚାଲିଛି ଠିକ୍ ଚାଲିଛି, ଆଇନ ଅନୁଯାୟୀ ଚାଲିଛି । କିନ୍ତୁ ପିନାକୀ ବାବୁ ଜାଣିରଖିବା ଉଚିତ୍ ଯେ, ସେ ଯେଉଁ ଜିପିଆରଏସ ରିପୋର୍ଟ ଦେଖାଉଛନ୍ତି, ତାହା ହେଉଛି ଜିପିଆରଏସ ୟୁଟିଲିଟି ସର୍ଭେ ରିପୋର୍ଟ । କିନ୍ତୁ ବର୍ତ୍ତମାନ ଚାଲିଥିବା ସର୍ଭେ ହେଉଛି ଜିପିଆରଏସ ରାଡାର ସର୍ଭେ ।

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଜିପିଆରଏସ ରାଡାର ସର୍ଭେ ହିଁ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି । କରିଡର ପ୍ରକଳ୍ପ ବିବାଦ ଚରମସୀମରେ ପହଞ୍ଚିବା ପରେ ପ୍ରକଳ୍ପକୁ ବଞ୍ଚାଇବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ରାତି ଅଧରେ ରାଡାର ସର୍ଭେ କରାଉଛନ୍ତି । ଯେମିତି କେହି ଦେଖିପାରିବେ ନାହିଁ । ଆଉ ରାଜ୍ୟ ସରକାରଙ୍କ ଏହି ବିଧ୍ୱଂଶକାରୀ ପ୍ରକଳ୍ପକୁ ଆଇନ କାନୁନ ଦେଖାଇ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ପିନାକୀ ମିଶ୍ର । କିନ୍ତୁ ପିନାକୀଙ୍କ ଏହି କଳା ସତ ଗୋଟିଏ ପରେ ଗୋଟିଏ ପଦାରେ ପଡ଼ିବାରେ ଲାଗିଛି ।

Exit mobile version