ନବୀନଙ୍କ ମାନବିକତା

ରୋମ୍ (ଦ କୁଇଭର): ସମ୍ବଲପୁର ଜିଲ୍ଲାର ଯୁବ ବିଜ୍ଞାନୀ ଶେଷ କିଶାନ୍ । ଛୋଟ ବେଳୁ ବାପା, ମା’ଙ୍କୁ ହରାଇଥିବା ଶେଷ କିଶାନଙ୍କର ଜୀବନ ଯାତ୍ରା ଅତ୍ୟନ୍ତ ସଂଘର୍ଷମୟ ଥିଲା । ମେଧାବୀ ଥିବାରୁ ସେ ଜର୍ମାନୀର ଏକ ବିଶ୍ୱ ବିଦ୍ୟାଳୟରେ ଗବେଷଣା କରିବା ପାଇଁ ଯୋଗ୍ୟତା ହାସଲ କରିଥିଲେ । ଆଉ ତାଙ୍କର ଏହି ସଫଳତା ପରେ ତାଙ୍କୁ ସହାୟତାର ହାତ ବଢାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ, ସେତେବେଳେ ତାଙ୍କ ପାଦରେ ଥିଲା ବାଥରୁମ ଚପଲ ଓ ହାତରେ ଥିଲା ପୁରୁଣା ନୋକିଆ ଫୋନ୍ । ସେତେବେଳେ ଶେଷ କିଶାନଙ୍କର ସଂଘର୍ଷର କାହାଣୀ ମୁଖ୍ୟମନ୍ତ୍ରୀଙ୍କ ହୃଦୟକୁ ତରଳାଇଦେଇଥିଲା । ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସେତେବେଳେ ଏକ ଆଇଫୋନ୍ ଉପହାର ଦେଇଥିଲେ । ଆଉ ତା ପରେ ସଫଳତାର ପାହାଚ ଚଢି ଚଢି ଯାଇଥିଲେ ଶେଷ କିଶାନ ।

ଆଉ ଏବେ ଠିକ୍ ୪ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିବା କାର୍ଯ୍ୟକ୍ରମରେ ସେହି ସଂଘର୍ଷର ସ୍ମୃତିକୁ ତାଜା କରିଛନ୍ତି ଶେଷ କିଶାନ । ଯାହାଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଲୁହ ଆସିଯାଇଥିଲା । ଶେଷ କିଶାନଙ୍କର ସେହି ସଂଘର୍ଷମୟ କାହାଣୀ ଶୁଣି କାନ୍ଦି ପକାଇଥିଲେ ମୁଖ୍ୟମନ୍ତ୍ରୀ । ବାପା ଓ ମା’ଙ୍କୁ ହରାଇଥିବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଯୋଗେ ସେ ଆଜି ଏହି ସ୍ଥାନରେ ପହଞ୍ଚିପାରିଛନ୍ତି ବୋଲି କହିଥିଲେ ।

ଏହାସହ ଶେଷରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଇଟାଲୀରେ ଗବେଶଣା ଶେଷ ହେବା ପରେ ଓଡ଼ିଶା ଫେରି ଏକ ଫାର୍ମା ଇଣ୍ଡଷ୍ଟ୍ରୀ ଖୋଲିବା ସହ ଓଡ଼ିଶାକୁ ଏକ ଇଣ୍ଡଷ୍ଟ୍ରୀଆଲ ହବରେ ପରିଣତ କରିବାକୁ ଚେଷ୍ଟା କରିବେ । ଏହାସହ ଯେଉଁ ନିଜ ଗାଁରୁ ସେ ସଂଘର୍ଷ କରି ପାଠ ପଢିଥିଲେ ସେହି ଗାଁରେ ସେ ପିଲାମାନଙ୍କର ପାଠ ପଢିବାର ବ୍ୟବସ୍ଥା ମଧ୍ୟ କରିଥିବା କହିଛନ୍ତି । ଶେଷ କିଶାନଙ୍କ ସଂଘର୍ଷ ଓ ସଫଳତା ପଛରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଥିବା ସେ କହିଛନ୍ତି । ନବୀନ ଅନେକ ଦକ୍ଷତାକୁ ଚିହ୍ନଟ କରି ସଫଳତାର ଶୀର୍ଷରେ ପହଞ୍ଚାଇପାରିଛନ୍ତି, ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି ।

Leave a Reply

Your email address will not be published. Required fields are marked *