ପୁରୀ (ଦ କୁଇଭର): ସତ କହିଲେ ପାଗଳ କରିଦେବେ ଏ ସରକାର । ନା ବଞ୍ଚିବାକୁ ଦେବେ ନା ମରିବାକୁ । ଦହଗଞ୍ଜ କରି ଜୀବନକୁ ନର୍କ କରିଦେବେ । ଅତୀତରେ ଏମିତି କଥା ତ ଅନେକ ଘଟିଛି । ହେଲେ ଆମେ କହୁଛୁ, ସଦ୍ୟ ଘଟିଥିବା ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କ କଥା । ପୋଲିସ ଆଉ ମଦ ବେପାରୀଙ୍କ ବଟି କାରବାରକୁ ପ୍ରଥମେ ସେ ପର୍ଦ୍ଦାଫାସ କରିଦେଲେ । ସବୁ ସତ ଓଗାଳିଦେଲେ । ମଦ ମାଫିଆଙ୍କ ଠାରୁ ବଟି ନେଇ ଅବକାରୀ ଅଫିସରମାନେ କିପରି ଲାଭବାନ ହେଉଛନ୍ତି, ଉପର ଅଫସିରଙ୍କୁ କିପରି ତେଲ ମାରି ପଦବୀ ରଖୁଛନ୍ତି, ସେକଥା ବି ଚିଠି ମାଧ୍ୟମରେ କହିଦେଲେ । ମଦ ମାଫିଆ ଓ ପୋଲିସର ଏହି ମଧୁଚନ୍ଦ୍ରିକା କଥା ପୋଲିସ ବିଭାଗର ଛୋଟ ଠାରୁ ବଡ଼ ଅଫିସରମାନେ ନ ମାନିଲେ ବି ଭିତରେ ଭିତରେ ଝୁଣି ହେଉଛନ୍ତି । କିନ୍ତୁ ଏଭଳି ଚାଞ୍ଚଲ୍ୟକର ସତ ପଦାକୁ ଆଣିଥିଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ।

ସେ ଏହି ପ୍ରତିକ୍ରିୟା ଦେବାର କେଇ ଘଣ୍ଟା ପରେ ହଠାତ୍ ତାଙ୍କୁ ପାଗଳର ଆଖ୍ୟା ଦିଆଗଲା । ସେ ଜଣେ ମାନସିକ ସନ୍ତୁଳନ ହରାଇଥିବା ବ୍ୟକ୍ତି ବୋଲି କୁହାଗଲା । ମେଡିସିନ୍ ଖାଇବା ଛାଡ଼ିଦେଇଥିବାରୁ ଏଭଳି ପାଗଳାମି କରୁଛନ୍ତି । ଏହା ଆଉ କେହି ନୁହଁ ଏକ ଦାୟିତ୍ୱ ସମ୍ପନ୍ନ ପୁରୀ ଅବକାରୀ ସୁପରିଟେଣ୍ଡେଣ୍ଟ କହିଛନ୍ତି । ତାହାର କିଛି ଘଣ୍ଟା ଭିତରେ ନିଚ୍ଛକ ସତକୁ ପଦାକୁ ଆଣିଥିବା ଅପକାରୀ ଇନ୍ସପେକ୍ଟର ଓ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ତାଙ୍କୁ ମୁଣ୍ଡ ଠିକ୍ ନଥିବା କଥା କହିଛନ୍ତି । ଆଉ ସେ କହିଛନ୍ତି, ସେ ଯାହା କହିଛନ୍ତି ଭୁଲ କହିଛନ୍ତି, ମାନସିକ ସ୍ଥିତି ଠିକ୍ ନଥିବାରୁ ସେ କ’ଣ କହିଛନ୍ତି, ଜାଣିନାହାନ୍ତି । ଆଉ ଯାହା ବି କହିଛନ୍ତି, ସେଥିପାଇଁ ତାଙ୍କ ଭୁଲ ବି ସ୍ୱୀକାର କରିଛନ୍ତି ।

ପ୍ରଶ୍ନ ଉଠୁଛି, ଯଦି ସେ ମାନସିକ ସ୍ଥିରରେ ସେ ଦୁର୍ବଳ, ତେବେ ସରକାର ତାଙ୍କୁ ଏପର୍ଯ୍ୟନ୍ତ ଚାକିରୀରେ ରଖିଛନ୍ତି କାହିଁକି? ଅବକାରୀ ସୁପରିଟେଣ୍ଡେଣ୍ଟ ଯଦି ସେ ପାଗଳ ବୋଲି ଜାଣିଥିଲେ, ତେବେ ତାଙ୍କୁ ନିଲମ୍ବନ କରିନଥିଲେ କାହିଁକି? କିମ୍ବା ନିଲମ୍ବନ କରିବା ପାଇଁ ସରକାରଙ୍କୁ ସୁପାରିସ କରିନାହାନ୍ତି କାହିଁକି? ଯଦି ସେ ପାଗଳ ବୋଲି ନିଜେ ମାନୁଛନ୍ତି, ତେବେ ସେ ସରକାରଙ୍କୁ ଅତି ନିଖୂଣ ଭାବେ ପୋଲିସର ବଟି କଥାକୁ ଚିଠିରେ ଦର୍ଶାଇଥିଲେ କିପରି? ସେ ଯାହା କହିଛନ୍ତି, ତାହା ଶତ ପ୍ରତିଶତ ସତ ବୋଲି ମଦ ଦୋକାନ ଆଗରେ ମଦ ବୋତଲ ଗୋଟାଉଥିବା ପିଲାମାନେ ବି କହୁଛନ୍ତି । କିପରି ସତ କହିଲେ ପାଗଳ କରିଦିଅନ୍ତି, ତାହା ଏହି ଘଟଣାରୁ ଜଣାପଡ଼ୁଛି । ଏଇ ତ ଉଦାହରଣ ମାତ୍ର । ଏସରକାରରେ ଯଦି ସତ କହିବେ, ତାହେଲେ ପାଗଳ କରିଦେବେ, ନହେଲେ ସତ କୁ ମିଛରେ ପରିଣତ କରାଇଦେବେ । ଯାହାର ଆଉ ଏକ ନମୁନା ହେଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ । ଯେଉଁଥିରେ ଭୁଲ ଟାକୁ ବି ଠିକ୍ ବୋଲି ପ୍ରମାଣିତ କରିଦେଲେ ଏ ସରକାର ।

Leave a Reply

Your email address will not be published. Required fields are marked *