Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

‘କାଳୀ’ ଫିଲ୍ମ ପୋଷ୍ଟର ବିବାଦ: କ୍ଷମା ମାଗିଲା କାନାଡା ସଂଗ୍ରହାଳୟ

ନୂଆଦିଲ୍ଲୀ(ଦ କୁଇଭର): ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବଡ଼ ବିବାଦ ଦେଖାଦେଇଛି ।ଏହି ପୋଷ୍ଟରରେ ହିନ୍ଦୁ ଦେବୀ କାଳୀଙ୍କୁ କଦର୍ଥ କରି ଚିତ୍ରିତ କରାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ରୁଜୁ ହୋଇଛି। ଏହାରି ଭିତରେ ଭାରତୀୟ ହାଇକମିସନ୍ ପ୍ରତିବାଦ କରିବା ପରେ, ଦେବୀ କାଳୀଙ୍କୁ ଭୁଲ୍ ରୂପେ ଚିତ୍ରିତ କରି ଅଡୁଆରେ ପଡ଼ିଥିବା ଟରଣ୍ଟୋର ‘ଆଗା ଖାଁ ସଂଗ୍ରହାଳୟ’ ମଙ୍ଗଳବାର ଦିନ କ୍ଷମାପ୍ରାର୍ଥନା କରିଛି।

ଫିଲ୍ମର ପୋଷ୍ଟର ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ଜୁଲାଇ ୨ରେ ରିଲିଜ୍ କରିଥିଲେ । ପୋଷ୍ଟର ସେୟାର କରି କହିଛନ୍ତି ଯେ ତାଙ୍କର ଏହି ଫିଲ୍ମ କାନାଡ଼ା ଫିଲ୍ମ ଫେଷ୍ଟିଭାଲରେ ଲଞ୍ଚ କରାଯାଇଛି । ସେ ତାଙ୍କର ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି । କିନ୍ତୁ ପୋଷ୍ଟର ରିଲିଜ୍ ହେବା ପରେ ଲୋକେ ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।

ଏହି ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ୍ ପିଉଥିବାର ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ତାଙ୍କର ଗୋଟିଏ ହାତରେ ତ୍ରିଶୁଳ ଏବଂ ଅନ୍ୟ ହାତରେ ଏଲ୍ଜିବିଟି ସମୁଦାୟର ସାତରଙ୍ଗୀ ପତାକା ରହିଥିବା ଏଥିରେ ଦେଖିବାକୁ ମିଳିଛି । ଏହି ଦୁଇଟିକୁ ନେଇ ବିବାଦ ଦେଖାଦେଇଛି । ଏଥିପାଇଁ ନିର୍ମାତା ଲୀନାଙ୍କୁ ଭର୍ତ୍ସନା କରାଯାଉଛି । ପୋଷ୍ଟରରେ ମା କାଳୀଙ୍କ ଅପମାନ କରାଯାଉଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । କିଛି ସୋସିଆଲ୍ ମିଡିଆ ୟୁଜର ନିର୍ମାତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରିଛନ୍ତି । #arrestleenamanimekalai ନାମରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ।

Exit mobile version