ଟିଭି ମାଧ୍ୟମରେ ସାରା ଦେଶକୁ କ୍ଷମା ମାଗନ୍ତୁ ନୂପୁର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ଦ କୁଇଭର): ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ସାରା ଦେଶରେ ଅନେକ ହିଂସାତ୍ମକ ଘଟଣା ଘଟୁଛି। ନିକଟରେ ରାଜସ୍ଥାନର ଉଦୟପୁରରେ ଟେଲରଙ୍କ ହତ୍ୟା ମାମଲା ମଧ୍ୟ ଏହା ସହ ଜଡିତ ଥିଲା। ଯାହା ପରେ ବର୍ତ୍ତମାନ ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଏହା ବ୍ୟତୀତ ଦିଲ୍ଲୀ ପୋଲିସକୁ କୋର୍ଟ ମଧ୍ୟ ତାଗିଦ କରିଛନ୍ତି। ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କୁ କହିଛନ୍ତି ଯେ, ଆପଣଙ୍କ ଯୋଗୁଁ ଦେଶରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ଦେଶର ଅବସ୍ଥା ବିଗିଡି ଯାଇଛି । ସାରା ଦେଶକୁ ଆପଣ କ୍ଷମା ମାଗନ୍ତୁ । ଟେଲିଭିଜନ ମାଧ୍ୟମରେ ସାରା ଦେଶକୁ କ୍ଷମା ମାଗିବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଚାଲିଥିବା ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ଶର୍ମା ଦାବି କରିଛନ୍ତି । କୋର୍ଟରେ ଏହି ବିବାଦରେ ଶୁଣାଣି ହୋଇଥିଲା । ଶର୍ମାଙ୍କ ବିରୋଧରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ସୂଚନାନୁସାରେ ନୂପୁର ଶର୍ମା ଆଜି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲା ଦିଲ୍ଲୀକୁ ହସ୍ତାନ୍ତର କରାଯାଉ ବୋଲି କହିଥିଲେ। ଦିଲ୍ଲୀ, କୋଲକାତା, ବିହାରରୁ ପୁଣେ ପର୍ୟ୍ୟନ୍ତ ନୁପୁର ଶର୍ମାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି।

ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦେଶରେ ଯାହା ଘଟୁଛି ସେଥିପାଇଁ ନୁପୁର ଶର୍ମା ଦାୟୀ, ସେ ଯାହା କହିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ। ଉଦୟପୁରରେ ଘଟିଥିବା ଘଟଣା ପାଇଁ ନୁପୁର ଶର୍ମା ଦାୟୀ। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ମାମଲା ସ୍ଥାନାନ୍ତର ପାଇଁ ନୁପୁର ଶର୍ମାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। ସୁପ୍ରିମକୋର୍ଟରୁ ନୂପୁର ଶର୍ମା ତାଙ୍କ ଆବେଦନ ପ୍ରତ୍ୟାହାର କରିଛନ୍ତି।

ନିପୁର ଶର୍ମା ଆବେଦନରେ କ’ଣ କହିଛନ୍ତି ଜାଣନ୍ତୁ…
ନୁପୁର ଶର୍ମା ତାଙ୍କ ପିଟିସନରେ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ଦିଲ୍ଲୀକୁ ହସ୍ତାନ୍ତର କରାଯାଉ। ନପୁର ଶର୍ମା କହିଥିଲେ ଯେ ତାଙ୍କୁ କ୍ରମାଗତ ଭାବେ ହତ୍ୟା ଧମକ ମିଳୁଛି, ତେଣୁ ବିଭିନ୍ନ ରାଜ୍ୟରେ ପଚରାଉଚରା ବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଅତୀତରେ ସେ ଦିଲ୍ଲୀ ପୋଲିସର ସୁରକ୍ଷା ଦାବି ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *