Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଓଡ଼ିଶାରେ ଫେଲ୍ ଡିଜିଟାଲ ସ୍କୁଲ

ଭୁବନେଶ୍ୱର (ଦ କୁଇଭର): ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ସରକାର । କିନ୍ତୁ ଅନେକ ସ୍କୁଲରେ ନାହିଁ ଡିଜିଟାଲର ମୂଳପିଣ୍ଡ ଇଣ୍ଟରନେଟ୍ । ଆଣ୍ଠେଇ ପଡ଼ିଛି ସରକାରଙ୍କ ଡିଜିଟାଲ ଶିକ୍ଷା ଅଭିମୁଖ୍ୟ । ଖୋଦ୍ ରାଜଧାନୀରେ ଯଦି ଦେଖିବା ୬୦ ପ୍ରତିଶତ ସ୍କୁଲରେ ନାହିଁ ଇଣ୍ଟରନେଟ୍ ସଂଯୋଗ । ଆଉ ଯାହା ଅଛି, ତାର ସ୍ପିଡ ଗୋଟିଏ ବ୍ରାଉଜର ଖୋଲିବାକୁ ମଧ୍ୟ ଅସମର୍ଥ । ଗ୍ରାମାଞ୍ଚଳ ବା ଆଦିବାସୀ ଅଞ୍ଚଳ ତ ଦୂରର କଥା । ଖୋଦ୍ ରାଜଧାନୀରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର । କମ୍ପୁଟର ଅଛି ସତ, କିନ୍ତୁ ଇଣ୍ଟରନେଟ୍ ନାହିଁ । ସେପଟେ ଡିଜିଟାଲ ଶିକ୍ଷାକୁ ନେଇ ସରକାର ଯେଉଁ ଯୋଜନା କରୁଛନ୍ତି, ତାହା କେତେ ଗ୍ରହଣୀୟ ସରକାର ନିଜେ ହିଁ ଆକଳନ କରନ୍ତୁ ।

ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ବୈଷୟିକ ଶିକ୍ଷା ଦେବା ପାଇଁ ସରକାର ପ୍ରତି ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ଯୋଗାଇ ଦେବା ପାଇଁ ଯୋଜନା କରୁଛନ୍ତି । ଇଣ୍ଟରନେଟ୍ ସଂଯୋଗ ନଥିବାରୁ କେବଳ କି ବୋର୍ଡ ଓ ମାଉସକୁ ଦେଖୁଛନ୍ତି ପିଲା । ଏହାସହ କୌଣସି ଅଭିଜ୍ଞମାନଙ୍କୁ ଡାକି ଶିକ୍ଷା ଦେବାର ବ୍ୟବସ୍ଥା କରିପାରୁନାହାନ୍ତି ସରକାର, ଆଉ ଏହାର କାରଣ ହେଉଛି ସ୍କୁଲରେ ନାହିଁ ଇଣ୍ଟରନେଟର ସଂଯୋଗ । ଶିକ୍ଷାକୁ ଡିଜିଟାଲାଇଜ କରିବା ପାଇଁ ସରକାର ବିଧାନସଭାରେ ଗୁରୁତ୍ୱ ଦେଉଛନ୍ତି, ସଚିବାଳୟରେ ଆଇଟି ସଚିବଙ୍କ ଠାରୁ ଆରମ୍ଭ କରି ଶିକ୍ଷା ସଚିବଙ୍କ ପର୍ଯ୍ୟନ୍ତ ଘନ ଘନ ବୈଠକ ଡାକୁଛନ୍ତି । ସମସ୍ତେ ମିଳିମିଶି କାମ କରୁଛନ୍ତି । କିନ୍ତୁ ଏ ସରକାରଙ୍କ ପ୍ରସ୍ତୁତି ଓ ଉଦ୍ୟମ କେତେ ସଫଳ ହୋଇଛି, ତାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି ଶିକ୍ଷା ମନ୍ତ୍ରାଣଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଜାରି ୟୁଡିଆଇଏସଇ+ର ୨୦୨୦-୨୧ର ରିପୋର୍ଟ ।

ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ଥିବା ସବୁ ବର୍ଗର ମୋଟ୍ ସ୍କୁଲ ମଧ୍ୟରୁ ମାତ୍ର ୭.୨୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ ରହିଛି । ସେଥିରୁ କେବଳ ସରକାରୀ ସ୍କୁଲ ମଧ୍ୟରୁ ମାତ୍ର ୨.୮୪ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ଥିବାବେଳେ ମୋଟ୍ ୧୯.୭୪ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର ସୁବିଧା ଅଛି । ଇଣ୍ଟରନେଟ୍ ବ୍ୟତୀତ ରାଜ୍ୟର ମୋଟ୍ ୬୪ ହଜାର ୧୮୫ଟି ସ୍କୁଲ ମଧ୍ୟରୁ ୫୨,୧୭୩ଟି ସ୍କୁଲରେ ଇଲେକ୍ଟ୍ରିକ ସୁବିଧା ଥିବାବେଳେ ସେଥିରୁ ୪୫ ହଜାର ୪୯୩ଟି ସ୍କୁଲରେ ଏହି ସୁବିଧା କାମ କରୁଛି ।

ଗୋଟିଏ ପଟେ ସରକାର ଶିକ୍ଷାର ବିକାଶ ପାଇଁ, ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ବୈଷୟିକ ଶିକ୍ଷା ଦେବା ପାଇଁ ମାଳ ମାଳ ଯୋଜନା କରୁଛନ୍ତି । ସ୍କୁଲ ପିଲାମାନେ କିପରି ବୈଷୟିକ ଜ୍ଞାନ ପାଇପାରିବେ ସେ ନେଇ କମ୍ପ୍ୟୁଟରର ବ୍ୟବସ୍ଥା ମଧ୍ୟ କରୁଛନ୍ତି ସରକାର । କିନ୍ତୁ ଅର୍ଦ୍ଧାଧିକ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ ନଥିବାରୁ କମ୍ପ୍ୟୁଟର ଶିକ୍ଷା ମାତ୍ର ଏକ ପ୍ରହସନ ପାଲଟିଛି । ଯାହା ଏହି ରିପୋର୍ଟ ସ୍ପଷ୍ଟ କରୁଛି ।

Exit mobile version