କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ (ଦ କୁଇଭର): ଆସନ୍ତାକାଲି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ । ସେଥିଲାଗି ସାଧାରଣ ଭକ୍ତଙ୍କ ପାଇଁ ଧାର୍ଯ୍ୟ ହୋଇଛି ସମୟ । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଧାର୍ଯ୍ୟ କରାଯାଇଛି । ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମୟ ରହିଛି । ବିଶେଷ ନୀତି ସକାଶେ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା,ଅପରାହ୍ନ ୩ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ସାଢେ ୬ଟା ୩୦ରୁ ରାତି ୯ଟା ଯାଏଁ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଅନ୍ୟପଟେ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଏବଂ ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ଏପଟେ ରାତି ୯ଟାରୁ ୧୦ଟା ୩୦ ଏବଂ ରାତି ୧୧ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାମ ହେତୁ ମହାପ୍ରଭୁ ଅସୁସ୍ଥ ହୋଇପଡିଥିବା ବେଳେ ଦଇତାପତି ସେବକମାନଙ୍କ ସେବା ଶୁଶୃଷା ଯୋଗୁଁ ଏବେ ସୁସ୍ଥ ହୋଇଛନ୍ତି । ମହାପ୍ରଭୁଙ୍କ ସୁସ୍ଥତାର ସୁସମ୍ବାଦ ଦଇତାପତି ସେବାୟତମାନେ ଆଜି ଆଦ୍ୟ ସେବର ଗଜପତି ମହାରାଜାଙ୍କୁ ଦେଇଥିଲେ । ଏବଂ ଅଣସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ କରିଥିଲେ ।

ଏଥିସହିତ ଆଗାମୀ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ହେବ ସେନେଇ ଦଇତାପତିମାନେ ଗଜପତିଙ୍କ ସହ ଆଲୋଚନା କରିଥିଲେ । ଅନବସରର ଦ୍ୱାଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଶ୍ରୀ ମନ୍ଦିରରେ ଦ୍ୱିପହର ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥିଲା ରାଜପ୍ରସାଦ ବିଜେ ନୀତି । ବର୍ଷତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ,କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତାପତି ଓ ପତିମହାପାତ୍ର ସେବାୟତମାନେ । ଘଣ୍ଟା, ଛତା, କାହାଳୀ ସହ ପଟୁଆରରେ ସେମାନେ ଶ୍ରୀନହରରେ ପହଞ୍ଚିବା ପରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ଅର୍ପଣ କରିଥିଲେ ।

ଏହାପରେ ଶ୍ରୀନହରରେ ରାଜ ପୁରୋହିତଙ୍କ ଦ୍ୱାରା ଦଇତାପତି ସେବାୟତମାନଙ୍କୁ ଶାଢ଼ୀବନ୍ଧା ଯାଇଥିଲା । ପଞ୍ଚମୀ ତିଥିରେ ଫୁଲୁରି ତେଲ, ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି, ଦଶମୀରେ ଚକାବିଜେ, ଦଶମୂଳମୋଦକ ଓ ଚନ୍ଦନ ଲାଗି ପରେ ମହାପ୍ରଭୁ ସଂପୁର୍ଣ୍ଣ ସୁସ୍ଥ ହୋଇଛନ୍ତି । ୧୫ ଦିନ ଧରି ମହାପ୍ରଭୁଙ୍କ ଏହି ଗୁପ୍ତସେବାର ପୂଜା ଚାଲିଛି । ସୁସ୍ଥ ହେବା ପରେ ଏବେ ମହାପ୍ରଭୁଙ୍କୁ ଘଣାଲାଗି ଓ ବନକ ଲାଗି କରାଯିବ । ଆସନ୍ତା ୨୯ ତାରିଖରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସୂଚନା ଅନୁଯାଇ ସୁନା କୂଅରୁ ଆଜି ସନ୍ଧ୍ୟାଧୂପ ପରେ ସୁଦ୍ଧସୁଆରଙ୍କ ଘରକୁ ତିନିଗରା ଜଳ ଯିବ । ଆସନ୍ତାକାଲି ସୁଦ୍ଧସୁଆରଙ୍କ ଘରୁ ପ୍ରସ୍ତୁତ ଦିବ୍ୟ ପ୍ରଲେପ ଖଡ଼ି ଶ୍ରୀମନ୍ଦିରକୁ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ବିଜେ କରାଯାଇ ମହାପ୍ରଭୁଙ୍କୁ ଲାଗି କରାଯିବ ।

Leave a Reply

Your email address will not be published. Required fields are marked *