ବିଭ୍ରାନ୍ତିକର ବିଜ୍ଞାପନ ଉପରେ କେନ୍ଦ୍ର ସରକାରଙ୍କ କଠୋର ଆଭିମୁଖ୍ୟ, ଜାରିହେଲା ନୂଆ ଗାଇଡଲାଇନ୍

(ଦ କୁଇଭର ବ୍ୟୁରୋ): ସେଣ୍ଟ୍ରାଲ୍ କନ୍ଜୁମର୍ ପ୍ରୋଟେକ୍ସନ୍ ଅଥରିଟି (ସିସିପିଏ) ବିଜ୍ଞାପନ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ବିଭ୍ରାନ୍ତିକର ବିଜ୍ଞାପନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସରକାର ଅନେକ କମ୍ପାନୀ ବିରୋଧରେ ଦଣ୍ଡନୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ସହିତ ସରକାର ଶୁକ୍ରବାର ଦିନ ପିଲାମାନଙ୍କୁ ଟାର୍ଗେଟ କରିବା ଏବଂ ଗ୍ରାହକମାନଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା ଦାବି କରିବା ସହିତ ବିଭ୍ରାନ୍ତିକର ବିଜ୍ଞାପନଗୁଡିକୁ ଯାଞ୍ଚ କରିବା ପାଇଁ ନୂଆ ଗାଇଡଲାଇନ୍ ଲାଗୁ କରିଛନ୍ତି ।

ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ପ୍ରଡକ୍ଟରେ ନମିଳିଲେ, ସେହି ବିଜ୍ଞାପନକୁ ବିଭ୍ରାନ୍ତିକର ବିଜ୍ଞାପନ କୁହାଯିବ । ସେହିପରି ଯେଉଁ ବିଜ୍ଞାପନ ଏହାର ଡିସକ୍ଲେମର୍ ଠାରୁ ଭିନ୍ନ ହୋଇଥିଲେ ଏହାକୁ ମଧ୍ୟ ବିଭ୍ରାନ୍ତିକର ବିଜ୍ଞାପନ ବୋଲି ଧରାଯିବ । ଏହା ବ୍ୟତୀତ କୌଣସି ବିଜ୍ଞାପନରେ କୌଣସି ସେଲିବ୍ରିଟି କରୁଥିବା ଦାବି ସତ୍ୟ ହୋଇନଥିଲେ, ସେହି ବିଜ୍ଞାପନ ମଧ୍ୟ ବିଭ୍ରାନ୍ତିକର ଶ୍ରେଣୀରେ ଆସିବ । ସିସିପିଏ ପକ୍ଷରୁ ଏହା ମଧ୍ୟରେ ୧୧୭ଟି ନୋଟିସ୍ ଜାରି କରାଯାଇଛି ।

ଏହା ମଧ୍ୟରୁ ୫୭ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ, ୪୭ ଅନଫେୟାର୍ ଟ୍ରେଡ୍ ପ୍ରାକ୍ଟିସ୍ ପାଇ ଏବଂ ୯ଟି କଞ୍ଜ୍ୟୁମର ରାଇଟ୍ସ ପାଇଁ ଜାରି କରାଯାଇଛି । ଅନ୍ୟପକ୍ଷରେ ପ୍ରଡକ୍ଟ ସମ୍ପର୍କରେ ସିଧା କୁହାନଯାଇ ସେହିପରି ପ୍ରଡ଼କ୍ଟ କିମ୍ବା ସମ୍ପୂର୍ଣ୍ଣ ଭିନ୍ନ ପ୍ରଡ଼କ୍ଟ ଭାବେ ବିଜ୍ଞପିତ କରାଯିବାକୁ ସରୋଗେଟ୍ ବିଜ୍ଞାପନ କୁହାଯାଏ । ଏହା ମଧ୍ୟରେ ମଦ୍ୟ, ତମାଖୁ ପ୍ରଭୃତି ପ୍ରଡ଼କ୍ଟର ବିଜ୍ଞାପନ ସାମିଲ । ମଦ ଅନେକ ସମୟରେ ମ୍ୟୁଜିକ୍ ସିଡି କିମ୍ବା ସୋଡ଼ା ରୂପରେ ବିଜ୍ଞପିତ କରାଯାଇଥାଏ । ମଦ, ସିଗାରେଟ୍ ଓ ପାନମସଲାର ବିଜ୍ଞାପନ ଉପରେ ବ୍ୟାନ୍ ଲାଗୁ ହୋଇଥିବା ବେଳେ ଏହାର ବିଜ୍ଞାପନ ପାଇଁ ସରୋଗେଟ୍ ବିଜ୍ଞାପନର ସହାୟତା ନିଆଯାଇଥାଏ ।

ଗାଇଡ୍ ଲାଇନ୍‌ରେ ମାନ୍ୟୁଫାକ୍‌ଚରର୍ ଏବଂ ସର୍ଭିସ ପ୍ରେଭାଇଡର୍‌ଙ୍କୁ ନିମନ୍ତେ କେତେକ କର୍ତ୍ତବ୍ୟ ନିଶ୍ଚିତ କରାଯାଇଛି । ଏହି ଅନୁସାରେ ମାନ୍ୟୁଫାକ୍‌ଚରର୍ ନିଜ ପ୍ରଡ଼କ୍ଟ ସମ୍ପର୍କରେ ସଠିକ୍ ସୂଚନା ଦେବେ । ସେହିପରି ଯେଉଁ ଆଧାରରେ ଦାବି କରାଯିବ, ତାହା ସୂଚନା ମଧ୍ୟ ଦେବାକୁ ପଡ଼ିବ ।

ଭ୍ରାମକ ବିଜ୍ଞାପନ ପାଇଁ ମାନ୍ୟୁଫାକ୍‌ଚରର୍, ଆଡ୍‌ଭାଇଡର୍ସ ଏବଂ ଏଣ୍ଡୋସର୍ସଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା କରାଯିବ । ପରେ ଉଲ୍ଲଂଘନ ପାଇଁ ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା ହୋଇପାରେ । କର୍ତ୍ତୃପକ୍ଷ ବିଭ୍ରାନ୍ତିକର ବିଜ୍ଞାପନର ଏଣ୍ଡୋସର୍‌ଙ୍କୁ ଏକବର୍ଷ ବ୍ୟାନ୍ ମଧ୍ୟ କରିପାରିବେ । ପରେ ଏହାର ଉଲ୍ଲଂଘନ ପାଇଁ ଏହି ବ୍ୟାନ୍‌କୁ ୩ବର୍ଷ ପର୍ୟ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହି ନିୟମ ଉପଭୋକ୍ତାଙ୍କୁ ଭ୍ରାମକ ବିଜ୍ଞାପନ ବିରୋଧରେ ଅଭିଯୋଗ କରିବାର ଅଧିକାର ମଧ୍ୟ ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *