ଗୁଜୁରାଟରେ ବନ୍ୟା ପରିସ୍ଥିତି: ୬୩ ମୃତ

ଅହମ୍ମଦାବାଦ (ଦ କୁଇଭର): ଦେଶର ଅନେକ ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଏଥି ସହିତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ୟ୍ୟନ୍ତ ୧୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ-ବିହାର-ଝାଡଖଣ୍ଡରେ ବର୍ଷାର ଗତି ମନ୍ଥର ହୋଇଥିବାବେଳେ ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆଜି ମଧ୍ୟ ଗୁଜୁରାଟର ଆଠଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଅହମ୍ମଦାବାଦର ପ୍ରହ୍ଲାଦପୁର, ଆନନ୍ଦନଗର ଏବଂ ଜୀରାଜ ପାର୍କରେ ରାସ୍ତା ଉପରେ ୨-୩ ଫୁଟ ଜଳ ଜମା ହୋଇ ରହିଛି । ଫଳରେ ସାଧାଣ ଜୀବନଯାବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ବର୍ଷା ହେତୁ ଆଜି ଅହମ୍ମଦାବାଦରେ ସ୍କୁଲ ଓ କଲେଜ ବନ୍ଦ ରହିଛି ।


ଏଥି ସହିତ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଲଗାତାର ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି ।ଏବଂ ଲଗାତାର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ, କାନ୍ଥ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି ।


ଭାରତୀୟ ପାଣିପାଗ ବିଭାଗ ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ପ୍ରକାଶ କରିଥିବାବେଳେ ଦକ୍ଷିଣ ଗୁଜୁରାଟର ଅନେକ ଜିଲ୍ଲାରେ ଆଗାମୀ ୫ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି । ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁଲାଇ ୧୫ ରୁ ବର୍ଷାର ପରିମାଣ ହ୍ରାସ ହେବା ନେଇ ସୂଚନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ରେଡ ଆଲର୍ଟ ଜାରି ରହିଛି । ଅନ୍ୟପକ୍ଷରେ ୟୁପି, ବିହାର, ମଧ୍ୟ ପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ରାଜ୍ୟଗୁଡିକର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ପ୍ରକାଶ କରିଛି । କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *