ଭୁବନେଶ୍ୱର(ଦ କୁଇଭର): ସମର୍ଥନ ପାଇଁ ନିର୍ବାଚନ ପ୍ରଚାର । ତାହା ପୁଣି ରାଷ୍ଟ୍ରପତି ନିର୍ବାଚନରେ । ରାଷ୍ଟ୍ରପତି ନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ପ୍ରଚାରରେ ବାହାରିଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁୁ । ଆଜି ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ହେଉଛି । କାରଣ ଏହା ପୂର୍ବରୁ କୌଣସି ରାଷ୍ଟ୍ରପତି ପ୍ରାର୍ଥୀ ଏମିତି ନିର୍ବାଚନରେ ଭୋଟ୍ ପାଇଁ ପ୍ରଚାର କରିନଥିଲେ । ଯାହା ହେଉ, ଯେହେତୁ ସେ ଓଡିଶା ମାଟିର ଝିଅ । ଏଭଳି ସାକ୍ଷାତ, ଏଭଳି ପ୍ରଚାର ହେଇପାରେ ବା ଏହାକୁ ଗ୍ରହଣ ମଧ୍ୟ କରାଯାଇପାରେ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଦ୍ରୌପଦୀ ନବୀନ ଏବଂ ସବୁ ବିଜେଡି ସାଂସଦ ଓ ବିଧାୟକଙ୍କୁ ଭେଟିଲେ କାହିଁକି ? ଯେତେବେଳେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା ଏନଡିଏ ସେତେବେଳେ ପ୍ରଥମେ ସ୍ୱାଗତ କରିଥିଲେ ନବୀନ ଏବଂ ସମ୍ବର୍ଦ୍ଧନା ମଧ୍ୟ କରିଥିଲେ । କେବଳ ସେ ଏକୁଟିଆ କରି ନଥିଲେ, ଦଳଗତ ନିର୍ବିଶେଷରେ ସମର୍ଥନ କରିବା ପାଇଁ ଚିଠି ଲେଖି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅର୍ଥାତ ନବୀନ ମାନି ନେଇଛନ୍ତି ଯେ ଦୈପଦୀ ମୁର୍ମୁ ହିଁ ହେବେ ଆଗାମୀ ରାଷ୍ଟ୍ରପତି ।

ଯଦି ଗୋଟିଏ ପଟେ ନିଶ୍ଚିନ୍ତ କରିସାରିଛନ୍ତି ନବୀନ, ତା ପରେ ଦ୍ରୌପଦୀଙ୍କ ଏଭଳି ପ୍ରଚାର ଆଉ ଆଲୋଚନା କ’ଣ ପାଇଁ ? ଏହାକୁ କିଛି ସୌଜନ୍ୟମୂଳକ ସାକ୍ଷାତ ବୋଲି କହୁଛନ୍ତି । ହେଲେ ଆଉ କିଛି କହୁଛନ୍ତି, ନବୀନଙ୍କ ଉପରେ ଦ୍ରୌପଦୀ ମୁର୍ମୁଙ୍କ ଭରଷା ପାଇଲା ନାହିଁ । ଶେଷରେ ଓଡ଼ିଶା ଆସିଲେ ଆଉ ତାଙ୍କୁ ସର୍ବସମୁଖରେ ଅନୁରୋଧ କଲେ ସମର୍ଥନ ଜଣାଇବା ପାଇଁ ।

କିନ୍ତୁ ଆଜିର ଏହି ଆଲୋଚନା ଆଉ ସାକ୍ଷାତ ମଝିରେ ଆଉ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସମ୍ମଳିନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି କହି ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏହାସହ ସେ ଆହୁରି ମଧ୍ୟ କହିଥିଲେ, ମୁଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି । ରାକ୍ଷୀର ପାଉଣା ମାଗିବା ପୂର୍ବରୁ ସେ ମୋତେ ଦେଇଦେଲେ ବୋଲି କହିଛନ୍ତି । ଏହାପରେ ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ । ପୂର୍ବରୁ ନବୀନ ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି ବାରମ୍ବାର କରିସାରିଥିବା ବେଳେ ପୁଣି ଓଡ଼ିଶା ଆସି କାହିଁକି ଅନୁରୋଧ କରିବାକୁ ପଡ଼ିଲା, ତାହା ଏବେ ଚର୍ଚ୍ଚାର ବିଷୟ । ନିଜକୁ ନବୀନଙ୍କ ଭଉଣୀ ବୋଲି କହିବା ପରେ ମଧ୍ୟ ପୁଣି ଭାଇକୁ ଆସି ସମର୍ଥନ ପାଇଁ କହିବା କ’ଣ ନିହାତି ଆବଶ୍ୟକ । ଏଥିରୁ କେଉଁଠି ନା କେଉଁଠି ସ୍ପଷ୍ଟ ହେଉଛି ଯେ, ନବୀନଙ୍କ ଉପରେ ଦ୍ରୌପଦୀଙ୍କର କମ୍ ବିଶ୍ୱାସ ରହିଛି । ଯେଉଁଥିପାଇଁ ସେ ଓଡ଼ିଶାର ଝିଅ ହୋଇଥିଲେ ମଧ୍ୟ ଓଡ଼ିଶା ଆସି ଭୋଟ୍ ଭିକ୍ଷା କରିବାକୁ ପଡ଼ିଲା ।

Leave a Reply

Your email address will not be published. Required fields are marked *