ଭୁବନେଶ୍ୱର (ଦ କୁଇଭର): ୧୭ ଟଙ୍କାରେ ବଞ୍ଚିବାକୁ ହେଉଛି ଗୋଟିଏ ଦିନ । ସେଥିରେ ଖାଇବା ଠୁ ଆରମ୍ଭ କରି ଔଷଧ ଖର୍ଚ୍ଚ । ଏହାଠୁ ଅଧିକ ନୁହେଁ । ଏହା ହେଉଛି ସରକାରଙ୍କ ସାମାଜିକ କଲ୍ୟାଣ ବ୍ୟବସ୍ଥା । ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାସିକ ୫ଶହ ଟଙ୍କା ପେନସନ ଯୋଗାଇ ଦେଉଛନ୍ତି । ଅର୍ଥାତ୍ ଦିନକୁ ୧୭ଟଙ୍କା ବଞ୍ଚିବା ପାଇଁ ସରକାର ଦେଉଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ମାତ୍ର ୧୭ ଟଙ୍କାରେ ଗୋଟିଏ ଦିନ ଚଳିପାରିବ ତ ଗୋଟିଏ ଲୋକ? ଯଦି ଜଣେ ୬୦ ବର୍ଷୀୟ ବୟସ୍କଙ୍କ ଜୀବନଶୈଳୀ ଦେଖିବା ତେବେ ଏଥିରେ ଔଷଧ ଖର୍ଚ୍ଚ ଅଧିକ ଥାଏ । ଆଜିର ବଜାରରେ ଗୋଟିଏ ଗ୍ୟାସ୍ ଟ୍ୟାବଲେଟର ମୁଲ୍ୟ ହେଲାଣି ୧୨ ଟଙ୍କା । ଥଣ୍ଡା ମେଡିସିନ୍ ୫ଟଙ୍କାରୁ କମରେ ମିଳୁନି । ଟିଟାନସ୍ ଇଞ୍ଜେକ୍ସନ ଟିଏ ନେଲେ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଅନ୍ୟ ମେଡିସିନର ମୂଲ୍ୟ ଦୂରର କଥା । ସରକାର ମାଗଣାରେ ଡାକ୍ତର ସେବା ଯୋଗାପାରନ୍ତି, କିନ୍ତୁ ଔଷଧ ମାଗଣା ଦେଉନାହାନ୍ତି । ଆଉ ଜନଔଷଧି କେନ୍ଦ୍ର ଆଜି ବି ଖାଲି । ୧୭ ଟଙ୍କାରେ ଯଦି ଜଣେ ଦିନକୁ ବଞ୍ଚିବାକୁ ଚାହିଁବ, ସେ ବଞ୍ଚିପାରିବନି । ଦୈନନ୍ଦିନ ଜୀବନକୁ ଯଦି ଦେଖିବା ତେବେ ୧୭ ଟଙ୍କା ନା ଖାଇବାକୁ ହେବ ନା ଔଷଧ କିଣିବାକୁ । ୬୦ ବର୍ଷରୁ ଉଦ୍ଦ୍ୱର୍ ବୟସ୍କଙ୍କୁ ଏମିତି ବଞ୍ଚିବାକୁ ଛାଡ଼ିଦେଇଛନ୍ତି ରାଜ୍ୟ ସରକାର ।

ସାମାଜିକ ସୁରକ୍ଷା ନାଁରେ ବେଶ୍ ଡିଣ୍ଡିମ ପିଟୁଛନ୍ତି ସରକାର । କିନ୍ତୁ ଗୋଟିଏ ବୟସ୍କ ଲୋକକୁ ଦିନକୁ ବଞ୍ଚିବାକୁ ଦେଉଛନ୍ତି ମାତ୍ର ୧୭ ଟଙ୍କା । ଥରେ ଚିନ୍ତା କରନ୍ତୁ, ଆଜିର ମହଙ୍ଗା ଜୀବନରେ କିପରି ଜଣେ ବ୍ୟକ୍ତି ୧୭ ଟଙ୍କାରେ ଜୀବନ ଜିଇଁବ । ସରକାରୀ ହିସାବ ଅନୁସାରେ ମୁଣ୍ଡ ପିଛା ଆୟ ବଢୁଛି । ୨୦୨୧-୨୨ ମସିହାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧ ଲକ୍ଷ ୨୭ ହଜାର ୩୮୩ ଟଙ୍କା ରହିଛି । ଅର୍ଥାତ୍ ମାସକୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ ୧୦ ହଜାର ୬୧୫ । ଯାହା ପ୍ରତିବର୍ଷ ବଢୁଛି । କିନ୍ତୁ ଜଣେ ବ୍ୟକ୍ତି ଜଦି ମାସକୁ ୫୦୦ ଟଙ୍କା ପାଏ, ତେବେ ତାର ଦୈନନ୍ଦିନ ଖର୍ଚ୍ଚ ୧୭ ଟଙ୍କା ଆସିବ । ଯାହା ତାର ଦୈନନ୍ଦିନ ଜୀବନରେ ସମୁଦ୍ରକୁ ଶଙ୍ଖେ ।

ମହଙ୍ଗା ଏତେ ବଢିଛି ଯେ, ମଧ୍ୟବିତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି । ଏହା ଭିତରେ ଜଣେ ୬୦ ବର୍ଷିୟ ବୟସ୍କ ୧୭ ଟଙ୍କାରେ ଗୋଟିଏ ଦିନ କିପରି ଚଳିବ, ତାହା ଏବେ ଚିନ୍ତାର ବିଷୟ । ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି ସତ, କିନ୍ତୁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଏତେ ମହଙ୍ଗା ହୋଇଛି ଯେ, ୧୭ ଟଙ୍କାରେ ଜଣେ ବୟସ୍କ ଗୋଟିଏ ଦିନ ବଞ୍ଚିବା କଷ୍ଟକର ହୋଇଯିବ । ତେଣୁ ସରକାର ହିଁ ଚିନ୍ତା କରନ୍ତୁ ଜଣେ ୬୦ ବର୍ଷର ବୟସ୍କ ୧୭ ଟଙ୍କାରେ କିପରି ଜଣେ ବଞ୍ଚିବ?

Leave a Reply

Your email address will not be published. Required fields are marked *