Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ରାମଙ୍କୁ ଧୋକା !

(ଦ କୁଇଭର ବ୍ୟୁରୋ): ଶେଷରେ ଭଗବାନଙ୍କୁ ବି ଛାଡ଼ିଲେନି । ରାମଙ୍କୁ ଠକିଦେଲେ । ଭଗବାନ ରାମଙ୍କ ନାଁରେ ଲେଖିଦେଲେ କୋଟି କୋଟି ଟଙ୍କାର ଚେକ୍ । ଯେଉଁ ଚେକ୍ ଏବେ ବାଉନ୍ସ ହୋଇଯାଇଛି । ଏ ମଣିଷ ଲୋକପ୍ରିୟତା ପାଇଁ ଭଗବାନଙ୍କୁ ବି ଧୋକା ଦେଉଛନ୍ତି । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ସତ । ରାମମନ୍ଦିର ନିର୍ମାଣ ପାଇଁ ଦାନରେ ମିଳିଥିବା ୨୨ କୋଟି ଟଙ୍କାର ଚେକ୍ ଏବେ ବାଉନ୍ସ ହୋଇଯାଇଛି । ପ୍ରଥମିକ ଅଡିଟ୍ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ନିଜର ଲୋକପ୍ରିୟତା ବଢାଇବା ପାଇଁ ଦାନ ଦେଉଛି ବୋଲି ପ୍ରଥମେ ବେଶ୍ ପ୍ରଚାର ପ୍ରସାର କଲେ । ଆଉ ଏବେ ଭଗବାନଙ୍କୁ ଠକିଦେଲେ । ଏ ମଣିଷ ଭଗବାନଙ୍କୁ ବି ଧୋକା ଦେଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି ।

ଘଟଣା ଅନୁଯାୟୀ, ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଆରମ୍ଭ କରାଯାଇଥିବା ନିଧି ସମର୍ପଣ ଅଭିଯାନ ଦ୍ୱାରା ଏପର୍ଯ୍ୟନ୍ତ ମୋଟ୍ ପ୍ରାୟ ୫ ହଜାର ୪୫୭ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଯଦିଓ ଏହି ସଂଖ୍ୟା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ କାରଣ ଜିଲ୍ଲାବ୍ୟାପୀ ଅଡିଟ୍ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ବର୍ତ୍ତମାନ ସମଗ୍ର ଭାରତର ବିଭିନ୍ନ ପ୍ରନ୍ତରୁ ଆସିଥିବା ନିଧି ଉତ୍ସର୍ଗ ଅଭିଯାନ ଉପରେ ନଜର ରଖିଥିବା ଏକ ଟିମ୍ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ରାମମନ୍ଦିର ନିର୍ମାଣ ପାଇଁ ଦାନ କରିଥିବା ୨୨ କୋଟି ଟଙ୍କାର ଚେକ୍ ବାଉନ୍ସ ହୋଇଯାଇଛି । ତେଣୁ ତାକୁ ଅଲଗା କରି ଆଉ ଏକ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି ।

ଏହି ରିପୋର୍ଟରୁ ବାଉନ୍ସ ହୋଇଥିବା ଚେକର କାରଣ ଜଣାପଡ଼ିବ । ବୈଷୟିକ କାରଣରୁ ବାଉନ୍ସ ହୋଇଥିବା ଚେକ ଗୁଡ଼ିକ ବ୍ୟାଙ୍କ ସହିତ ଏକ ବୈଠକ କରି ପୁନଃ ଉପସ୍ଥାପିତ କରାଯିବ । ଏହି ରିପୋର୍ଟ ଅନୁଯାୟୀ, କୁପନ ଓ ରସିଦ ମାଧ୍ୟମରେ ପ୍ରାୟ ୨ ହଜାର ୨୫୩ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ସେହିଭଳି ଡିଜିଟାଲ ମାଧ୍ୟମରେ ପ୍ରାୟ ୧ ହଜାର ୭୫୩ କୋଟି ଏବଂ ଏସବିଆଇ-ପିଏନବି ଏବଂ ବିଓବିର ସେଭିଂ ଆକାଉଣ୍ଟରେ ପ୍ରାୟ ୪୫୦ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଏହାସହ ନିଧି ସମର୍ପଣ ପାଇଁ ଟ୍ରଷ୍ଟ ପକ୍ଷରୁ ୧୦, ଶହେ ଏବଂ ଏକ ହଜାରର କୁପନ ଛପାଯାଇଥିଲା । ଏହାବ୍ୟତୀତ, ଏହି ରାଶି ଠାରୁ ଅଧିକ ଦାନ ପାଇଁ ରସିଦ ବ୍ୟବହାର କରାଯାଉଥିଲା । ତେଣୁ ସଂଗ୍ରହ କରାଯାଇଥିବା ସମସ୍ତ ନିଧି ମଧ୍ୟରୁ ୨୨ କୋଟି ଟଙ୍କାର ଚେକ୍ ମଧ୍ୟ ସଂଗ୍ରହ କରାଯାଇଥିଲା, ଯାହା ଏବେ ବାଉନ୍ସ ହୋଇଯାଇଛି । ତେବେ ଏହି ଚେକ୍ କିପରି ବାଉନ୍ସ ହେଲା ତାହା ଆଗାମୀ ରିପୋର୍ଟରେ ଜଣାପଡ଼ିବ ।

Exit mobile version