କ’ଣ ସେହି ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା ? କିଭଳି ସଂପୃକ୍ତ ଗାନ୍ଧିପରିବାର ଜାଣନ୍ତୁ

(ଦ କୁଇଭର ବ୍ୟୁରୋ): ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜୁନ ୧୭ରେ ଚତୁର୍ଥ ଥର ପଚରା ଉଚୁରା ପାଇଁ ସମନ ଜାରି କରିଛି। ଗୁରୁବାର ପଚରା ଉଚୁରାରୁ ମୁକ୍ତ କରିବାକୁ ରାହୁଲ କହିଥିଲେ । ଅଧିକାରୀ ତାଙ୍କୁ ଏହି ଅନୁମତି ପ୍ରଦାନ କରିଛନ୍ତି। କୋରୋନା ସଂକ୍ରମିତ ହୋଇଥିବାରୁ ସୋନିଆ ଗାନ୍ଧୀ ଆସନ୍ତା ୨୩ ତାରିଖରେ ଇଡିରେ ହାଜର ହେବେ। ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଥିବା ବେଳେ କଂଗ୍ରେସ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି। ତେବେ କଣ ସେହି ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା, ଆସନ୍ତୁ ଜାଣିବା..

କ’ଣ ସେହି ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା ?
ନ୍ୟାସନାଲ ହେରାଲ୍ଡ ହେଉଛି ଏକ ଖବର କାଗଜ, ଯାହା ପଣ୍ଡିତ ଜବାହରଲାଲ ନେହେରୁ ୧୯୩୮ ମସିହାରେ ଆରମ୍ଭ କରିଥିଲେ । ଏହି ନ୍ୟୁଜ୍ ପେପରକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (AJL) ନାମକ ସଂସ୍ଥା ପରିଚାଳନା କରୁଥିଲା। ଏହା କାହାରି ବ୍ୟକ୍ତିଗତ ସମ୍ପତ୍ତି ନଥିଲା। ୧୯୩୭ରେ ପ୍ରତିଷ୍ଠା ହୋଇଥିବା AJLରେ ୫୦୦୦ ସ୍ୱାଧିନତା ସଂଗ୍ରାମୀ ସେୟାର ହୋଲଡର ଥିଲେ। ୨୦୧୦ ବେଳକୁ AJLର ମାତ୍ର ୧୦୫୭ ଅଂଶୀଦାର ଥିଲେ। ଧୀରେ ଧୀରେ କମ୍ପାନୀ କ୍ଷତି ସହିଲା ଆଉ ୨୦୧୧ରେ କମ୍ପାନୀର ମାଲିକାନା ୟଙ୍ଗ ଇଣ୍ଡିଆନ୍ କମ୍ପାନୀ (YIL)କୁ ସ୍ଥାନାନ୍ତର ହେଲା। ସେତେବେଳେ YILର ବୋର୍ଡ ଅଫ ଡାଇରେକ୍ଟରରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଥିଲେ।

ଆୟକର ଅଧିନିୟମ ଅନୁଯାୟୀ, କୌଣସି ରାଜନୈତିକ ସଂଗଠନ ତୃତୀୟ ପକ୍ଷ ସହିତ ଆର୍ଥିକ କାରବାର କରିପାରିବେ ନାହିଁ। ୨୦୦୮ରେ ନ୍ୟାସନାଲ ହେରାଲ୍ଡ ବନ୍ଦ କରିବା ସମୟରେ କଂଗ୍ରେସ, ଇଔଖକୁ ୯୦ କୋଟି ଟଙ୍କା ଦେଇଥିଲା । ନ୍ୟାସନାଲ ହେରାଲ୍ଡ ବନ୍ଦ ହେବାର କିଛି ମାସ ପୂର୍ବରୁ ହିଁ ଣଓଖ ପ୍ରତିଷ୍ଠା ହୋଇଥିଲା। କମ୍ପାନୀରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରତ୍ୟେକଙ୍କର ସେୟାର ୩୮% ଲେଖାଏଁ ଥିଲା। ଆଉ ଅବଶିଷ୍ଟ ୨୪% ସେୟାରର ମାଲିକ କଂଗ୍ରେସ ନେତା ମୋତିଲାଲ ଭୋରା ଏବଂ ଓସ୍କାର ଫର୍ଣ୍ଣାଣ୍ଡିସ୍, ସାମ୍ବାଦିକ ସୁମନ ଦୁବେ ଏବଂ ଉଦ୍ୟୋଗୀ ସାମ ପିଟ୍ରୋଡା ଥିଲେ।

ED ଅନୁସନ୍ଧାନ କାହିଁକି ଆରମ୍ଭ ହେଲା ଜାଣନ୍ତୁ –
AJL ଅଧିଗ୍ରହଣରେ ଠକେଇ ହୋଇଥିବା ନେଇ ୨୦୧୨ରେ ବିଜେପି ନେତା ତଥା ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଥିଲେ। YIL ଅଧିଗ୍ରହଣରେ ଠକେଇ ଏବଂ ବିଶ୍ୱାସ ଭଙ୍ଗ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଏକ ଟ୍ରାଏଲ କୋର୍ଟରେ ପିଟିସନ ଦାଖଲ କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡର ସମ୍ପତ୍ତିକୁ YIL ହଡପ କରି ନେଇଛି। ବିଜେପି ନେତା ସ୍ୱାମୀ ଆହୁରି ଦାବି କରିଛନ୍ତି ଯେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଲାଭ ପାଇବା ପାଇଁ ସମ୍ପତ୍ତି ନେଇଛନ୍ତି । ଏଥିସହ ଅଧିଗ୍ରହଣ ବାବଦକୁ YILକୁ AJL ୯୦ କୋଟି ଟଙ୍କା ଦେବାର ଥିଲା କିନ୍ତୁ ତାକୁ ମାତ୍ର ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଏହାର ଅର୍ଥ ହେଉଛି ଯେ କଂଗ୍ରେସ ଅବଶିଷ୍ଟ ୮୯.୫ କୋଟି ଟଙ୍କା ଠକେଇ କରିଛି ବୋଲି ଅଭିଯୋଗ କରିବା ପରେ ଏବେ ଇଡି ଏହି ମାମଲାର ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *