Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସମ୍ପୂର୍ଣ୍ଣ ସ୍ୱଚ୍ଛ କି ନବୀନ ?

ଭୁବନେଶ୍ୱର (ଦ କୁଇଭର): ନବୀନ ତାଙ୍କ କୁର୍ତ୍ତାରୁ ଧୂଳି ଝାଡ଼ିଲେ । ହେଲେ ସମ୍ପୂର୍ଣ୍ଣ ଝଡ଼ିଲାନି । ଆଜି ବି କିଛି କିଛି ଧୂଳି ଲାଗିଛି । ଯାଜପୁର, ଝାରସୁଗୁଡ଼ା ଓ ଗଞ୍ଜାମ । ଏହି ୩ଟି ଜିଲ୍ଲାର ମଳଛିଆ ମନ୍ତ୍ରୀଙ୍କୁ ପୁଣି ନବୀନ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ରଖିଛନ୍ତି । ଯଦିଓ ପୂର୍ବରୁ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଭଳି କିଛି ଦାଗୀ ମନ୍ତ୍ରୀଙ୍କୁ ତଡ଼ିଛନ୍ତି । କିନ୍ତୁ ଏ ୩ ମଳିଛିଆଙ୍କୁ ରଖିଲେ କାହିଁକି? ଏମାନଙ୍କୁ ରଖିବା ପଛରେ କାରଣ କ’ଣ? ଏଥିରୁ ସ୍ପଷ୍ଟ ହେଉଛି ଯେ, ସମ୍ପୂର୍ଣ୍ଣ ସ୍ୱଚ୍ଛ ନୁହଁନ୍ତି ନବୀନ । ଏକଥା ଆମେ କହୁନୁ, ଏକଥା କହିଛନ୍ତି, ମନ୍ତ୍ରୀ ପଦ ହରେଇଥିବା କିଛି ନେତାଙ୍କ ସମର୍ଥକ । ଯଦି ଦାଗି ବୋଲି ୪ଜଣଙ୍କୁ ମନ୍ତ୍ରୀଙ୍କୁ ବିଦା କଲେ, ତେବେ ସେ ୩ଜଣଙ୍କୁ କାହିଁକି ରଖିଲେ? ଏହା ଏବେ ପ୍ରଶ୍ନବାଚୀ ।

ଆମେ ଏଠି କହିରଖୁ କି, ଦୀର୍ଘଦିନ ଧରି ଏହି ୪ଜଣ ବିବାଦୀୟ ମନ୍ତ୍ରୀଙ୍କୁ ବିଦା କରିବାକୁ ଅନେକ ଦାବି ହେଉଥିଲା । ସାରା ରାଜ୍ୟ ହୁଲୁସ୍ତୁଲୁ ହେଉଥିଲା । କିନ୍ତୁ ସେମାନଙ୍କୁ ସେତେବେଳେ ବିଦା ନ କରି ଏବେ ବିଦା କରିବା ପଛରେ କାରଣ କ’ଣ? ଯେହେତୁ ଆଗକୁ ୨୦୨୪ ନିର୍ବାଚନ ଆସୁଛି, ଯେଉଁଥିପାଇଁ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳକୁ ନବକଳେବର କରିଛନ୍ତି । କାରଣ ନବୀନ ଜାଣିସାରିଲେଣି, ଏହି ୪ଜଣ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଚାଲିଲେ ଆଗକୁ ତାଙ୍କ ପାଇଁ ବିପଦ ହୋଇପାରେ । ତେଣୁ ସେମାନଙ୍କୁ ବିଦା କଲେ । କିନ୍ତୁ ଏହି ୩ଜଣ ଦାଗୀଙ୍କୁ ପୁଣି କାହିଁକି ମନ୍ତ୍ରୀମଣ୍ଡଳରେ ରଖିଲେ । ଏହି ୩ଜଣଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି?

ଯଦି ଆମେ ଏହି ୩ଜଣଙ୍କ କଳାଦାଗ ଦେଖିବା ତେବେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଯିଏ ପୂର୍ବ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱରେ ଥିଲେ । ଏଥର ମଧ୍ୟ ତାଙ୍କୁ ସମାନ ମନ୍ତ୍ରୀ ପଦ ମିଳିଛି । ଯାହାଙ୍କ ନାଁରେ କୋଭିଡ ସମୟରେ ମାସ୍କ ଘୋଟାଲର ବଡ଼ ଅଭିଯୋଗ ରହିଛି । ଏହାସହ ନିଜ ରୋଷେୟାଙ୍କ ମୃତ୍ୟୁକୁ ନେଇ ବିବାଦ ଘେରକୁ ମଧ୍ୟ ସେ ଆସିଥିଲେ । ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବାକୁ ପ୍ରବଳ ଦାବି ହୋଇଥିଲା । କିନ୍ତୁ ତାଙ୍କୁ ବିଦା କରିବା ପରିବର୍ତ୍ତେ ତାଙ୍କୁ ପୁଣି ଥରେ ପୁରସ୍କାର ଦେଲେ । ଉପର ମହଲାରୁ ଯାହା ଖବର ମିଳୁଛି ନବ ବାବୁଙ୍କ ପଛରେ ଶିଳ୍ପପତିଙ୍କ ଲବି ଥାଇପାରେ । କାରଣ ଝାରସୁଗୁଡ଼ାରେ ଜିଲ୍ଲାରେ ଶିଳ୍ପ ମାଧ୍ୟମରେ ପରିବେଶକୁ ସେ ଯେତେ ପ୍ରଦୂଷଣ କଲେ ବି ନବୀନ ତାଙ୍କୁ ସବୁବେଳେ ଛତ୍ରଛାୟା ତଳେ ରଖୁଛନ୍ତି ।

ଅନ୍ୟପଟେ ଲାଗତର ସୁବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହିଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେ ଯାହା ବି କଲେ କ୍ଷମତାରେ ରହିବେ । ପାରଳାଖେମୁଣ୍ଡି ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିକ୍ରମ କେଶରୀ ଆରୁଖଙ୍କ ନାଁ ବେଶ ବିବାଦୀୟ ହୋଇଥିଲା । ତାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବିଦା କରିବା ପାଇଁ ଦାବି ହେଉଥିଲା । କିନ୍ତୁ ତାଙ୍କୁ ବିଦା କରିବା ପରିବର୍ତ୍ତେ ଜଙ୍ଗଲ ବିଭାଗ, ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ଦେଇଥିଲେ । ଆଉ ଏବେ ବାଚସ୍ପତି କରି ଉପହାର ଦେବାକୁ ଯୋଜନା କରିଛନ୍ତି ।

କାରଣ ବିକ୍ରମ ନବୀଙ୍କ ପ୍ରତି ବେଶ୍ ଆନଗତ୍ୟ ଦେଖାନ୍ତି, ସେହି ଆନୁଗତ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥାଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ପ୍ରମିଳା ମଲ୍ଲିକଙ୍କୁ କିପରି ମନ୍ତ୍ରୀ ପଦ ମିଳିଲା । ପୂର୍ବରୁ ଡାଲି ଘୋଟାଲା ଠାରୁ ଆରମ୍ଭ କରି ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ବିବାଦ ଘେରରେ ଥାଆନ୍ତି । ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରିବା ପଛରେ କ’ଣ ରହିଛି କାରଣ । ସରକାର ଦାବି କରୁଛନ୍ତି ଯେ, ସବୁ ବିବାଦୀୟ ଓ ଦାଗୀ ମନ୍ତ୍ରୀଙ୍କୁ ବିଦା କରି ନିଜ ଜାମାରୁ ଧୂଳି ଝାଡ଼ୁଛନ୍ତି । ତହେଲେ ସବୁ ଧୂଳି କାହିଁକି ଝାଡ଼ୁନାହାନ୍ତି?

Exit mobile version