ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ଭାଟିକାନ ସିଟିରେ ନବୀନ । ପୋପଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀକୁ ଭାଟିକାନ୍ ସିଟି ସମାନ କରିବାକୁ ସେ ଲକ୍ଷ ରଖିଥିବା ତାଙ୍କରି ଦଳର ସାଂସଦ କହିଥିଲେ । ତାଙ୍କର ଲକ୍ଷ୍ୟ ପୁରୀକୁ ଏକ ଭାଟିକାନ ସିଟିରେ ପରିଣତ କରିବା । ସେଥିପାଇଁ ତାଙ୍କ ରୋମ ଗସ୍ତ ଓ ପୋପଙ୍କୁ ଭେଟିବା କାର୍ଯ୍ୟକ୍ରମ ବେଶ୍ ଚର୍ଚ୍ଚାରେ ରହିଛି ।

ଯଦି ପିନାକୀଙ୍କ କଥା ଠିକ୍, ତେବେ ପ୍ରଶ୍ନ ଉଠୁଛି, ପୁରୀକୁ ଭାଟିକାନ୍ ସିଟି କରିବାକୁ କାହିଁକି ଚାହୁଁଛନ୍ତି ନବୀନ? ପୁରୀରେ ପ୍ରସ୍ତାବିତ କରିଡର ପ୍ରକଳ୍ପରେ ଆଉ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ପୁରୀରେ ପୋପଙ୍କର ଯୋଗଦାନ କିଛି ରହିବ କି? ନବୀନ ପୋପଙ୍କୁ ଭେଟି ଫେରିବା ପରେ ପୁରୀ କରିଡର ପ୍ରକଳ୍ପର ଡିଜାଇନ୍ ବଦଳିଯିବ କି? ସାଂସଦ ପିନାକୀ ମିଶ୍ରଙ୍କ ଏଭଳି ବୟାନ ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ଭାଟିକାନ୍ ସିଟି ହେଉଛି ଖୀଷ୍ଟଧର୍ମାବଲମ୍ବୀ ମାନଙ୍କର ପ୍ରମୁଖ ଧାର୍ମିକ ପୀଠ । ତେଣୁ ସେହି ଅନୁସାରେ ପୁରୀକୁ ମଧ୍ୟ ହିନ୍ଦୁଙ୍କ ପ୍ରମୁଖ ସ୍ଥଳୀ କରିବାକୁ ନବୀନଙ୍କର ଯୋଜନା ଥାଇପାରେ, ଯାହା ସ୍ୱାଗତଯୋଗ୍ୟ । କିନ୍ତୁ ହିନ୍ଦୁ ଧର୍ମରେ ଜଗନ୍ନାଥଙ୍କ ପୀଠ ହେଉଛି ସମ୍ପୂର୍ଣ୍ଣ ଅଲଗା । ରୀତିନୀତି, ପରମ୍ପରା, ମଠ, ସଂସ୍କୃତି ହିଁ ସର୍ବୋପରି । ଏଠି ଭଟିକାନ ସିଟିର ଚିନ୍ତାଧାରା ଗ୍ରହଣୀୟ ହୋଇପାରିବ ନାହିଁ । କାରଣ ଭଟିକାନ୍ ସିଟିରେ କେହି ଠାକୁର ନାହାନ୍ତି, କିନ୍ତୁ ଏଠି ସ୍ୱୟଂ ଜଗନ୍ନାଥ ବିରାଜମାନ କରିଛନ୍ତି, ଯିଏ ଜଗତର ନାଥ । ଏଙ୍କ ପାଖରେ ରୀତିନୀତି ରହିଛି ଓ ମାନବୀୟ ଲୀଳା କରୁଛନ୍ତି । ସେଠାରେ ଜଣେ ମାନବଙ୍କୁ ଧର୍ମୀୟ ମୁଖ୍ୟ ବୋଲି କୁହାଯାଉଛି । କିନ୍ତୁ ଏଠି ଠାକୁର ମାନବୀୟ ଲୀଳା କରୁଛନ୍ତି । ପୁରୀ କେବେ ଭାଟିକାନ୍ ସିଟି ସହ ତୁଳନା କରାଯାଇପାରିବ ନାହିଁ । ପୁରୀକୁ ଭାଟିକାନ ସିଟି କରିବାକୁ ନବୀନଙ୍କର ଯେଉଁ ଇଚ୍ଛା ବୋଲି ପିନାକୀ କହିଛନ୍ତି, ତାହାକୁ ପୂରଣ କରିବାକୁ ଯୋଜନା ହେଲେ ଦଳୀୟ ଭାବନା ସୁଦୃଢ ହୋଇପାରେ, କିନ୍ତୁ ହିନ୍ଦୁ ଧର୍ମୀୟ ଭାବନା ଧ୍ୱଂସ ପାଇବ ।

ଅନ୍ୟପଟେ ନବୀନ ଭାଟିକାନ ସିଟିରେ ପୋପଙ୍କୁ ଭେଟିବାକୁ ନେଇ ରାଜନୈତିକ ଉଷ୍ମତା ବଢିଲାଣି । ନବୀନ ସରକାର କେବଳ ନିଜର ରାଜନୈତିକ ଫାଇଦା ପାଇଁ ଭାଟିକାନ ସିଟି ଯାଇଛନ୍ତି ବୋଲି ବିାରୋଧୀ ଅଭିଯୋଗ କରୁଛନ୍ତି । ଏହାସହ ଯେଉଁ ମୁଖ୍ୟମନ୍ତ୍ରୀ ଦିନେ ଆମର ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ଯାଉନାହାନ୍ତି, ସେଠାରେ ପୋପଙ୍କୁ ଭେଟିବାକୁ ଭାଟିକାନ୍ ସିଟି ଯିବାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ନବୀନ ପୋପଙ୍କୁ ଭେଟିବା ପଛରେ କାରଣ କ’ଣ? ପୁରୀକୁ କ’ଣ କରିବାକୁ ଚାହୁଁଛନ୍ତି ନବୀନ? ଏହା ଏବେ ବଡ଼ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *