ବ୍ରଜରାଜନଗର ଉପନିର୍ବାଚନ: ଏଥର ଅମାନତ ଗଲା, ୨୪ରେ ଇଜ୍ଜତ ଯିବ

ବ୍ରଜରାଜନଗର (ଦ କୁଇଭର): ବିଜେପିକୁ ଭାରି ପଡ଼ିଲା ବିଜେଡି ସହ ଚୋରା ପିରତୀ । ଆଗରେ ବିରୋଧ ପଛରେ ପ୍ରେମ କରି ଅମାନତା ହରାଇଲା ବିଜେପି । ବିଜେପି ନେତାଙ୍କ ଦୋମୁହାଁ କାମ ପାଇଁ ଲୋକେ ବରଖାସ୍ତ କରିଦେଲେ । ଅମାନତ ବି ରହିଲାନି । ଲୋକଙ୍କ ଏଭଳି ପ୍ରତ୍ୟାକ୍ଷାନ ଧର୍ମେନ୍ଦ୍ର ବାବୁଙ୍କ ପାରିବାପଣିଆ ପ୍ରତି ପ୍ରଶ୍ନ ଉଠାଇଛି । ଓଡ଼ିଶାରେ ବିଜେପି ଶାସନ ପାଇଁ ସ୍ୱପ୍ନ ଦେଖୁଥିବା ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟମାନେ ଏଭଳି ପ୍ରତ୍ୟାଖ୍ୟାନ କୁ ଗ୍ରହଣ କରିବା ଛଡ଼ା ବିକଳ୍ପ ପାଉନାହାନ୍ତି । ସେଥିପାଇଁ ଜନାଦେଶକୁ ସ୍ୱୀକାର କରୁଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆମେ ଏଠି ମନେପକାଇଦେବାକୁ ଚାହୁଁଛୁ ୨୦୧୯ ନିର୍ବାଚନ ପୂର୍ବର କଥା । ବିଜେପିର ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅମିତ ଶାହାଙ୍କ ପର୍ଯ୍ୟନ୍ତ । ଜେପି ନଡ୍ଡାଙ୍କ ଠାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ, ସମସ୍ତେ ଆସି ବିଜେଡିକୁ କଡା ସମାଲୋଚନା କରିଥିଲେ ଓ ବିଜେଡିକୁ ଗାଦିଚ୍ୟୁତ କରିବାକୁ ଲାଗିପଡ଼ିଥିଲେ । ନବୀନ ସରକାରଙ୍କୁ ହଟାଇବା ପାଇଁ ସବୁ ବଳ କୌଶଳ ଲଗାଇଦେଇଥିଲେ । ହେଲେ ସବୁ ବଳକୌଶଳ ଫେଲ୍ ମାରିଲା । ନବୀନ ହଟିଲେନି । କିନ୍ତୁ ବିଜେପିର କଳେବର ଟିକେ ବଢିଲା । ୨୦୧୪ ରେ ୧୦ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ତାହା ବୃଦ୍ଧି ପାଇଁ ୧୩ରେ ପହଞ୍ଚିଥିଲା । ଏବଂ ଓଡ଼ିଶାରେ ବିରୋଧୀ ଦଳର ମାନ୍ୟତା ପାଇଥିଲା । ଫଳରେ ୨୦୨୪ରେ ସରକାର ଗଠନ କରିବ ବୋଲି ବିଜେପି ଆଶାବାଦୀ ହେଲା । ହେଲେ ଏ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ୨୦୧୯ ପୂର୍ବରୁ ବିଜେଡିକୁ କଡା ଟକ୍କର ଦେଉଥିବା ବିଜେପି ହଠାତ୍ ହାତ ଟେକିଦେଲା । ବିଜେଡି ଆଗରେ ଅସ୍ତ୍ର ଛାଡ଼ିଦେଲା ଓ ଆଣ୍ଠୁ ମାଡ଼ିଦେଲା । ବିଜେଡ଼ିର ପ୍ରତି କଥାରେ ହଁ ମାରିଲା ।

କେତେବେଳେ ନବୀନ ନିବାସରେ ବିଜେପି ନେତାମାନେ ଭୋଜନ କଲେ ତ ଆଉ କେତେବେଳେ ନବୀନ ସରକାରଙ୍କୁ ପ୍ରଶଂସା କଲେ । କର୍ମୀମାନଙ୍କୁ ଛାଡ଼ି ଭିତରେ ସଲାସୁତୁରା କରୁଥିବା ବିଜେପି ତଳସ୍ତରରୁ କଟି କଟି ଗଲା । ଏହି ଚୋରା ପିରତୀ ପାଇଁ ବିଜେପିର କୌଣସି ନେତା ରାଜ୍ୟବାସୀଙ୍କ ପାଖରେ ଗ୍ରହଣୀୟ ହୋଇପାରିଲେନାହିଁ । ବିଜେଡି ପ୍ରତି ବିଜେପିର ଏହି ଚୋରାପ୍ରେମର ଫଳ ବ୍ରଜରାଜନଗରରେ ବିଜେପିକୁ ତାର ସ୍ଥିତି ଦେଖାଇଦେଲା । ଅମାନତ ବି ରହିଲାନି । ତେଣୁ ଏବେଠୁ ଯଦି ବିଜେପି ଚିନ୍ତା ନ କରେ । ୨୦୨୪ରେ ଇଜ୍ଜତମହତ ବି ପଳେଇବ । ୨୦୧୯ରେ ବିରୋଧୀ ଦଳର ଆସନ ପାଇଥିବା ବିଜେପି, ତାକୁ ବି ହରାଇବ ।

Leave a Reply

Your email address will not be published. Required fields are marked *