ଭୁବନେଶ୍ୱର (ଦ କୁଇଭର): ପ୍ରସ୍ତୁତ ଭାତ ଥାଳିକୁ ଫିଙ୍ଗିଦେଲେ, ଆଉ ଏବେ ଚାଉଳ ସାଉଣ୍ଟୁଛନ୍ତି । ଇଏ ହେଉଛି ନବୀନ ସରକାରଙ୍କ କ୍ରୀଡ଼ାବିତ୍ ବିକାଶର ନୀତି । ନବୀନ ସରକାର ସ୍କୁଲ ପାଠ୍ୟକ୍ରମରେ ଅଲମ୍ପିକ ପାଠ ସ୍ଥାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଅଲମ୍ପିକର ଶିକ୍ଷା ସ୍କୁଲରୁ ହିଁ ଆରମ୍ଭ କରିବେ । ଅଲମ୍ପିକ ପାଇଁ ଥିବା ଅନେକ ଯୋଗ୍ୟଙ୍କୁ ସରକାର ରାସ୍ତାରେ ଛାଡ଼ିଦେଲେ । ଏଠାରେ ଆମେ କହିରଖୁଛୁ, ଅଲମ୍ପିକ ପାଇଁ ଯୋଗ୍ୟ ଓ ଦକ୍ଷ ଥିଲେ ବୁଦ୍ଧିଆ ସିଂ । ମସିହା ୨୦୦୬ । ପୁରୀରୁ ଭୁବନେଶ୍ୱର ଦୌଡି ସାରା ବିଶ୍ୱକୁ ଚକିତ କରିଥିଲେ । ମାତ୍ର ୪ବର୍ଷ ବୟସରେ ୬୫ କିଲୋମିଟର ଦୌଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ ଓଡ଼ିଶାର ଏହି କୁନି ଧାବକ ବୁଦ୍ଧିଆ ସିଂ । ସରକାର ସେତେବେଳେ ତାଙ୍କର ଦକ୍ଷତାକୁ ଚିହ୍ନିଥିଲେ । ସାରା ରାଜ୍ୟବାସୀଙ୍କ ଆଶା ଥିଲା ବୁଦ୍ଧିଆ ଦିନେ ଅଲମ୍ପିକ୍ସର ଲଙ୍ଗରନରେ ଦୌଡିବ । ହେଲେ ବୁଦ୍ଧିଆ ଏବେ ହଜିଯାଇଛନ୍ତି । କଳିଙ୍ଗ ଷ୍ଟାଡିୟମ ହଷ୍ଟେଲରେ ମଧ୍ୟ ସେ ନାହାନ୍ତି । ସରକାରଙ୍କ ଲିଷ୍ଟରେ ମଧ୍ୟ ସେ ନାହାନ୍ତି? କୌଣସି ଖେଳକୁଦରେ ତାଙ୍କର ସମ୍ପୃକ୍ତି ବି ନାହିଁ । ତାହାଲେ କୁଆଡେ କଲେ ବୁଦ୍ଧିଆ ସିଂ?

ଅଲମ୍ପିକ୍ସ ପାଇଁ ଏକ ଯୋଗ୍ୟ କ୍ରୀଡାବିତଙ୍କୁ ସରକାର ଧୂଳିସାତ କରିଦେବାପରେ ଏବେ ସ୍କୁଲରେ ଅଲମ୍ପିକ୍ସ କ୍ରୀଡାବିତ୍ ଖୋଜିବା ଯୋଜନା କରିଛନ୍ତି । କିଏ ହେବ ଆଉ ଏକ ବୁଦ୍ଧିଆ? ସେହି ଲକ୍ଷରେ ଓଡ଼ିଶା ସରକାର ।

ପ୍ରଶ୍ନ ଉଠୁଛି, ଯେଉଁ କୁନି ଧାବକ ଦିନେ ଦୌଡ଼ି ସାରା ବିଶ୍ୱକୁ ଚକିତ କରିଥିଲେ, ସେହି କୁନି ଧାବକ ବୁଦ୍ଧିଆ ଗୋଡରେ କିଏ ପକାଇଲା ଶିକୁଳି? କୁଆଡେ ହଜିଗଲେ କୁନି ଧାବକ? କୁଆଡ଼େ ଉଭେଇଗଲା ଅଲମ୍ପିକର ସ୍ୱପ୍ନ? ରନିଂ ଟ୍ରାକରୁ କାହିଁକି ହଜିଗଲେ ବୁଦ୍ଧିଆ? ରାଜ୍ୟର ଗର୍ବ ଏବଂ ଗୌରବକୁ ସରକାରଙ୍କ ଏତେ ଅବହେଳା କାହିଁକି? କାହିଁକି ବୁଦ୍ଧିଆଙ୍କୁ ଖୋଜୁନାହାନ୍ତି ସରକାର? ବୁଦ୍ଧିଆଙ୍କ ଏବେ ସ୍ଥିତି କ’ଣ? ଅଲମ୍ପିକ ପାଇଁ ବୁଦ୍ଧିଆକୁ କେଉଁଠି ଗୁପ୍ତ ଟ୍ରେନିଂ ଦେଉଛନ୍ତି କି ସରକାର? ଏହି ପ୍ରଶ୍ନ ଏବେ ପୁଣି ସମସ୍ତଙ୍କ ମନରେ ।

ରାଜ୍ୟ ସରକାର ଖେଳ ଓ ଖେଳାଳୀଙ୍କୁ ଅଧିକ ପ୍ରଧାନ୍ୟ ଦେଉଥିବା ବେଳେ ଓଡ଼ିଶାର ଖେଳାଳୀମାନେ କିପରି ଦେଶ ବିଦେଶରେ ନାଁ କରିପାରିବେ ସେ ନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ବୁଦ୍ଧିଆଙ୍କ ପ୍ରତି ସରକାରଙ୍କ ଏତେ ଅବହେଳା କାହିଁକି? କାହିଁକି ଓଡ଼ିଶାର ଏକ ସ୍ୱର୍ଣ୍ଣକୁ ହାତଛଡ଼ା କରିଦେଲେ ସରକାର? ଏହାର ଉତ୍ତର କାହାପାଖରେ ନାହିଁ । ଏବେ କୁଆଡେ ଅନ୍ତଃର୍ଦ୍ଧାନ ହୋଇଗଲେ ବୁଦ୍ଧିଆ? ବୁଦ୍ଧିଆଙ୍କ ଉଭାନ ସହ ମଉଳିଯିବ କି ରାଜ୍ୟବାସୀଙ୍କ ଅଲମ୍ପିକ ସ୍ୱପ୍ନ ।

Leave a Reply

Your email address will not be published. Required fields are marked *