ଗୋହି ଖୋଳିଲେ ବିଜେଡି ବିଧାୟକ

ଭୁବନେଶ୍ୱର(ଦ କୁଇଭର): ରାଜ୍ୟରେ ଶାସନ ଏମିତି । ସରକାରୀ ଦଳର ବିଧାୟକ ବି ଅସହାୟ । ଅଫିସର ତ ଶୁଣୁନାହାନ୍ତି, ମନ୍ତ୍ରୀଙ୍କୁ ବି କହିଲେ କାମ ନୁହେଁ । ଏହା ହେଉଛି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସ୍ଥିତି । ସ୍ୱାସ୍ଥ୍ୟ ବିଭାଗର ବିଫଳତା ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଅପାରଗତାକୁ ବିଧାନସଭାରେ ଉଠାଇଛନ୍ତି, ଖୋଦ୍ ସରକାରୀ ଦଳର ବିଧାୟକ ଭାଗିରଥି ସେଠୀ । ସେ କହୁ କହୁ କହିଦେଲେ,‘ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲକୁ ଚାପୁଡା ମାରିବା ତାହା’ । ରାଜ୍ୟରେ ସ୍ୱାସ୍ଥ୍ୟସେବା ଉନ୍ନତ ହେବ କ’ଣ, ଦିନକୁ ଦିନ ଆହୁରି ନିମ୍ନଗାମୀ ହେଉଛି । ଏହାସହ ସେ ଅସହାୟ ହୋଇପଡ଼ିବା ପରେ ବିଧାନସଭାରେ କ୍ଷୋଭର ସହ ବଖାଣିଛନ୍ତି କେନ୍ଦୁଝର ଜିଲ୍ଲାର ବିକଳ ସ୍ୱାସ୍ଥ୍ୟାବସ୍ଥାର ନଗ୍ନ ଚିତ୍ର । କହିଛନ୍ତି, ଆନନ୍ଦପୁରରେ ଭଲ ମେଡିକାଲ ଟିଏ ନାହିଁ । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଲୋକମାନଙ୍କୁ ୧୨୦ କିଲୋମିଟର ଦୂର କଟକ ଯିବାକୁ ପଡ଼ୁଛି ।

କେନ୍ଦୁଝର ଜିଲ୍ଲା ରାଜ୍ୟ ସରକାରଙ୍କ ରାଜସ୍ୱର ଏକ ପ୍ରମୁଖ ପେଣ୍ଠସ୍ଥଳୀ । କିନ୍ତୁ ସେଠାରେ ସ୍ୱାସ୍ଥ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛନ୍ତି ଖୋଦ୍ ବିଜେଡି ବିଧାୟକ । ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଏଥିପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରୁ ଅନେକ ବାହା ବାହା ମଧ୍ୟ ପାଉଛନ୍ତି । ଏଥିପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବ୍ୟାୟ ମଧ୍ୟ ହେଉଛି । ହେଲେ ଓଡ଼ିଶାରେ ଏବେ ବି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା । ଏବେ ବି ଅନେକ ଡାକ୍ତରଖାନାରେ କେଉଁଠି ଡାକ୍ତର ନାହାନ୍ତି, ତ ଆଉ କେଉଁଠି ଗୋଟିଏ ଡାକ୍ତର ହଜାର ହଜାର ରୋଗୀଙ୍କୁ ଦେଖୁଛନ୍ତି । କେଉଁଠି ଡାକ୍ତରଖାନାରେ ବିଦ୍ୟୁତ୍ ନାହିଁ ତ? ଆଉ କେଉଁଠି ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ସର୍ଜରୀ । ତ ଆଉ କେଉଁଠି ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ । ଓଡ଼ିଶାର ପ୍ରତ୍ୟେକ କୋଣାନୁକୋଣରୁ ଏଭଳି ଦୟନୀୟ ଚିତ୍ର ସାମ୍ନାକୁ ଆସୁଛି ।

ସରକାର ସ୍ୱାସ୍ଥ୍ୟସେବାରେ ଉନ୍ନତିକରଣ କରିବା ପାଇଁ ଏହାକୁ ଫାଇଭି-ଟି ଅନ୍ତର୍ଭୁକ୍ତ କଲେ । ଏହାଦ୍ୱାରା ଲୋକମାନେ କିପରି ଭଲ ସ୍ୱାସ୍ଥ୍ୟ ସେବା ପାଇପାରିବେ । ସ୍ୱାସ୍ଥ୍ୟ ଭିିତ୍ତିଭୂମି କ୍ଷେତ୍ରରେ କିଭଳି ଉନ୍ନତି ହୋଇପାରିବ । କିନ୍ତୁ ତାହା କେବଳ ପ୍ରକଳ୍ପ ନକ୍ସା ଓ ଯୋଜନାରେ ସୀମିତ ରହିଗଲା । ନା ସୁଧୁରୁଛି ସ୍ୱାସ୍ଥ୍ୟ ସେବା ନା ଉନ୍ନତ ହେଉଛି ମେଡିକାଲ । ଆଜି ବି ଅସରାଏ ବର୍ଷା ହେଲେ ଅନେକ ମେଡିକାଲରେ ପାଣି ଠିଆ ହେଉଛି । ଏହା କ’ଣ ଆମ ସ୍ୱାସ୍ଥ୍ୟ ସେବାର ବିକାଶ । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଆମ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କେତେ ଉନ୍ନତ ତାହା ଖୋଦ୍ ସରକାରୀ ବିଧାୟକ ଭାଗୀରଥୀଙ୍କ ବୟାନରୁ ସ୍ପଷ୍ଟ ହେଉଛି । ଆଉ ଆମ ସ୍ୱାସ୍ଥ୍ୟମନ୍ତ୍ରୀ କେତେ ଦକ୍ଷ, ତାହା ଆପଣ ଏଥିରୁ ଜାଣିପାରୁଥିବେ ।

Leave a Reply

Your email address will not be published. Required fields are marked *