ଭାଟିକାନରେ ପୋପ୍ ଙ୍କୁ ଭେଟିବେ ନବୀନ

(ଦ କୁଇଭର ବ୍ୟୁରୋ): ଶନିବାର ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଯାତ୍ରା ଆରମ୍ଭ ହେଉଛି। ମଧ୍ୟାହ୍ନରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡାଣଭରିବେ। ସେଠାରେ ଦୁଇ ରାତି ରହିବା ପରେ ଇଟାଲି ଗସ୍ତ କରିବେ। ତେବେ ଆସନ୍ତୁ ଜାଣିବା ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଥମ ବିଦେଶ ଯାତ୍ରାର କାର୍ୟ୍ୟସୂଚୀ ବିଷୟରେ…

ଗତ ୨୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟଥର ବିଦେଶ ଗସ୍ତ କରୁଛନ୍ତି। ପ୍ରାୟ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦ ତାରିଖରେ ଇଟାଲି ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏଥିପାଇଁ ଶନିବାର ଅପରାହ୍ନରେ ଦିଲ୍ଲୀ ଯିବେ। ସେଠାରେ ଦୁଇ ଦିନ ରହିବା ପରେ ସୋମବାର ଅପରାହ୍ନରେ ଇଟାଲି ଗସ୍ତ କରିବେ। ଇଟାଲିର ରୋମରେ ରହିବେ। ତେବେ ଏହି ଗସ୍ତ ବେଳେ ସେ ଧର୍ମଗୁରୁ ପୋପଙ୍କ ସହ ସାକ୍ଷାତ କରିବେ । ୟୁରୋପର ବିଭିନ୍ନ ଅଞ୍ଚଳରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ କରିଛି ।

ଇଟାଲି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ରୋମରେ ଆୟୋଜିତ ଏକାଧିକ କାର୍ୟ୍ୟକ୍ରମରେ ଯୋଗ ଦେବେ। ସେଥିମଧ୍ୟରୁ ଜାତିସଙ୍ଘ ଖାଦ୍ୟ କାର୍ୟ୍ୟକ୍ରମ ଅନ୍ୟତମ । WFPରେ ନବୀନ, ଓଡିଶାର ସଫଳତା ଉପରେ ମନ୍ତବ୍ୟ ଦେବା ସମ୍ଭାବନା ଅଛି। ନବୀନ WFP ର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଡେଭିଡ ବିସଲେ ଏବଂ WFP ର ବରିଷ୍ଠ ନେତୃତ୍ୱଙ୍କୁ ଭେଟିବେ । WFP ସହିତ ଓଡିଶାର ସହଭାଗୀତା ଏବଂ ଭବିଷ୍ୟତର ପ୍ରକଳ୍ପଗୁଡିକ ଉପରେ ସେ ବିସ୍ତୃତ ଆଲୋଚନା କରିବେ ବୋଲି ସୂଚନାମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ କିଛି ଅଧିକାରୀ ବିଦେଶ ଗସ୍ତ କରିବେ। କିନ୍ତୁ କେଉଁ ମନ୍ତ୍ରୀ ଯିବେ ସେ ସମ୍ପର୍କରେ ସୂଚନା ମିଳିନାହିଁ।

ମୁଖ୍ୟମନ୍ତ୍ରୀ ୨୦ ଜୁନରୁ ୨୬ ଜୁନ ପର୍ୟ୍ୟନ୍ତ ରୋମ ରେ ରହି ତାପରେ ଦୁବାଇ ଗସ୍ତ କରିବେ। ଦୁବାଇ ରେ ସେ ୫ ଦିନ ରହିବେ। ଏହି ସମୟରେ ଭାରତ ସରକାର ଓ ଫିଜି ପକ୍ଷରୁ ଆୟୋଜିତ ଓଡିଶା ଇନଭେଷ୍ଟେର୍ସ କାର୍ୟ୍ୟକ୍ରମରେ ଯୋଗ ଦେବେ। ଜୁନ ୩୦ ତାରିଖରେ ନବୀନ ସ୍ୱଦେଶ ଫେରିବେ। ବିମାନ ଯୋଗେ ଦିଲ୍ଲୀରେ ଅବତରଣ ପରେ ସେହି ଦିନ ଭୁବନେଶ୍ୱର ଫେରିଆସିବେ। ତେବେ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ମୋଟ ୧୩ ଦିନ ରାଜ୍ୟରେ ଅନୁପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *