Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କାହିଁକି ୧୫୦ ବର୍ଷ ବନ୍ଦଥିଲା ରଥଯାତ୍ରା: ଜାଣନ୍ତୁ ଇତିହାସ

ପୁରୀ (ଦ କୁଇଭର): ନା ତିଆରି ହେଲା ରଥ, ନା ବିଜେ କଲେ ମହାବାହୁ । ନା ହେଲା ଯାତ୍ରା । କୋଳାହଳମୟ ବଡଦାଣ୍ଡ ଶୂନଶାନ, ଦେଉଳ ବି ଖାଲି, ସମସ୍ତେ ଖୋଜୁଥାନ୍ତି ମହାପ୍ରଭୁଙ୍କୁ । ହେଲେ କିଛି ବି ସୂଚନା ନଥାଏ । କେଉଁଠି ମହାପ୍ରଭୁ? ସତେକି ହଜିଯାଇଛନ୍ତି, ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୫୦ ବର୍ଷଧରି ଠାକୁରଙ୍କ ସନ୍ଧାନ ମିଳିନଥିଲା । ଠାକୁର ନଥିବାରୁ ହୋଇନଥିଲା ରଥଯାତ୍ରା । ତେବେ ଆସନ୍ତୁ ନଜର ପକାଇବା କାହିଁକି ଦୀର୍ଘ ୧୫୦ ବର୍ଷ ଧରି ବଡଦାଣ୍ଡରେ ଗଡ଼ିନଥିଲା ରଥ ।

ପୁରୀରେ ପ୍ରାୟ ୧୫୦ ବର୍ଷ ଧରି ହୋଇପାରିନଥିଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ଇତିହାସରେ ୧୪୪ ବର୍ଷ ଏମିତି ଥିଲା, ଯେଉଁ ୧୪୪ ବର୍ଷ ଧରି ସୋନପୁରରେ ପାତାଳି ହୋଇଥିଲେ ମହାପ୍ରଭୁ । ଏହି ସମୟରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବନ୍ଦ ଥିଲା । କିମ୍ବଦନ୍ତ୍ରୀ ଅନୁଯାୟୀ, କାମୋଜ ସେନାର ଆରବ ସେନାପତି ରକ୍ତବାହୁ ଧନସମ୍ପତ୍ତି ଲୁଟିବା ପାଇଁ ସମୁଦ୍ର ପଥରେ ଆସି ଶ୍ରୀମନ୍ଦିରରେ ପହଞ୍ଚିଥିଲା । ମାଦଳା ପାଞ୍ଜିର ତଥ୍ୟ ଅନୁଯାୟୀ, ୩୧୯ରୁ ୩୧୪ ଖ୍ରୀଷ୍ଟାବ୍ଦରେ ରକ୍ତବାହୁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସେହିସମୟରେ ଉତ୍କଳର ରାଜା ଥିବା ସୋଭନ ଦେବ ମହାପ୍ରଭୁଙ୍କୁ ଡଙ୍ଗା ସାହାଯ୍ୟରେ ସୋନପୁରରେ ଠାକୁରଙ୍କୁ ପାତାଳି କରିଦେଇଥିଲେ । ପ୍ରାୟ ଦୀର୍ଘ ୧୪୪ ବର୍ଷ ଧରି ମହାପ୍ରଭୁ ସେଠାରେ ପାତାଳୀ ହୋଇ ଲୀଳା କରୁଥିଲେ । ଯେଉଁଥିପାଇଁ ୧୪୪ ବର୍ଷ ବନ୍ଦ ରହିଥିଲା ରଥଯାତ୍ରା ।

୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ଚିଲିକା ନିକଟରେ ଥିବା ଥିବା ଛପଲ୍ଲୀ ନାମକ ଏକ ସ୍ଥାନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଲୁଚାଇ ରଖାଯାଇଥିଲା । କିନ୍ତୁ କଳାପାହାଡ ଖବର ପାଇଁ ସେଠାରୁ ବିଗ୍ରହମାନଙ୍କୁ ଆଣି ଅଗ୍ନି ସଂଯୋଗ କରି ଗଙ୍ଗା ନଦୀରେ ଭସାଇ ଦେଇଥିଲା । ଆଉ ଶ୍ରୀବିଗ୍ରହଙ୍କ ସେହି ଅର୍ଦ୍ଧଦଗ୍ଧ କଳେବରରୁ ବ୍ରହ୍ମ ସଂଗ୍ରହ କରି ପୂଜାର୍ଚ୍ଚନା କରିଥିଲେ । ଏହି ସମୟସୀମା ମଧ୍ୟରେ ଦୀର୍ଘ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା ।

ସେହିପରି ୧୬୦୧ ଖ୍ରୀଷ୍ଟାବ୍ଦରେ ମିର୍ଜା ଖୁରୁମ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ରତ୍ନସିଂହାସନରୁ ଯାଇ ଭାର୍ଗବୀ ନଦୀର ପେଣ୍ଠରେ ଶ୍ରୀବିଗ୍ରହମାନେ ଆଠମାସ ଧରି ଚାପ ଉପରେ ବିଜେ କରିଥିଲେ । ଏଥିପାଇଁ ସେହି ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା । ଅନ୍ୟପଟେ ୧୬୦୭ ଖ୍ରୀଷ୍ଟାବ୍ଦରେ ସୁବେଦାର ଏକରାମ ଖାଁ ଶ୍ରୀମନ୍ଦିର ୁପରେ ଆକ୍ରମଣ ପାଇଁ ୧୩ ବର୍ଷ, ୧୭୩୧ ଓ ୧୭୩୩ ଖ୍ରୀଷ୍ଟାବ୍ଦରେ ମହମ୍ମଦ ତକି ଖାଁ ଆକ୍ରମଣ ପାଇଁ ୩ ବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିଲା । ଏହିପରି ବହୁବାର ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁଙ୍କ ଆକ୍ରମଣ ପାଇଁ ପ୍ରାୟ ୩୨ ଥର ରଥଯାତ୍ରା ବନ୍ଦ ରହିଥିଲା । ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ ।

Exit mobile version