ମୌସୁମୀ ଅଧିବେଶନରେ ନୂପୁର ତାତି: ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର (ଦ କୁଇଭର): ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଯୋଗ ଦେଇ ଶୋକ ପ୍ରସ୍ତାବ ଆଗତ କରିବା ପରେ ସ୍ୱାଭାବିକ୍ ଚାଲିଥିଲା ଗୃହକାର୍ୟ୍ୟ । ହେଲେ ପ୍ରଶ୍ନକାଳରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଗୃହରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇଥିଲା । ନୂପୁରୁ ଶର୍ମାଙ୍କ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ ଉଭୟ କଂଗ୍ରେସ ଓ ବିଜେପି ।

ଗୃହରେ ଛିଡ଼ା ହୋଇ ନାରବାଜି କରିଥିଲେ କଂଗ୍ରେସ ଓ ବିଜେପିର ସଦସ୍ୟ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂପୁରୁ ଶର୍ମାଙ୍କ ପ୍ରସଙ୍ଗକୁ ଉଠାଇ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି ନୂପୁର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟିର ଏଜେଣ୍ଡା । ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି।

ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ଏହାକୁ ନେଇ ଗୃହରେ ତମ୍ୱିତୋଫାନ ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ଗୃହ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି । ଏହାକୁ ଦୃଷ୍ଟିରେ ରଖି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ୪ଟା ପରେ ଗୃହକାର୍ଯ୍ୟ ସ୍ୱଭାବିକ ହେଉଛି ନା ପୁଣି ହୋହଲ୍ଲା ହେଉଛି, ତାହା ଉପରେ ରହିଛି ନଜର।

Leave a Reply

Your email address will not be published. Required fields are marked *