ଭାରତ ସହ ୪ ଦେଶର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ଜେଲେନସ୍କି

କିଭ୍ (ଦ କୁଇଭର): ଜାରି ରହିଥିବା ଯୁଦ୍ଧ ମଧ୍ୟରେ କୂଟନୈତିକ ବିଫଳତା ପାଇଁ ନିଜ କୂଟନୈତିଜ୍ଞଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁକ୍ରେନ । ଭାରତ ସମେତ ଅନ୍ୟ କିଛି ଦେଶରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ପଦରୁ ହଟାଇ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି । ଭାରତ, ଜର୍ମାନୀ, ଚେକ ରିପବ୍ଲିକ, ବାଂଲାଦେଶ, ମାଳଦ୍ବୀପ, ଶ୍ରୀଲଙ୍କା, ନରଓ୍ବେ ଓ ନେପାଳରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଥିବା କିଭ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କାର୍ଯ୍ୟାନୁଷ୍ଠାନର କାରଣ ସରକାରୀ ଭାବେ ସ୍ପଷ୍ଟ କରାଯାଇ ନଥିବା ବେଳେ, ଜାରି ରହିଥିବା ଯୁଦ୍ଧରେ ଦେଶ ସମପକ୍ଷରେ ବୈଦେଶିକ ସମର୍ଥନ ଓ ସାମରିକ ସହାୟତା ଯୋଗାଡ କରିବାରେ କୂଟନୈତିକ ବିଫଳତା ବୋଲି ଅନୁମାନ କରାଯାଉଛି । ଫେବୃଆରୀ ୨ୟ ସପ୍ତାହରୁ ଋଷ ୟୁକ୍ରେନରେ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଅନ୍ତର୍ଜାତୀୟ ହସ୍ତକ୍ଷେପ ସୁଦ୍ଧା ମଧ୍ୟ ଋଷ ନିଜ ଯୁଦ୍ଧଖୋର ମନୋବୃତ୍ତିରୁ ହଟିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ୟୁକ୍ରେନ ଦଖଲ ପାଇଁ ଆକ୍ରମଣ ଜାରି ରଖିଛି ।

ନାଟୋ ସଦସ୍ୟ ରାଷ୍ଟ୍ର ଓ ଅନ୍ୟ କିଛି ପଶ୍ଚିମ ଦେଶଙ୍କ ସାମରିକ ଓ ରାଜନୈତିକ ସହଯୋଗରେ ୟୁକ୍ରେନ ମଧ୍ୟ କଡା ମୁକାବିଲା ଜାରି ରଖିଛି । ଏପରି ସ୍ଥିତିରେ ୟୁକ୍ରେନର ବୈଦେଶିକ ସହଯୋଗ ପାଇବା କ୍ଷେତ୍ରରେ କୂଟନୀତିଜ୍ଞଙ୍କ ବଡ ଭୂମିକା ରହିଛି । କୌଣସି କୂଟନୈତିକ ବିଫଳତା କାରଣରୁ ଏହି ରାଷ୍ଟ୍ରଦୂତମାନଙ୍କୁ କିଭ ଅପସାରଣ କରିପାରିଥାଏ ବୋଲି ମଧ୍ୟ ଅନୁମାନ କରାଯାଉଛି

Leave a Reply

Your email address will not be published. Required fields are marked *