ୟେର ଲାପିଡ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ: ଭାରତ ଉପରେ ଏହାର କ’ଣ ପ୍ରଭାବ ପଡିବ ଜାଣନ୍ତୁ ?

ନୂଆଦିଲ୍ଲୀ (ଦ କୁଇଭର): ୟେର ଲାପିଡ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ । ନେଫତାଲୀ ବେନେଟଙ୍କ ପରେ ଇସ୍ରାଏଲର ୧୪ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ୟେର ଲାପିଡ୍ । ଆସନ୍ତା ନଭେମ୍ବର ମାସରେ ସାଧାରଣ ନିର୍ବାଚନ ପୂର୍ବରୁ ବେନେଟଙ୍କ ମେଣ୍ଟ୍ ସରକାରରେ ବିଦେଶ ମନ୍ତ୍ରୀ ଭାବେ କାମ କରିଥିବା ଲାପିଡଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି । ସରକାରଙ୍କୁ ନେଇ ଆରମ୍ଭରୁ କୁହାଯାଇଥିଲା ଯେ, ଏହା ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ ନାହିଁ ।

ଏବେ ନେଫତାଲି ବେନେଟଙ୍କ ସ୍ଥାନରେ ଲାପିଡଙ୍କୁ କିଛି ମାସ ପାଇଁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି । ୧୯୬୩ ମସିହାରେ ଇସ୍ରାଏଲର ତେଲ ଅଭିଭରେ ଲାପିଡ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା’ ଜଣେ ଲେଖିକା ଓ ପିତା ଥିଲେ ସାମ୍ବାଦିକ । ଲାପିଡ ଇସ୍ରାଏଲର ସେନାରେ ଯେତେବେଳେ ସେବା ଦେଇଥିଲେ, ସେହି ସମୟରେ ଏକ ପତ୍ରିକା ପାଇଁ ରିପୋଟିଂ କରୁଥିଲେ । ସେ ବିଶ୍ୱବିଦ୍ୟାଳୟର ମାଟି ମାଡି ନଥିଲେ ବି ତାଙ୍କର ବିଚକ୍ଷଣ ବୁଦ୍ଧି ଅଛି ।

ଲାପିଡ ବିଦେଶ ମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଏସ ଜୟଶଙ୍କରଙ୍କୁ ମଧ୍ୟ ଦ୍ୱପାକ୍ଷୀକ ବୁଝାମଣା ନେଇ ଭେଟିଛନ୍ତି । ସେ ଭାରତ ଓ ଇସ୍ରାଏଲର ଭଲ ସଂପର୍କକୁ ନେଇ ଉତ୍ସାହିତ ଥାଆନ୍ତି । ୨୦୨୧ ଜୁନରେ ସେ ଯେତେବେଳେ ବେନେଟଙ୍କ ସହିତ କ୍ଷମତାକୁ ଆସିଥିଲେ, କହିଥିଲେ ଯେ, ନୂଆ ସରକାର ଭାରତ ସହି ରଣନୈତିକ ସଂପର୍କକୁ ମଜବୁତ କରିବ । ଏହା ପରେ ୨୦୨୧ ଅକ୍ଟୋବରରେ ଜୟଶଙ୍କର ଯେତେବେଳେ ଇସ୍ରାଏଲ ଗସ୍ତ କରିଥିଲେ, ଲାପିଡ ଭାରତକୁ ବନ୍ଧୁ ରାଷ୍ଟ୍ର ବୋଲି ସମ୍ବୋଧିତ କରିଥିଲେ ।

ଉଭୟ ଦେଶ ମଧ୍ୟରେ ଥିବା ୩୦ ବର୍ଷ ସମ୍ପର୍କ କୁ ନେଇ ଲାପିଡ ଶୁଭେଚ୍ଛା ଜଣାଇଥିଲେ । ଯେତେବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗସ୍ତରେ ଥିଲେ, ଲାପିଡ ଭାରତ-ଇସ୍ରାଏଲ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ସେ ନିଜେ ଅଳ୍ପ ସମୟ ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ ସେ ଭାରତ ସହ ଇସ୍ରାଏଲର ସମ୍ପର୍କକୁ କିପରି ଆଗକୁ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *