ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭକୁ ନବୀନଙ୍କୁ ଜଣାଇବେ ସ୍ୱାମୀ

ପୁରୀ (ଦ କୁଇଭର): କରିଡର ପ୍ରକଳ୍ପକୁ ନେଇ ପ୍ରତ୍ୟେକ୍ଷରେ ନ ହେଲେ ବି ପରୋକ୍ଷରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଯେଉଁ ମଠ, ମନ୍ଦିର, ଠାକୁରଙ୍କ ଗାଦିକୁ ମାଟିରେ ମିଶାଇ ଦିଆଯାଇଛି । ସେ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏହା କରାଯିବା ଉଚିତ୍ ନୁହେଁ ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ସୁବ୍ରମଣ୍ୟନ୍ ସ୍ୱାମୀଙ୍କ ସହ କଥା ହୋଇଛନ୍ତି । ସୁବ୍ରମଣ୍ୟନ୍ ସ୍ୱାମୀ ଆଜି ଗୋବର୍ଦ୍ଧନ ପୀଠରେ ପହଞ୍ଚି ସେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇ ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ଶଙ୍କରାଚାର୍ଯ୍ୟ ଶୁଭ୍ରମଣ୍ୟନ୍ ସ୍ୱାମୀଙ୍କୁ କହିଛନ୍ତି, ପୁରୀରେ ହିନ୍ଦୁ ଧର୍ମ ଭାବନାକୁ ନଷ୍ଟ କରାଯାଉଛି । ଧାର୍ମିକ ଭାବନା ସହ ଜଡିତ ମଠ, ମନ୍ଦିରକୁ ଭାଙ୍ଗ ଦିଆଯାଉଛି, ଯାହା ହିନ୍ଦୁ ଧର୍ମ ପ୍ରତି ଶଙ୍କଟ ଆଣିବ । ଏଠାରେ ସରକାର ତପଭୂମିକୁ ଭୋଗଭୂମିରେ ପରିଣତ କରିବାକୁ ଚାହୁଁଛନ୍ତି । ଧାର୍ମିକ ପଣିବେଷକୁ ନଷ୍ଟ କରୁଛନ୍ତି ସରକାର । ଶଙ୍କରାଚାର୍ଯ୍ୟଙ୍କ ଏହି ସମସ୍ତ କ୍ଷୋଭକୁ ଧର୍ଯ୍ୟର ସହ ଶୁଣିଥିଲେ ସୁଭ୍ରମନ୍ୟମ୍ ସ୍ୱାମୀ । ଏହାପରେ ବାହାରକୁ ଆସି ଗଣମାଧ୍ୟମକୁ କହିଥିଲେ, ମନ୍ଦିର ଆମର ବିଚାରକେନ୍ଦ୍ର ଥିଲା, ରାଜା ବି ମନ୍ଦିରରେ ବସୁଥିଲେ । ମନ୍ଦିର କୌଣସି ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ୍ ନୁହେଁ । ମନ୍ଦିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ପରିକ୍ରମା ପ୍ରକଳ୍ପ ବିବାଦ ସମ୍ପର୍କରେ ସେ ଜାଣିଥିବା, ଶୁଣିଥିବା କହିଛନ୍ତି । ବିଜୁ ବାବୁ ମୋର ଘନିଷ୍ଠ ମିତ୍ର ଥିଲେ, ନବୀନଙ୍କ ସହ ମୋର ଭଲ ସମ୍ପର୍କ ରହିଛି । କରିଡର ପ୍ରସଙ୍ଗରେ ତାଙ୍କ ସହ କଥା ହୋଇ ପଚାରିବି ବୋଲି କହିଛନ୍ତି ସୁଭ୍ରମଣ୍ୟମ୍ । ଏହାସହ ଏସମ୍ପର୍କରେ ତାଙ୍କର ଉଦ୍ଦେଶ୍ୟ କ’ଣ ବୋଲି ମଧ୍ୟ ପଚାରିବି । ଖୁବଶୀଘ୍ର ଏହି ବିବାଦକୁ ସମାଧାନ କରିବାକୁ ହେବ ବୋଲି ସେ କହିଛନ୍ତି ।

କରିଡର ପ୍ରକଳ୍ପ ସମ୍ପର୍କରେ ଗୁରୁଜୀଙ୍କ କ୍ଷୋଭକୁ ନବୀନଙ୍କ ସାମ୍ନାରେ ଜଣାଇବେ ସୁବ୍ରମଣ୍ୟନ୍ । ସରକାରଙ୍କ ଉଦ୍ଦେଶ୍ୟ କ’ଣ? କାହିଁକି ଏ ବିବାଦ ଚାଲିଛି , ସେ ସମ୍ପର୍କରେ ମଧ୍ୟ ନବୀନଙ୍କ ସହ କଥା ହେବେ ସୁବ୍ରମଣ୍ୟନ୍ । ଏହାସହ କେରଳରେ ଏକ ହିନ୍ଦୁ ମନ୍ଦିର ପ୍ରତିଷ୍ଠା ପାଇଁ ସେ କେରଳର ଏକ ରାଣୀଙ୍କୁ ସାଙ୍ଗରେ ଧରି ଜଗତଗୁରୁଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ । ତେବେ ନବୀନଙ୍କ ସହ ସୁବ୍ରମଣ୍ୟନଙ୍କ ଆଲୋଚନା ପରେ କରିଡର ପ୍ରକଳ୍ପ ବିବାଦ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *