Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କାହିଁକି ପାଳନ ହୋଇଥାଏ ରସଗୋଲା ଦିବସ ଜାଣନ୍ତୁ….

ଭୁବନେଶ୍ୱର(ଦ କୁଇଭର): ଆଜି ହେଉଛି ରସଗୋଲା ଦିବସ । ମିଠାମାନଙ୍କ ରାଜା ଯଦି କହିବା ତେବେ ରସଗୋଲା ପ୍ରଥମେ ଆସିଥାଏ । ଗାଁ ର ଗଳିକନ୍ଦି ରାସ୍ତାରେ ହେଉ ବା ସହରର ରାଜରାସ୍ତାରେ ଆଉକେଉଁ ମିଠା ଥାଉ କି ନଥାଉ ରସଗୋଲା କିନ୍ତୁ ଥିବ । ପାଟିକୁ ସୁଆଦିଆ ଆଉ ଆଖିକୁ ସୁନ୍ଦର ଲାଗୁଥିବା ରସଗୋଲା କୈଣସି ବନ୍ଧୁ ଘରକୁ ଉପହାର ନେବା ହେଉ ବା ଖୁସିର ମୁହୁର୍ତ୍ତରେ ମୁହଁ ଟିକିଏ ମିଠା କରିବା ହେଉ ଏହାର ଆବଶ୍ୟକତା ତ ସବୁଠିଥାଏ । ସେଥିପାଇଁ ୨୦୧୫ ମସିହା ଜୁଲାଇ ୩୦ ନୀଳାଦ୍ରୀ ବିଜେ ଦିନ ଆମେ ରସଗୋଲା ଦିବସ ରୂପେ ପାଳନ କରୁଛୁ ।

ଜଗନ୍ନାଥ ସଂସ୍କୃତି ସହ ରସଗୋଲାର ବେଶ ସମ୍ପର୍କ ରହିଛି । ଜଗନ୍ନାଥ ପରମ୍ପରା ଅନୁସାରେ ରସଗୋଲାର ବ୍ୟବହାର ଏନେକ ଶତାଦ୍ଦୀତଳୁ ରହିଛି । ହେଲେ ଏହା କେବେଠୁ ଆରମ୍ଭ ହେଲା ତାହାବାବଦରେ ସଠିକ୍ ପ୍ରମାଣପତ୍ର ଲିପିବଦ୍ଧ ନାହିଁ । ରଥଯାତ୍ରା ସମୟରେ ଅଭିମାନୀନି ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କ ରାଗ ଦୂର କରିବା ପାଇଁ ଜଗନ୍ନାଥ ରସଗୋଲା ଖୁଆଇବା ବିଧି ବଡ ଦେଉଳରେ ପାଳିତ ହେଉଛି । ଏହା ୬୦୦ରୁ ଅଧିକ ପୁରୁଣା ନୀତି ବୋଲି ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ।

ରଥଯାତ୍ରାର ଶେଷ ନୀତି ନିଳାଦ୍ରୀ ବିଜେରେ ରତ୍ନସିଂହାସନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରନ୍ତି ମହାପ୍ରଭୁ । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ ବାହୁଡା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିର ସିଂହଦ୍ୱାରକୁ ଫେରନ୍ତି । ରଥଯାତ୍ରାରେ ମହା ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥାନ୍ତି । ଯାହାକୁ ନେଇ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି । ଜଗନ୍ନାଥ ବଡ ଦେଉଳକୁ ଫେରିବା ଜାଣି ମା’ ଲକ୍ଷ୍ମୀ ଠାକୁରାଣୀ ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରି ଦେଇଥାନ୍ତି । ଆଉ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କ ରାଗ ଶାନ୍ତ କରିବା ପାଇଁ ରସଗୋଲା ଖୁଆନ୍ତି ।

ଓଡିଆ ଐତିହାସିକ ଗବେଷକଙ୍କ ମତରେ ଦ୍ବାଦଶ ଶତାବ୍ଦୀରୁ ନିଳାଦ୍ରୀ ବିଜେ ସମୟରେ ମା ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ହେଉଥିବାର ପରମ୍ପରା ଚାଲିଆସୁଛି । ସେହି କାରଣରୁ ଆମେ ଓଡିଆ ଆଜିର ଦିନକୁ ରସଗୋଲା ଦିବସ ରୂପରେ ପାଳନ କରୁ । ମୁଖ୍ୟତଃ ଏହି ପରମ୍ପରାକୁ ବଞ୍ଚାଇବା ରଖିବା ପାଇଁ ୨୦୧୫ ମସିହା ଜୁଲାଇ ମାସରୁ ଏହାକୁ ବିଶ୍ୱବ୍ୟାପି ପରିଚିତ କରାଇବା ପାଇଁ ପାଳିତ ହୋଇଆସୁଛି ରସଗୋଲା ଦିବସ ।

ଓଡ଼ିଶାର ପ୍ରସିଦ୍ଧ ରସଗୋଲା ଭିତରେ ରହିଛି ପାହାଳରେ ପ୍ରସ୍ତୁତ ରସଗୋଲା ଓ ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଯାହାକି ଦେଶ ବିଦେଶରେ ବେଶ୍ ପରିଚିତ । ଊନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ “କେଳୁ ଚରଣ ବେହେରା’’ ପାହାଳଠାରେ ରସଗୋଲା ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲେ । ଦ୍ବାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହେଉଥିବାର ପରମ୍ପରା ରହିଆସିଛି ବୋଲି ଐତିହାସିକ ଓ ଗବେଷକମାନେ ମତ ଦିଅନ୍ତି। ଆଜି ସାରା ଓଡିଆ ପାଳୁଛି ରସଗୋଲା ଦିବସ ।

Exit mobile version