ଦ୍ରୌପଦୀଙ୍କୁ ଏହି ରାଜ୍ୟରୁ ମିଳିବନି ଗୋଟିଏ ବି ଭୋଟ୍ !

ନୂଆଦିଲ୍ଲୀ(ଦ କୁଇଭର): ଚଳିତ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ତରଫରୁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ଚେହେରା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି । ସେପଟେ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଯଶୱନ୍ତ ସିହ୍ନାଙ୍କୁ ମୈଦାନକୁ ଓହ୍ଲାଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ । ଗୋଟିଏ ପଟେ ମୁର୍ମୁଙ୍କ ସମର୍ଥକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯଶୱନ୍ତ ସିହ୍ନାଙ୍କ ଅପେକ୍ଷା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି । ସେହିପରି ଅନେକ ଦଳ ଏପର୍ୟ୍ୟନ୍ତ ସେମାନଙ୍କର ସ୍ଥିତି ସ୍ପଷ୍ଟ କରିନାହାଁନ୍ତି । ଏଥିରେ ଶିବସେନା, ଆମ୍ ଆଦମୀ ପାର୍ଟି ଭଳି ଦଳ ସାମିଲ ରହିଛି ।

ସେପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ସେମାନଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଦେଶବ୍ୟାପୀ ଅଭିଯାନ ପାଇଁ ୧୧ ଜଣିଆ ଅଭିଯାନ କମିଟି ଗଠନ କରିଛନ୍ତି । ଏହି ଅଭିଯାନ ଅଧୀନରେ ଯଶୱନ୍ତ ସିହ୍ନା କେରଳରେ ପହଞ୍ଚିଛନ୍ତି । ସେ ବିଧାନସଭା ଗସ୍ତ କରିଛନ୍ତି ଏବଂ ବିଧାୟକମାନଙ୍କୁ ଭେଟିଛନ୍ତି ।

କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଏନଡିଏ ପାଖରେ ଶୂନ୍ୟ ଭୋଟ୍ ରହିଛି । ଏଭଳି ପରିସ୍ଥିତିରେ ଯଶୱନ୍ତ ସିହ୍ନା ନିଜର ଅଭିଯାନର ଆରମ୍ଭ ଏହି ଆଶାରେ କରିଛନ୍ତି ଯେ ତାଙ୍କୁ କେରଳର ୧୪୦ ଜଣ ବିଧାୟକ, ୨୦ ଜଣ ଲୋକସଭା ସାଂସଦ ଏବଂ ୯ ଜଣ ରାଜ୍ୟସଭା ସାଂସଦଙ୍କ ସମର୍ଥନ ମିଳିବ । କେରଳ ବିଧାନସଭାରେ ୨୧,୨୮୦ ଭୋଟ୍ ସହିତ ୧୪୦ ଜଣ ବିଧାୟକ ଅଛନ୍ତି । ଲୋକସଭା ଓ ରାଜ୍ୟସଭାରେ ମୋଟ ୨୦,୩୦୦ ଭୋଟ୍ ସହିତ ୨୯ ଜଣ ସାଂସଦ ଅଛନ୍ତି ।

କେରଳରେ ଉଭୟ ଶାସକ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ ଓ ବିରୋଧୀ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି । ବିଜେପିର ସହଯୋଗୀ ଭାରତୀୟ ଧର୍ମ ଜନସେନା ର ରାଜ୍ୟ ବିଧାନସଭା କିମ୍ବା ସଂସଦର ଉଭୟ ଗୃହରେ କୌଣସି ପ୍ରତିନିଧିତ୍ୱ ନାହିଁ ।
ସୂଚନାଯୋଗ୍ୟ, ଚଳିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟରଙ୍କ ଭୋଟର ମୋଟ ମୂଲ୍ୟ ହେଉଛି ୧୦,୮୬,୪୩୧ । ଏହିପରି ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଅଧାରୁ ଅଧିକ ଭୋଟ୍ ଆବଶ୍ୟକ ହେବ, ଯେଉଁ କ୍ଷେତ୍ରରେ ଅତି କମରେ ୫,୪୩,୨୧୬ ଭୋଟ୍ ଆବଶ୍ୟକ ହେବ । ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୫.୨୬ ଭୋଟ ରହିଛି । ଯେଉଁଥିରେ ଜେଡିୟୁ, ଏଆଇଏଡିଏମକେ, ଅପନା ଦଳ (ଏସ), ଏଲଜେପି, ଏନପିପି, ନିଶାଦ ପାର୍ଟି, ଏନପିଏଫ ଏବଂ ଏମଏନଏଫ ଭଳି ଛୋଟ ଦଳ ସାମିଲ ରହିଛି ।

ବର୍ତ୍ତମାନର ଆକଳନ ଅନୁଯାୟୀ, ରାଷ୍ଟ୍ରପତି ପ୍ରାର୍ଥୀ ଜିତିବା ପାଇଁ ଏନଡିଏକୁ ୧୩ ହଜାର ଅତିରିକ୍ତ ଭୋଟ୍ ଆବଶ୍ୟକ ରହିଛି । ଏନଡିଏ ତରଫରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଆସିବା ପରେ ବିରୋଧୀ ଶିବିରରୁ ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ ଘୋଷଣା କରିବା ପରେ ତାଙ୍କ ଉପର ବିଜୟ ପଥରେ ଥିବା ଭଳି ଚର୍ଚ୍ଚା ହେଉଛି ।

ବିଜେଡି ମୁଖ୍ୟ ତଥା ଓଡିଶା ସିଏମ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଏସପି ମୁଖ୍ୟ ମାୟାବତୀ, ଜେଏମଏମ କାର୍ୟ୍ୟକାରୀ ଅଧ୍ୟକ୍ଷ ତଥା ଝାଡଖଣ୍ଡର ସିଏମ ହେମନ୍ତ ସୋରେନ, ଶିରୋମଣି ଅକାଳୀ ଦଳ ଏବଂ ଦେବେଗୌଡ଼ାଙ୍କ ପାର୍ଟି ଜନତା ଦଳ ସେକ୍ୟୁଲାର ପର୍ୟ୍ୟନ୍ତ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି । ଏଭଳି ପରିସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ବଢ଼ିଛି । ଦେଶର ସର୍ବୋଚ ପଦ ଅର୍ଥାତ୍ ରାଷ୍ଟ୍ରପତିଙ୍କ ପାଇଁ ଚଳିତ ବର୍ଷ ଜୁଲାଇ ୧୮ରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ୨୧ରେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *