ରାଇରଙ୍ଗପୁରରୁ ରାଇସିନା ହିଲ୍: ଏମିତି ଥିଲା ସଂଘର୍ଷମୟ ଯାତ୍ରା ?

ମୟୁରଭଞ୍ଜ (ଦ କୁଇଭର): ମୋଦୀ ଶାସନରେ ଓଡ଼ିଶା ଲେଖିବ ନୂଆ ଇତିହାସ । ସାରା ଦେଶ ପାଇବ ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ପ୍ରତିଭା ପାଟିଲଙ୍କ ପରେ ଦ୍ରୌପଦୀ ମୁର୍ମୁୁ ହେବାକୁ ଯାଉଛନ୍ତି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ବିଜେପି ପାଖରେ ବହୁମତ ଥିବା ବେଳେ ଦ୍ରୌପଦୀ ମୁର୍ମୁ ଆଗାମୀ ରାଷ୍ଟ୍ରପତି ହେବା ଏକପ୍ରକାର ଶୁନିଶ୍ଚିତ ହୋଇସାରିଛି । ଓଡ଼ିଶାର ମୟରୁଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନ, ଏହା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ।

ଦ୍ରୌପଦୀ ମୁର୍ମୁଙ୍କ ମୁଣ୍ଡରେ ସୁନା କଳସ ଢାଳିଛନ୍ତି ମୋଦୀ । ରାଇରଙ୍ଗପୁର ଭଳି ଏକ ଆଦିବାସୀ ସ୍ଥାନରୁ ଦେଶର ସର୍ବୋଚ୍ଚ ପଦବୀରେ ବସାଇବା ହୁଏତ ଭାରତ ଇତିହାସରେ ପ୍ରଥମ । କାଉନସିଲରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଛନ୍ତି । ୧୯୯୭ରେ ସେ ରାଜନୀତିରେ ପାଦ ଥାପିଥିଲେ । ରାଇରଙ୍ଗପୁର ଏନଏସିରୁ କାଉନସିଲର ଭାବେ ଜିତି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ, ସେବେଠାରୁ ସେ କେବେ ପଛକୁ ବୁଲି ଦେଖିନାହାନ୍ତି । କାଉନସିଲରରୁ ବିଧାୟକ, ବିଧାୟକରୁ ମନ୍ତ୍ରୀ ଏବଂ ପରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ରାଇରଙ୍ଗପୁର ଆସନରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ସଦସ୍ୟ ଥିଲେ । ଏହାସହ ୨୦୧୫ ମସିହାରେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା । ୨୦୨୦ରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ଆଗାମୀ ରାଷ୍ଟ୍ରପତି ରେସରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ମୋଦୀଙ୍କ ଶାସନରେ ଓଡ଼ିଶାକୁ ଅନେକ ଗୁରୁତ୍ୱ ଦିଆଯାଉଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଏହାସହ ମୟୁରଭଞ୍ଜର ଆଦିବାସୀ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରିବା ଏବଂ ଏବେ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନିଶ୍ଚିତ ପକ୍ଷେ ଓଡ଼ିଶା ପାଇଁ ଏକ ଗୌରବର ବିଷୟ । ତାଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା । ପିଲାଦିନୁ ଦାରିଦ୍ର୍ୟ ଓ ଅଭାବକୁ ଖୁବ ପାଖରୁ ଦେଖିଛନ୍ତି ସେ ।

ମୟୁରଭଞ୍ଜ ରାଜାଙ୍କ ଦରବାରରେ କର୍ମଚାରୀ ଥିଲେ ତାଙ୍କ ବାପା । ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ବି କଲେଜରେ ପଢି ପାରିନଥିଲେ । କାରଣ କଲେଜରେ ପଢିବାକୁ ଆବେଦନ କରିବା ତାଙ୍କୁ ଜଣାନଥିଲା । ଆଉ ଜାଣିଲା ବେଳକୁ ଆବେଦନର ସମୟ ସମୀ ସରିଯାଇଥିଲା । ତେଣୁ ଗୋଟିଏ ବର୍ଷର ଶିକ୍ଷା ତାଙ୍କର ନଷ୍ଟ ହୋଇଗଲା । ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢିଲେ । ତାଙ୍କ ବାପା ବିରଞ୍ଚି ନାରାୟଣ ଟୁଡୁ ମାସକୁ ୧୦ ଟଙ୍କା ପାଉଥିଲେ । ପାଠ ପଢିବା ଲାଗି ଦ୍ରୌପଦୀଙ୍କ ଜୀବନ ଥିଲା ସଂଘର୍ଷମୟ । ଘୋର ଆର୍ଥିକ ଅନଟନରେ ତାଙ୍କର ଦିନ କଟୁଥିଲା । ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଂଟିନ ଯାଉନଥିଲେ । କାରଣ ସାଙ୍ଗମାନଙ୍କୁ ଖୁଆଇବା ତାଙ୍କ ପାଇଁ ସମ୍ଭବ ନଥିଲା । ୮ବର୍ଷ ଭୁବନେଶ୍ୱରରେ ରହି ପଢିଲାବେଳେ କେବେ ବଜାର ଯାଇନଥିଲେ । କେବଳ ଗୋଟିଏ ସିନେମା ‘ଗପ ହେଲେ ବି ସତ’ ଦେଖିଥିଲେ । ବିଏ ପାସ କରିବା ପରେ ଅଧିକ ପଢିବା ସମ୍ଭବ ନଥିଲା । ପରିବାରରେ ବିଭିନ୍ନ ସମସ୍ୟା ଯୋଗୁଁ ଚାକିରି ଛାଡି ଗାଁକୁ ଫେରିଲେ । ଏବେ ସେ ଦେଶର ସର୍ବୋଚ୍ଚ ପଦବୀରେ ବସିବା ପାଇଁ ଯାଉଛନ୍ତି । ଯାହା ସେ କେବେ ଭାବି ନଥିଲେ ।

Leave a Reply

Your email address will not be published. Required fields are marked *