ବଢିଲା ରେପୋ ରେଟ୍, ମହଙ୍ଗା ହେବ ଋଣ

(ଦ କୁଇଭର ବ୍ୟୁରୋ): ଦେଶରେ ବେଲଗାମ୍ ହୋଇପଡିଛି ଦରଦାମ୍ । ଇନ୍ଧନ ଠାରୁ ପନିପରିବା ଯାଏଁ ସବୁକିଛି ଦାମ୍ ଆକାଶଛୁଆଁ ରହିଛି । ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ବଢାଇଛି ରେପୋ ରେଟ୍ । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ଆଜି ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ବର୍ତ୍ତମାନ ରେପୋ ରେଟ୍ ୪.୪୦ ପ୍ରତିଶତରୁ ବଢି ୪.୯୦ ପ୍ରତିଶତ ହୋଇଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ଗତ ମେ ମାସରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା । ରେପୋ ରେଟ୍ ପୁଣି ବଢିବା ପରେ ସବୁ ଋଣ ଆହୁରି ମହଙ୍ଗା ହେବ । ଲୋକଙ୍କ ଉପରେ EMI ବୋଝ ବଢିବ । ସେହିପରି ବର୍ତ୍ତମାନ ସମୟରେ ମହଙ୍ଗା ମାଡରୁ ଆଶ୍ବସ୍ତି ପାଇବେ ନାହିଁ ସାଧାରଣ ଲୋକେ । ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ମଧ୍ୟ ବୃଦ୍ଧି କରିଛି । ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବ ବୋଲି କହିଛି ଆରବିଆଇ ।

ଅନ୍ୟପଟେ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟରେ ପୁନର୍ବାର ଭାରତର ଆର୍ଥିକ ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି ବିଶ୍ବ ବ୍ୟାଙ୍କ । ପୂର୍ବରୁ ବିଶ୍ବ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮.୭ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ କରିଥିଲା । ଏବେ ପୁଣି ଅଭିବୃଦ୍ଧି ୭.୫ ପ୍ରତିଶତ ରହିବା ନେଇ ଆକଳନ କରିଛି । ବିଶ୍ବର ପ୍ରମୁଖ ରେଟିଂ ଏଜେନ୍ସିଂ ଗୁଡିକ ମଧ୍ୟ ଭାରତ ପାଇଁ ନିଜ ଅଭିବୃଦ୍ଧି ଆକଳନରେ ସଂଶୋଧନ କରିଛି । ମୁଦ୍ରାସ୍ଫୀତି ପ୍ରଭାବରେ ଭାରତର ଅଭିବୃଦ୍ଧି ୯.୧ ପ୍ରତିଶତ ନୁହେଁ ୮.୮ ପ୍ରତିଶତ ରହିବ ବୋଲି କହିଛି ମୁଡିସ୍ । ସେହିପରି ଫିଚ୍, ଆଇଏମଏଫ ମଧ୍ୟ ନିଜ ଆକଳନକୁ ହ୍ରାସ କରିଛନ୍ତି ।

Leave a Reply

Your email address will not be published. Required fields are marked *