ଚିଟଫଣ୍ଡ: ଚିଟରଙ୍କ ସୁରକ୍ଷା ପାଇଁ ସରକାର

ଭୁବନେଶ୍ୱର (ଦ କୁଇଭର): ସରକାର ଚୁପ୍, ଗରିବଙ୍କ ଟଙ୍କା ନେଇ ମାଲେମାଲ୍ ଚିଟଫଣ୍ଡ କମ୍ପାନୀର ମାଲିକମାନେ । ଏହି ପ୍ରସଙ୍ଗରେ ରାଜନୀତି କରି କିଛି ନେତା ବି ବେଶ୍ ଫାଇଦା ପାଇଲେ । କିନ୍ତୁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଦୁଃଖ କେହି ଦେଖିଲେ ନାହିଁ । କ୍ଷତିଗ୍ରସ୍ତଙ୍କ ସାଙ୍ଗରେ ନୁହେଁ । ଚିଟରଙ୍କ ସାଙ୍ଗରେ ଅଛନ୍ତି ସରକାର । କମ୍ ଦିନରେ ଅଧିକ ଆୟ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ ପାଖରୁ ଠକିନେଲେ ଅନେକ କମ୍ପାନୀ । ଏହାକୁ ନେଇ ବହୁ ବାଦ ବିବାଦ ପରେ ସରକାର ଅନୁକମ୍ପା ଦେଖାଇଲେ, ଚିଟ୍ଫଣ୍ଡ କମ୍ପାନୀର ମାଲିକମାନଙ୍କୁ ଧରିବାକୁ କହିଲେ । କିନ୍ତୁ ତାହା କେତେ ସଫଳ ହୋଇଛି, ତାହା ସମସ୍ତେ ଜାଣିଛନ୍ତି । ସମୟ ଏମିତି ଥିଲା ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଚିଟ୍ଫଣ୍ଡ ସଂସ୍ଥାର ମାଲିକମାନଙ୍କ ସହ ମିଶି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ । ଲୋକଙ୍କ ମନରେ କମ୍ପାନୀମାନଙ୍କ ପ୍ରତି ଏକ ଭରଷା ସୃଷ୍ଟି କଲେ । ଏମାନେ ଚିଟଫଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ପାଲଟିଗଲେ । ଯାହାର ସୁଯୋଗ ନେଇ ସେମାନେ ଲୁଟିବା ଆରମ୍ଭ କଲେ । କିନ୍ତୁ ଏହି ଶୋଷଣ ଯେତେବେଳେ ପଦାକୁ ଆସିଲା । ସେତେବେଳେ ବି ସରକାର ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଲେନି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ତଦନ୍ତ ଆରମ୍ଭ ହେଲା । କେନ୍ଦ୍ର ସରକାର ଏହି ମାମଲାରେ ହସ୍ତକ୍ଷେପ କଲେ ।

ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଏକ ଇଓଡବ୍ଲ୍ୟୁ ଗଠନ କଲେ । ସେ ବି ତଦନ୍ତ କଲା । କିନ୍ତୁ ତଦନ୍ତରେ କୌଣସି ବି ଚିଟଫଣ୍ଡ୍ ସଂସ୍ଥାର ମାଲିକମାନଙ୍କୁ ଗିରଫ କରାଗଲା ନାହିଁ । ତା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇ ସେହି ସମୟରେ ବେଶ୍ ଆକ୍ଟିଭ୍ ରହିଲା । ଏପରିକି କିଛି ଚିଟଫଣ୍ଡ ମାଲିକଙ୍କୁ ଗିରଫ ବି କଲା । ତା ପରେ ସିବିଆଇକୁ ୟୁଜ୍ କଲେ କେନ୍ଦ୍ର ସରକାର । ମନଇଚ୍ଛା ସେମାନଙ୍କ ସୁବିଧା ଅନୁଯାୟୀ, ଗିରଫ କରାଗଲା ଓ ଛଡ଼ାଗଲା । ଯେତେବେଳେ ସବୁଠି ବିରୋଧର ସ୍ୱର ଉଠିଲା । ସେତେବେଳେ ଏହାର ସୁଯୋଗ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି କିଛି ଲୋକ ନେତା ବି ପାଲଟିଗଲେ । ବହୁ ହିତାଧିକାରୀଙ୍କ ଜମାଟଙ୍କା ଦାବି କରି ସରକାରଙ୍କ ସହ ମୂଲଚାଲ ବି କରିଦେଲେ । ସରକାର ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ୨୦୧୯ ନିର୍ବାଚନ ପୂର୍ବରୁ ଘୋଷଣା କଲେ ଯେ, କର୍ପସ ପାଣ୍ଠି ହେବ । ଆଉ ସେଥିରୁ ସ୍ୱଳ୍ପ ଜମାକକାରୀଙ୍କୁ ଟଙ୍କା ଫେରସ୍ତ କରାଗଲା । କର୍ପଶ ପାଣ୍ଠି ଗଠନ ହେଲା ସତ । କିନ୍ତୁ କ୍ଷତିଗ୍ରସ୍ତଙ୍କ ପାଖରେ ଟଙ୍କା ପହଞ୍ଚିପାରିଲା ନାହିଁ ।

ଏବେ କିନ୍ତୁ ସମସ୍ତେ ଭୁଲିଗଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ । ଲୋକଙ୍କ ପାଖରୁ ଟଙ୍କା ନେଇଥିବା ଏଜେଣ୍ଟ ମାନେ ଘର ବାଡି ବିକ୍ରି କରି ଏବେ ଟଙ୍କା ଫେରସ୍ତ କରୁଛନ୍ତି । ଅନେକ କ୍ଷତିଗ୍ରସ୍ତ ଘରବାଡି ବିକ୍ରି କରି ଟଙ୍କା ଜମା କରିଥିଲେ, ଆଶା ରଖିଥିଲେ ଅଧିକ ମାତ୍ରାରେ ଟଙ୍କା ପାଇବେ । କିନ୍ତୁ ଏବେ ସେ ତଳିତଳାନ୍ତ ହୋଇଯାଇଛନ୍ତି । କେବଳ ମାଲେମାଲ ହେଉଛନ୍ତି ବେପାରୀମାନେ । ଆଉ ତାଙ୍କ ପାଖରୁ ପିସି ନେଇଥିବା ସରକାରୀ ନେତା ଓ ମନ୍ତ୍ରୀ ବାବୁ ମାନେ ଏବେ ସମସ୍ତେ ଚୁପ୍ । ଏବେ ଦେହସୁଆ ହୋଇଗଲାଣି । କ୍ଷତିଗ୍ରସ୍ତଙ୍କ କ୍ଷତ ବି ଭରଣା ହୋଇଗଲାଣି । ଆଉ ଗିରଫ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ଜାମିନରେ ଯାଇ ତାଙ୍କ ଦୈନନ୍ଦିନ ଜୀବନ ବି ଜିଁଲେଣି । ସରକାର ନିରବ ହୋଇଗଲେ, କ୍ଷତିଗ୍ରସ୍ତ ତଳିତଳାନ୍ତ ହୋଇଗଲେ । କିନ୍ତୁ ଏବେ ଏଥିପ୍ରତି କାହାର ଦୃଷ୍ଟି ନାହିଁ ।

Leave a Reply

Your email address will not be published. Required fields are marked *