Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ହାତୀ ବଂଶ ବୁଡେଇବେ ସରକାର

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ବୁଡେଇଦେବେ କି ହାତୀବଂଶ? ଲୋପ କରେଇଦେବେ କି ଗଜରାଜଙ୍କ ସଂଖ୍ୟା? କାରଣ ଲଗାତର ହାତୀମାନଙ୍କୁ ମାରିଦିଆଯାଉଛି । କେତେବେଳେ ଗୁଳି କରୁଛନ୍ତି ଓ ଆଉ କେତେବେଳ ବିଦ୍ୟୁତ୍ ଦେଇ ମାରିଦେଉଛନ୍ତି । ନିର୍ଭୟରେ ଜଙ୍ଗଲରେ ବୁଲାବୁଲି କରୁଥିବା ହାତୀ ମାନେ ଏବେ ଶିକାରୀଙ୍କ ଫାସରେ । ଇଏ ହେଉଛି ଓଡ଼ିଶାର ହାତୀ ମାନଙ୍କର ସ୍ଥିତି । ମଣିଷ ଜଙ୍ଗଲକୁ କାଟି ସଫା କରିଦେବାପରେ ଜଙ୍ଗଲଜୀବ ଜନବସତି ଆଡକୁ ଆସୁଛନ୍ତି । ବାହାରକୁ ଆସିବା ପରେ ତାଙ୍କୁ ମାରିଦିଆଯାଉଛି । ରେକର୍ଡ କହୁଛି ଗତ ୭ ବର୍ଷ ମଧ୍ୟରେ ୧୧ ଶହ ୪୫ଟି ଗଜରାଜଙ୍କର ମୃତ୍ୟୁ ହୋଇଛି । ସେଥିରୁ ୭୦ ପ୍ରତିଶତ ହାତୀ ଅସ୍ୱାଭାବିକ ଭାବେ ମୃତ୍ୟୁ ବରଣ କରିଛନ୍ତି । ଆଉ ଏଥିରୁ ସ୍ପଷ୍ଟ ହେଉଛି ହାତୀ ଶିକାରୀମାନେ ଓଡ଼ିଶାରେ କେତେ ସକ୍ରିୟ ।

ଆମେ ଏଠି କହିରୁଖୁଛୁ, ଜଣେ ପୋଲିସ ଚାହିଁଲେ, ଉକ୍ତ ଅଞ୍ଚଳରୁ ଚପଲ ଟିଏ ବି ଚୋରି ହୋଇପାରିବ ନାହିଁ । ସେହିପରି ଯଦି ଜଙ୍ଗଲ ଅଧିକାରୀମାନେ ଚାହିିଁବେ, ତାଙ୍କ ଜଙ୍ଗଲରୁ ଗୋଟିଏ ବି ବନ୍ୟାପ୍ରାଣୀ ହତ୍ୟା ହୋଇପାରିବ ନାହିଁ । ଗତ ୭ ବର୍ଷ ମଧ୍ୟରେ ହାତୀଙ୍କ ମୃତ୍ୟୁର କାରଣ କେବଳ ଜଙ୍ଗଲ ବିଭାଗର ଅଧିକରୀଙ୍କ ଉପରେ ଯାଉଛି । ପ୍ରଶ୍ନ ଉଠୁଛି, କ’ଣ କରୁଛନ୍ତି ବନ କର୍ମଚାରୀ? କାହିଁକି ଲଗାତର ଭାବେ ବଢୁଛି ହାତୀମୃତ୍ୟୁ? କାହିଁକି ଜଙ୍ଗଲରେ ଏତେ ସକ୍ରିୟ ଶିକାରୀ? କାହିଁକି ଶିକାରୀଙ୍କ ଉପରେ ଆଣିପାରୁନାହାନ୍ତି ନିୟନ୍ତ୍ରଣ? ଏହା ପଛରେ ବନ କର୍ମଚାରୀଙ୍କ ପାଟ୍ରୋଲିଂର ଅଭାବ ନୁହେଁ ତ? ବନ କର୍ମଚାରୀଙ୍କ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଅଭାବ ହେଉଛି କି? ହାତୀ ମୃତ୍ୟୁ ଓ ଶିକାର ପଛରେ ଶିକାରୀ ଓ ବନକର୍ମଚାରୀଙ୍କ ହାତ ରହୁଛି କି? ଯଦି ରହୁଛି, ସେମାନଙ୍କ ବିରୋଧରେ କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ହେଉନି? ଏହା ଏବେ ପ୍ରଶ୍ନବାଚୀ ।

ଏବେ ଦେଖିବା ହାତୀ ସୁରକ୍ଷା ପାଇଁ ସରକାର କ’ଣ କରିଛନ୍ତି? ହାତୀମାନଙ୍କର ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ହାତୀ କରିଡ଼ର କରିବେ ବୋଲି ଦୀର୍ଘ ୮ ବର୍ଷ ହେବ ପରିକଳ୍ପନା କରୁଛନ୍ତି । ଆଜି ପର୍ଯ୍ୟନ୍ତ କରିଡରର ଯୋଜନା ପ୍ରସ୍ତୁତ ହୋଇପାରିଲା ନାହିଁ । ହାତୀ କରିଡରରେ ଥିବା ବିଦ୍ୟୁତ୍ ଲାଇନ ବି ହଟିପାରିଲା ନାହିଁ । ହାତୀ କରିଡର ଏବେ ଜବରଦଖଲ ହୋଇଗଲାଣି । ଆଉ ଅଧିକାଂଶ ଜବରଦଖଲ ରାଜନେତାଙ୍କର ହୋଇଥିବାରୁ ସରକାର ହାତ ମାରୁନାହାନ୍ତି । ଜାଣିଶୁଣି ସରକାର ହାତୀଙ୍କୁ ମାରି ଦେଉଛନ୍ତି । ହାତୀ ଆମ ପରିବେଶ ଓ ପ୍ରକୃତି ପାଇଁ କେତେ ଉପକାରୀ, ତାର ଛୋଟିଆ ଉଦାହରଣ ଟିଏ ଆମେ ଦେଉଛୁ ।

ଗୋଟିଏ ହାତୀ ତାର ଜୀବନକାଳ ମଧ୍ୟରେ ଯେତିକି ବାଟ ଚାଲେ, ସେ ଯେଉଁ ଗଛ, ଡାଳ ଓ ପତ୍ର ଖାଏ, ତାର ମଳତ୍ୟାଗ ଦ୍ୱାରା ଜଙ୍ଗଲରେ ଅନେକ ଗଛ ସୃଷ୍ଟି ହୁଏ । ଆଉ ହାତୀ ହେଉଛି ପ୍ରାକୃତିକ ଜଙ୍ଗଲ ସୃଷ୍ଟିକାରୀ । ଆଉ ଅନ୍ୟନ୍ୟା ପୋକ, ଜୋକ ଆଦି ସରୀସୃପମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇଥାଏ । ଯାହା ଦ୍ୱାରା ପରିବେଶ ସନ୍ତୁଳନ ଠିକ୍ ରହିଥାଏ । ତେଣୁ ହାତୀକୁ ପରିବେଶର ବନ୍ଧୁ ବୋଲି କୁହାଯାଏ । କିନ୍ତୁ ଏବେ ହାତୀ ମୃତ୍ୟୁ ବେଧଡକ ଭାବେ ବଢିଚାଲିଛି । ରିପୋର୍ଟ କହୁଛି, ଦୀର୍ଘ ୭ ବର୍ଷ ମଧ୍ୟରେ ୧୧ ଶହ ୪୫ଟି ହାତୀଙ୍କର ମୃତ୍ୟୁ ହୋଇଛି । କିନ୍ତୁ ପ୍ରକୃତରେ କେତେ ହାତୀଙ୍କର ମୃତ୍ୟୁ ହୋଇଥିବ, ତାହା କହିବା ମୁସ୍କିଲ । ଏଭଳି ବେଧଡକ ଭାବେ ହାତୀ ମୃତ୍ୟୁ ଦିନେ ପରିବେଶ ସନ୍ତୁଳନକୁ ବିଗାଡ଼ିଦେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Exit mobile version