ଅସନ୍ତୁଷ୍ଟଙ୍କ ବିକଳ୍ପ ହୋଇପାରେ ବିଜେପି

ଭୁବନେଶ୍ୱର (ଦ କୁଇଭର): ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଏବେ ଗୁମୁରୁଛି ଅସନ୍ତୋଷ । ମନ୍ତ୍ରୀ ପଦ ହରାଇଥିବା ଓ ଫେଲ୍ ମାରିଥିବା ଆଶାୟୀ ଏକଜୁଟ୍ ହେଉଛନ୍ତି । ବିକଳ୍ପ ରାସ୍ତା ଖୋଜୁଛନ୍ତି । ବିଜେପିକୁ ବିକଳ୍ପ କରିବେ ନା ବିଜେଡିରେ ଆତ୍ମଘାତି କରିବେ, ସେଇ ଯୋଜନାରେ ଲାଗିଛନ୍ତି । ଯଦି ସୁଯୋଗ ମିଳେ ବିଜେପିକୁ ବିକଳ୍ପ ଭାବେ ବାଛିନେବା ପାଇଁ, କିଛି ପୁରୁଣା ନେତା ଯୋଜନା ଚଳାଇଲେଣି । ବିଜେପିର ଓଡ଼ିଶା ମୁଖିଆ ଧର୍ମେନ୍ଦ୍ର ବାବୁଙ୍କ ସହିତ ତାଙ୍କର ଭିତିରିଆ ଯୋଗାଯୋଗ ବି ଚାଲିଲାଣି । ଏକଥା ଆମେ କହୁନୁ, ସେମାନଙ୍କ ସମର୍ଥକମାନେ କହିବା ଆରମ୍ଭ କଲେଣି ।

ଅସନ୍ତୁଷ୍ଟ ତାଲିକାରେ ଅନେକ ନେତାଙ୍କ ନାଁ ଅଛି । ଯଦି ନୟାଗଡ଼ ଜିଳ୍ଲାକୁ ଆଗ ଲକ୍ଷ୍ୟ କରିବା, ତେବେ ଅସନ୍ତୁଷ୍ଟ କାଳେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ନା ଚର୍ଚ୍ଚା ହେଉଛି । ସେହି ଜିଲ୍ଲାର ଆଉ ଜଣେ ପୁରୁଖା ବିଧାୟକ, ଯିଏ ମନ୍ତ୍ରୀ ପଦ ପାଇବାକୁ ସଜବାଜ ହୋଇଥିଲେ, ସେ କାଳେ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ମନ୍ତ୍ରୀପଦ ନମିଳିବାରୁ ସେ ବି ମୁହଁ ଫେଣ୍ଡେରା କରି ବସିଛନ୍ତି । ଏହି ଦୁଇ ନେତାଙ୍କ ମଧ୍ୟରେ କାଳେ ଏକ ଗଠବନ୍ଧନ ଆରମ୍ଭ ହୋଇଛି । ଯଦି ଅରୁଣ ସାହୁଙ୍କ କଥାକୁ ତର୍ଜମା କରିବା, ତାଙ୍କର ବିଜେପି ଓଡ଼ିଶା ମୁଖିଆଙ୍କ ସହ ବେଶ୍ ଭଲ ସମ୍ପର୍କ । ଦୁହେଁ ବାଣୀବିହାର ଗୋଟିଏ ବ୍ୟାଚର ଛାତ୍ର ।

ଆଲୁମିନିରେ ସକ୍ରିୟ ସଦସ୍ୟ ମଧ୍ୟ । ବ୍ୟକ୍ତିଗତ ସର୍ମ୍ପକ ମଧୁର ରହିଛି । ରାଜନୈତିକ ସମ୍ପର୍କ ବି କିଛି ଖରାପ ନୁହେଁ । ଯଦି ପରୀ ହତ୍ୟାକାଣ୍ଡ ଘଟଣା ଦେଖିବା ଏହାକୁ ନେଇ ବିଜେପି ବିରୋଧ କରିଥିଲା, କିନ୍ତୁ ଧର୍ମେନ୍ଦ୍ରଙ୍କ ପାଟିରୁ କିଛି ବାହାରିନଥିଲା । ସୌମ୍ୟ ବାବୁ ବି ବେଳେବେଳେ ଧର୍ମେନ୍ଦ୍ର ଓ ବିଜେପିର ପ୍ରଶଂସାରେ ଶତମୁଖ ହୋଇପଡ଼ୁଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟର ଦେଖିଲେ, ତାଙ୍କର ଅସ୍ଥିିରତା ବାରି ହୋଇପଡ଼ୁଛି । କୌଣସି ଦଳ ନାହିଁ, ଯେଉଁଥିରେ ସେ ସାମିଲ ହୋଇନାହାନ୍ତି । ନିଜେ ବି ଗୋଟିଏ ଦଳ ତିଆରି କରିଥିଲେ । ତେଣୁ ତାଙ୍କୁ ଆକଳନ କରିବା ପ୍ରାୟ ଭୁଲ ହୋଇଯିବ ।

ଆଉ ଜଣେ କାଳେ ଅସନ୍ତୁଷ୍ଟ ହେଉଛନ୍ତି ବିଜେଡିର ପୁରୁଖା ନେତା ସଞ୍ଜୟ ଦାସ ବର୍ମା । ତାଙ୍କୁ ମଧ୍ୟ ଦଳରେ ଅଣଦେଖା କରୁଥିବା ତାଙ୍କ ସମର୍ଥକମାନେ କୁହାକୁହି ହେଉଛନ୍ତି । ନିକଟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ମଧ୍ୟ ସଞ୍ଜୟଙ୍କୁ କାଢି ଦିଆଯାଇଛି । ଲାଗୁଛି ତାଙ୍କୁ ମଧ୍ୟ ଯେମିତି ବିଜେଡିରୁ କଣଠେସା କରାଯାଉଛି । ସେ ଯଦିଓ ଦୀର୍ଘ ଦିନ ଧରି ବିଜେଡିର ବିଭିନ୍ନ ଦାୟିତ୍ୱରେ ରହି କାମ କରୁଛନ୍ତି, କିନ୍ତୁ ଦଳ ଭିତରେ ତାଙ୍କର ଅସନ୍ତୋଷ ବଢୁଥିବା ତାଙ୍କ ସମର୍ଥକମାନେ କହିଲେଣି ।

କେବଳ ଏମାନେ ନୁହଁନ୍ତି, ଅସନ୍ତୁଷ୍ଟ ତାଲିକାରେ ନିକଟରୁ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଥିବା ବିଜେଡିର ପୁରୁଖା ନେତା ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାଁ ମଧ୍ୟ ରହିଛି । ଏହି ୩ ଜଣଙ୍କ ସ୍ଥିତି ଦେଖିଲେ ଲାଗୁଛି, ଏମାନେ ବିଜେଡି ଛାଡ଼ିବାର ଦମ୍ ରଖୁନାହାନ୍ତି । ଏଙ୍କୁ କଣଠେସା କରିଦେଲେ ବି ବିଜେଡିରେ ପଡ଼ିରହିବେ, କିନ୍ତୁ ତାଙ୍କ ସମର୍ଥକମାନେ ବିଜେଡି ସପକ୍ଷରେ କାମ କରିବେ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *