କମିଶନର ପାଇଁ ଯୋଗ୍ୟତା କ’ଣ ଗଞ୍ଜାମ ଜିଲ୍ଲାପାଳ ?

ଭୁବନେଶ୍ୱର(ଦ କୁଇଭର): ଗଞ୍ଜାମ ଜିଲ୍ଲାପାଳ ହେବେ ବିଏମସି କମିଶନର । ଆଉ ତା ପରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ । ଗଞ୍ଜାମର ଜିଳ୍ଲାପାଳମାନେ ହିଁ ଆସି ଭୁବନେଶ୍ୱର ମହାନଗର ନିଗମର କମିଶନର ହେଉଛନ୍ତି । ସତେକି ବିଏମସି କମିଶନର ପାଇଁ ଯୋଗ୍ୟ ହେଉଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏଭଳି ଚର୍ଚ୍ଚା ଏବେ ଜୋର୍ ଧରିଛି । ଆସନ୍ତୁ ଦେଖିବା ବିଏମସି କମିଶନର ପଦବୀରେ ବସିଥିବା ଅଧିକାରୀମାନେ ପୂର୍ବରୁ କେଉଁଠି ଥିଲେ ଏବଂ ଏବେ କେଉଁଠି ଅଛନ୍ତି ।

କ୍ରୀଷନ କୁମାର ଗଞ୍ଜାମର ଜିଳ୍ଲାପାଳ ଥିଲେ, ପରେ ତାଙ୍କୁ ଆଣି ବିଏମସି କମିଶନର ଭାବେ ନିଯୁକ୍ତ କରାଗଲା । ଏବଂ ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଭାବେ ମଧ୍ୟ ନିଯୁକ୍ତ କରିଥିଲେ ସରକାର । ଯିଏ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିପରି ପ୍ରେମଚନ୍ଦ୍ର ଚୌଧୁରୀ, ଯିଏ ଗଞ୍ଜାମ ଜିଲ୍ଲାପାଳ ଥିଲେ, ତାଙ୍କୁ ଆଣି ମଧ୍ୟ ବିଏମସି କମିଶନର ଭାବେ ନିଯୁକ୍ତି ଦିଆଗଲା । ଆଉ ଏବେ ନିକଗଟରେ ତାଙ୍କୁ ସୂଚନା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦିଆଯାଇଛି । ଅନ୍ୟପଟେ ନିକଟରେ ହୋଇଥିବା ଆଇଏଏସ ସ୍ତରର ଅଦଳବଦଳରେ ଗଞ୍ଜାମର ଜିଲ୍ଲାପାଳ ଥିବା ଆଇଏଏସ କୁଲାଙ୍ଗେ ବିଜୟ ଅମୃତା ବିଏମସି କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଏହାସହ ସେ କ୍ରୁଟର ଏମଡି ଓ ବିଏସସିଏଲର ସିଇଓ ଦାୟିତ୍ୱ ତୁଲାଇବେ ।

ଏଥିରୁ ସ୍ପଷ୍ଟ ହେଉଛି ଯେ, ଅର୍ଦ୍ଧାଧିକ ବିଏମସି କମିଶନର ଗଞ୍ଜାମ ଜିଲ୍ଲାପାଳ ହିଁ ହେଉଛନ୍ତି । ହେଲେ କାହିଁକି ? ବିଏମସି କମିଶନରଙ୍କ ହେବା ପାଇଁ କ’ଣ କେବଳ ଗଞ୍ଜାମ ଜିଳ୍ଲାପାଳ ହୋଇଥିବା ନିହାତି ଦରକାର ? ନା ବିଏମସି କମିଶନରଙ୍କ ପାଇଁ ଗଞ୍ଜାମ ଜିଲ୍ଲାପାଳ ହିଁ କେବଳ ଯୋଗ୍ୟ ? ଯଦି ନା, ତେବେ ଲଗାତର ଗଞ୍ଜାମର ଜିଲ୍ଲାପାଳମାନଙ୍କୁ କାହିଁକି ବିଏମସି କମିଶନର ଭାବେ ନିଯୁକ୍ତି ମିଳୁଛି ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

ଏହା ପଛରେ କାରଣ କ’ଣ ? ଗଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବୋଲି ଏହା ଅଫିସରମାନଙ୍କ ପ୍ରତି ଉପହାର ନୁହେଁ ତ ? ନା ଗଞ୍ଜାମ ଜିଲ୍ଲାପାଳ ଛଡା ଆଉ କେହି ବିଏମସି କମିଶନର ହେବା ପାଇଁ ଯୋଗ୍ୟ ନୁହଁନ୍ତି ? ବିଏମସି କମିଶନରଙ୍କ ପାଇଁ କ’ଣ କିଛି ସ୍ୱତନ୍ତ୍ର ନିୟମ ଅଛି କି? ନା ଗଞ୍ଜାମ ଜିଲ୍ଲାପାଳ ହିଁ ବିଏମସି କମିଶନର ହେବାର ଏକ ମାପକାଠି ? ତାହେଲେ କାହିଁକି ଅଧିକାଂଶ ଗଞ୍ଜାମର ଜିଲ୍ଲାପାଳ ମାନେ ହିଁ ବିଏମସି କମିଶନର ହେଉଛନ୍ତି ଓ ପରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ସଚିବ ହେଉଛନ୍ତି । ରାଜ୍ୟରେ ଅନେକ ଯୋଗ୍ୟ ଓ ଦକ୍ଷ ଅଫିସରମାନେ ଅଛନ୍ତି, ସେମାନଙ୍କୁ ବିଏମସି କମିଶନର ନ କରି ଗଞ୍ଜାମ ଜିଲ୍ଲାପାଳଙ୍କୁ ବିଏମସି କମିଶନର ନିଯୁକ୍ତିରେ କାହିଁକି ଅଗ୍ରାଧିକାର ମିଳୁଛି । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

Leave a Reply

Your email address will not be published. Required fields are marked *