ହାତ ଛାଡିବେ ବିଶ୍ୱାଳ ବ୍ରଦର୍ସ !

ଭୁବନେଶ୍ୱର(ଦ କୁଇଭର): କଂଗ୍ରେସ ଛାଡ଼ିବେ ଆଉ ୨ ପୁରୁଖା ନେତା । ଆଉ ସେମାନେ ବିଜେଡିକୁ ଯିବେ । ମୂଲଚାଲ ଆରମ୍ଭ କରିଦେଇଛନ୍ତି । ସେପଟରୁ ଗ୍ରୀନ୍ ସିଗନାଲ ବି ମିଳିଛି । ତେଣେ ବିଜେପି ଚାହୁଁଛି ସେମାନଙ୍କୁ ହାତେଇବା ପାଇଁ । ବିଜେପି ବି ସେମାନଙ୍କ ପାଇଁ ଦୁଆର ଖୋଲି ବସିଛି । ଯଦି ବିଜେଡି ଫେଲ୍ କଲା ବିଜେପି ଶିବିରକୁ ବି ଯାଇପାରନ୍ତି । କଂଗ୍ରେସ ଜଣେ ପରେ ଜଣେ ନେତାଙ୍କୁ ହରାଇବାକୁ ପ୍ରସ୍ତୁତ ହେଉଛି । କିଛି ଦିନ ତଳେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକ୍କିମ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ବିଶ୍ୱାଳ ବ୍ରଦର୍ସଙ୍କ ନାଁ ଚର୍ଚ୍ଚାକୁ ଆସିଛି ।

ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ । ପିସିସି ସଭାପତି ଚୟନକୁ ନେଇ ସେମାନେ ବି ସନ୍ତୁଷ୍ଟ ନୁହଁନ୍ତି । ନବୀନ ଥିବା ପର୍ଯ୍ୟନ୍ତ ବିଜେଡିକୁ ଗାଦିଚ୍ୟୁତ କରି କ୍ଷମତା ପାଇବା କଂଗ୍ରେସ ପାଇଁ ଏକପ୍ରକାର ଅସମ୍ଭବ । ବହୁ ବର୍ଷ ବିରୋଓୀ ଆସନରେ ବସିଥିଲେ । ଏବେ ସରକାରୀ ଦଳରେ ସାମିଲ ହେବାକୁ ଉଚ୍ଛନ୍ନ ହେଲେଣି ଦୁଇ ଭାଇ । ଚିରଞ୍ଜୀବ ବିଧାୟକ ଥିବା ବେଳେ ବିଜେଡି ସହ ଭଲ ସମ୍ପର୍କ ବଢାଇଥିଲେ । ରଞ୍ଜୀବ ବି ବିଜେଡ଼ି ସହ ସମ୍ପର୍କ ବଢାଇବା ସହ ବିଜେପି ସହ ମିଳାମିଶା ବି କରୁଥିଲେ ।

ଓଡ଼ିଶା ରାଜନୀତିରେ ବିଶ୍ୱାଳ ପରିବାର ଦବଦବା ବେଶ୍ ଥିଲା । ବିଶେଷକରି ଜଗତସିଂହପୁର ଜିଲ୍ଲାର ବହୁ ଅଞ୍ଚଳରେ ସେମାନଙ୍କର ଖାତିର ରହିଛି । ଯଦିଓ ନବୀନଙ୍କ ପ୍ରଭାବରେ ସେ ଜିତି ପାରୁନଥିଲେ ମଧ୍ୟ ବେଶ୍ କିଛି ଭୋଟ୍ ହାତରେ ରଖିଛନ୍ତି । ସେମାନେ କ୍ଷମତାକୁ ଆସିବାକୁ ହେଲେ ବ୍ରାଣ୍ଡ ବଦଳାଇବାକୁ ପଡ଼ିବ । ଏକଥା ସେ ଜାଣିଗଲେଣି । ସେଥିପାଇଁ ସେ ଶଙ୍ଖ ବ୍ରାଣ୍ଡକୁ ସେ ବେଶି ପସନ୍ଦ କରୁଛନ୍ତି । କିନ୍ତୁ କିଛି ମାସ ହେବ ଚିରଞ୍ଜୀବ ବିଶ୍ୱାଳ ନିଜର ଦେହ ଅସୁସ୍ଥ ଥିବା ଦର୍ଶାଇ ଆଉ ସଙ୍ଗଠନ କାମରେ ଯୋଗ ଦେଉନଥିବା ଦେଖିବାକୁ ମିଳିଛି । ସେ ଦଳରେ ଥାଇ ମଧ୍ୟ ନ ଥିଲା ଭଳି ରହିଛନ୍ତି । କୌଣସି ମୁହୂର୍ତ୍ତରେ ସେ ଦଳ ଛାଡ଼ିପାରନ୍ତି । ସେ ନୁହଁନ୍ତି ତାଙ୍କ ଭାଇ ମଧ୍ୟ କଂଗ୍ରେସର ପୂର୍ବତନ ସାଂସଦ ମଧ୍ୟ ଥିଲେ । ସେ ମଧ୍ୟ ନାମକୁ ମାତ୍ର ଏବେ କଂଗ୍ରେସରେ ଅଛନ୍ତି । ଏହି ୨ ଭାଇ ଏବେ ଦଳରେ ନାଖୁସ୍ ଥିବା ଚର୍ଚ୍ଚା ହେଉଛି ।

କେବଳ ଏମାନେ ନୁହଁନ୍ତି, ଜଗତସିଂହପୁରର ଅନେକ ନେତା ଓ କର୍ମୀ ହାତ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ କୁଆଡ଼େ ଏକ ଭିତିରି ଯୋଜନା ସକ୍ରିୟ ଥିବା ତାଙ୍କରି ସମର୍ଥକମାନେ କୁହାକୁହି ହେଉଛନ୍ତି । ଗୋଟିଏ ପଟେ ନୂଆ ପିସିସି ସଭାପତିଙ୍କୁ ନେଇ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦଳରୁ ୨ ଜଣ ବରିଷ୍ଠ ନେତା ଦଳ ଛାଡ଼ିବା କଂଗ୍ରେସ ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *