ପୁରୀ (ଦ କୁଇଭର): ବଡ଼ ରଥ କାହାର? ରଥ ଉଚ୍ଚତାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ପ୍ରଥମ ଥର ପାଇଁ କୌଣସି ଏକ ପ୍ରସଙ୍ଗକୁ ବିବାଦୀୟ କରିଛନ୍ତି ଖୋଦ୍ ଗଜପତି ମହାରାଜ । ତାହା ପୁଣି ମହାପ୍ରଭୁଙ୍କ ରଥକୁ ଆଡ କରି । କଥା ହେଉଛି କେନ୍ଦୁଝର ରଥକୁ ବିଶ୍ୱର ବଡ଼ ରଥର ମାନ୍ୟତା । କେନ୍ଦୁଝରର ୭୨ ଫୁଟର ବଳଦେବଜୀଉ ରଥକୁ ବିଶ୍ୱର ସବୁଠୁ ବଡ଼ ରଥ ବୋଲି ଗିନିଜ୍ ବୁକ୍ ପ୍ରମାଣପତ୍ର ଦେଇଛି । କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ଆଉ ୪ଟି ସଂସ୍ଥା ଏହାକୁ ବିଶ୍ୱର ବଡ଼ ରଥର ମାନ୍ୟତା ଦେଇସାରିଛନ୍ତି । ଆଉ ଏବେ ଏହାକୁ ନେଇ ହଠାତ୍ ଉଠିପଡ଼ିଛନ୍ତି ଗଜପତି ମହାରାଜା । କହିଛନ୍ତି, ଏହା ଠିକ୍ ନୁହେଁ । ପୁରୀର ରଥ ସବୁଠୁ ଉଚ୍ଚ ଏବଂ ପୁରୀର ରଥ ଉଚ୍ଚତା ଠାରୁ କୌଣସି ରଥ ଉଚ୍ଚତା ଅଧିକ ହେବା କଥା ନୁହେଁ । ଗଜପତି ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ।

ତେଣୁ ଏଠାରେ ଆମେ କହିରଖୁଛୁ, ଗଜପତିଙ୍କର କୌଣସି ବାକ୍ୟ ମୂଲ୍ୟହୀନ ନୁହେଁ । ଗଜପତିଙ୍କ କଥାକୁ ଯଦି ଦେଖାଯାଏ, ତାହେଲେ ତାହା ସେତିକି ମାନ ରକ୍ଷା କରିପାରୁନାହିଁ । ଯଦି ଶାସ୍ତ୍ରକୁ ସମୀକ୍ଷା କରିବା ତେବେ ଶ୍ରୀଜଗନ୍ନାଥଙ୍କ ବଡ଼ ଭାଇ ହେଉଛନ୍ତି ବଳଭଦ୍ର ବା ବଳଦେବ ଜୀଉ । ସୁବବେଳେ ଶ୍ରୀଜଗନ୍ନାଥ ବଳଭଦ୍ରଙ୍କୁ ଅଗ୍ରାଧିକାର ଦେଇଥାନ୍ତି । ତାଙ୍କର ରଥ ବଡ଼ ହୋଇଯିବା ଟା ଶାସ୍ତ୍ରରେ କୌଣସି ମହାପାପ ବୋଲି ଲେଖାଯାଇନାହିଁ । ଏହା ବ୍ୟତୀତ ଯଦି ଶାସ୍ତ୍ରକୁ ଛାଡ଼ି ସାମାଜିକ ସ୍ଥିତି ଧରାଯାଏ, ତେବେ ବଡ଼ ଭାଇଙ୍କ ରଥ ଉଚ୍ଚ । କେନ୍ଦୁଝର ହେଉଛି, ଶ୍ରୀ ବଳଦେବଜୀଉଙ୍କ କ୍ଷେତ୍ର । ତେଣୁ ବଡ଼ ଭାଇଙ୍କ ରଥ ସେଠାରେ ବଡ଼ ହୋଇଛି ।

ଆଉ ଗୋଟିଏ କଥା ଯଦି ଦେଖିବା ତେବେ ଦୀର୍ଘ ୩୫୦ ବର୍ଷ ହେବ କେନ୍ଦୁଝରରେ ରଥ ଗଡ଼ୁଛି । ଏହାକୁ ଗତ ମେ’ ୬ ତାରିଖରେ କେନ୍ଦୁଝର ବଳଦେବଜୀଉଙ୍କ ରଥକୁ ଗିନିଜ ବୁକ୍ ବିଶ୍ୱର ସବୁଠୁ ବଡ଼ ରଥ ବୋଲି ପ୍ରମାଣ ମଧ୍ୟ ଦେଇଛି । କେବଳ ଏହା ନୁହେଁ ପୂର୍ବରୁ ଏହି ରଥକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଏସିଆ ପାସିଫିକ୍ ଆଇକନ୍, ଗ୍ଲୋବାଲ ରେକର୍ଡ ଓ ୱଣ୍ଡର ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇସାରିଛି । ହେଲେ ହଠାତ୍ ଏହି ବିବାଦ କାହିଁକି? ହଠାତ୍ ଗଜପତି ଏତେ ପ୍ରତିକ୍ରିୟାଶୀଳ ହୋଇପଡ଼ିଲେ କାହିଁକି? ଏହି ମାନ୍ୟତା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ବହୁ ସଙ୍ଗଠନ ପକ୍ଷରୁ ମାନ୍ୟ ମିଳିସାରିଛି । ସେତେବେଳେ ଗଜପତି ମହାରାଜ ନିରବ ରହିଥିଲେ କାହିଁକି? ଶ୍ରୀମନ୍ଦିର ପ୍ରଶାସନ ଚୁପ୍ ରହିଥିଲା କାହିଁକି?

ଶ୍ରୀମନ୍ଦିର ପରିଚାଳନା କମିଟି, ଯାହାର ଅଧ୍ୟକ୍ଷ ହେଉଛନ୍ତି ଗଜପତି । ସେତେବେଳେ ପରିଚାଳନା କମିଟି କାହିଁକି ନିରବ ରହିଥିଲା । ନା ଏମାନେ ଅଜ୍ଞ ଥିଲେ, ଜାଣିପାରିନାହାନ୍ତି ନା ଜାଣିବାକୁ ଚାହିଁନାହାନ୍ତି । ଆମେ ଏଠି ମନେ ପକାଇଦେଉଛୁ, ସବୁଠି ଶ୍ରୀଜଗନ୍ନାଥଙ୍କ ଲୀଳା ପ୍ରଚାର କରିବା ପାଇଁ ଖୋଦ୍ ଗଜପତି ମହାରାଜ ଜଗନ୍ନାଥ ପଞ୍ଚରାତ୍ର କରୁଥିଲେ । ସବୁ ମନ୍ଦିର ସହ ସେ ଜଡିତ ରହିଛନ୍ତି । ଗଜପତିଙ୍କୁ ସମସ୍ତେ ମାନନ୍ତି । କିନ୍ତୁ ଏତେବଡ଼ ଖବର ଗଜପତି ଜାଣିପାରିଲେ ନାହିଁ କେମିତି? ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି, ଆଉ ସମସ୍ତେ ଖବର ସହ ଜଡିତ । ହେଲେ ଏତେ ବଡ଼ ପ୍ରସଙ୍ଗକୁ ଛାଡ଼ିଗଲେ କେମିତି? ଆଉ ଏବେ ମାନ୍ୟତା ପାଇଗଲା ପରେ ଆପତ୍ତି କରିବାର ଲାଭ କ’ଣ? କେନ୍ଦୁଝରରେ ୩୫୦ ବର୍ଷର ପରମ୍ପରାକୁ କ’ଣ ଗଜପତି ଭାଙ୍ଗିବାକୁ ଚାହୁଁଛନ୍ତି କି? ଗଜପତି କ’ଣ ସେଠାକାର ରଥକୁ ଛୋଟ କରିବାକୁ ଚାହୁଁଛନ୍ତି କି? ଗଜପତି କ’ଣ ବଳଭଦ୍ରଙ୍କ ରଥକୁ ଶ୍ରୀଜଗନ୍ନାଥଙ୍କ ରଥ ଠାରୁ ତଳ କରିଦେବାକୁ ଚାହୁଁଛନ୍ତି କି? ଏଭଳି ଅନେକ ପ୍ରଶ୍ନ ଏବେ ଗଜପତିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Leave a Reply

Your email address will not be published. Required fields are marked *