ମହାରାଷ୍ଟ୍ର ହାଇଡ୍ରାମା: ମାଷ୍ଟରମାଇଣ୍ଡ୍ ଶରଦ ପାୱାର !

ମୁମ୍ବାଇ (ଦ କୁଇଭର): ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା । କ୍ଷମତା ପାଇଁ ଦୁଇ ଫାଳ ହେବାକୁ ଯାଉଛି ଶିବସେନା । କାହା ହାତରେ ରହିବ ଶିବସେନା, ତାକୁ ନେଇ ଚାଲିଛି ପଲିଟିକ୍ସ । ଗୋଟିଏ ପଟେ କ୍ଷମତାଶୀନ ଉଦ୍ଧବ ଠାକରେଙ୍କ ଟିମ୍ ଓ ଅନ୍ୟପଟେ ବିଦ୍ରୋହୀ ଗୋଷ୍ଠୀ ଏକନାଥ ସିନେ୍ଧଙ୍କ ଟିମ୍ । ଏମାନଙ୍କ ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହେଲାଣି । କିନ୍ତୁ ଏହାରି ଭିତରେ ମହାରାଷ୍ଟ୍ରର ହାଇଡ୍ରାମାର ମାଷ୍ଟରମାଇଣ୍ଡ ଶରଦ ପାୱାର ବୋଲି ଚର୍ଚ୍ଚା ହେଉଛି ।

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଉପରେ ଯେଉଁଭଳି ଭାବେ ସଙ୍କଟ ପଡ଼ିଛି, ତାହା ପଛରେ ପୋଲିସ ଇଣ୍ଟେଲିଜେନ୍ସ ସମ୍ପୂର୍ଣ୍ଣ ଫେଲ୍ ହୋଇଥିବା ଜଣାପଡ଼ୁଛି । କାରଣ ମହାରାଷ୍ଟ୍ରରେ ଇଣ୍ଟେଲିଜେନ୍ସ ବିଭାଗ ଗୃହ ବିଭାଗ ଅଧିନରେ ଆସୁଛି । ଆଉ ଗୃହ ବିଭାଗ ମନ୍ତ୍ରୀ ହେଉଛନ୍ତି ଏନସିପିର ଦିଲ୍ଲୀପ ୱାଲସେ ପାଟିଲ୍ । ତେଣୁ ଏମିତି କ’ଣ ହେଲା ଯେ, ଶିବସେନା ନେତା ଏକନାଥ ସିନେ୍ଧ ୩୬ ବିଧାୟକଙ୍କୁ ମୁମ୍ବାଇରୁ ନେଇ ସୁରାଟ ପଳାଇଲେ, କିନ୍ତୁ କେହି ଜାଣିପାରିଲେ ନାହିଁ କେମିତି? ତେଣୁ ଗୃହମନ୍ତ୍ରୀ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

ମହାରାଷ୍ଟ୍ର ସରକାରରେ ଗୃହବିଭାଗ କୋଟା ଏନସିପି ପାଖରେ । ମାତ୍ର ସିନେ୍ଧ ମୁମ୍ବାଇରେ ରହି ବିଦ୍ରୋହୀ ଗୋଷ୍ଠୀ କରି ସୁରାଟ ଚାଲିଗଲେ, କିନ୍ତୁ ତାର ଟେର୍ ପାଇଲା ନାହିଁ ଇଣ୍ଟେଲିଜେନ୍ସୀ । ଏପରିକି ବିଦ୍ରୋହର ଗୋଟିଏ ଦିନ ପରେ କିଛି ବିଧାୟକ ଗୌହାଟୀ ଯାଇଥିଲେ ମଧ୍ୟ ତାଙ୍କୁ ରୋକାଯିବାକୁ ଚେଷ୍ଟା ମଧ୍ୟ କରାଯାଇନଥିଲା । ଏହି ଘଟଣାରେ ଯଦିଓ ଦିଲ୍ଲୀପଙ୍କ ଉପରେ ଶରଦ ପାୱାର ଅସନ୍ତୋଷ ବ୍ୟକ୍ତ କରିଥିଲେ, ତଥାପି ଉଭୟଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି । ରାଜନୈତିକ ସଙ୍କଟ ମଧ୍ୟରେ ବୁଧବାର ଉଦ୍ଧବ ଠାକରେଙ୍କୁ ଭେଟିଥିଲେ ଶରଦ ପାୱାର । ସେ ସମସ୍ୟାର ସମାଧାନ ପାଇଁ ବିଦ୍ରୋହୀ ନେତା ଏକନାଥ ସିନେ୍ଧଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ତେଣୁ ପ୍ରଶ୍ନ ହେଉଛି, କାହିଁକି ଏପରି କହିଲେ ଶରଦ ପାୱାର? ବିଦ୍ରୋହୀଙ୍କ ଯୋଜନା ସମ୍ପର୍କରେ ପୂର୍ବରୁ ଶରଦଙ୍କ ପାଖରେ ସୂଚନା ଥିଲା କି?

ଅନ୍ୟପଟେ ଏନସିପିର ଦୁଇ ମନ୍ତ୍ରୀ ନବାବ ମଲ୍ଲିକ ଓ ଅନୀଲ ଦେଶମୁଖ ଏବେ ଜେଲରେ । ତେଣୁ ତାଙ୍କୁ ବଞ୍ଚାଇବା ପାଇଁ ବିଜେପି ସହ ଏନସିପି ଭିତିରି ଡିଲ୍ କରିଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ୨୦୧୯ରେ ଯେତେବେଳେ ମହାରାଷ୍ଟ୍ରରେ ବିଜେପି ଓ ଏନସିପି ମିଶି ସରକାର ଗଠନ କରିଥିଲେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ବିଜେପି ଏନସିପି ବିଧାକୟଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା । ଫଳରେ ସକ୍ରିୟ ହୋଇଉଠିଥିଲେ ଶରଦ ପାୱାର ଓ ୩ ଦିନ ମଧ୍ୟରେ ଘଟଣାର ସମଧାନ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସେ ସେତେ ସକ୍ରିୟ ଭଳି ଜଣାପଡ଼ୁନାହାନ୍ତି । ତେଣୁ ଏକନାଥଙ୍କ ପାୱାର ପଛରେ ଶରଦ ପାୱାରଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *