ରୁଚିକା ମୃତ୍ୟୁ: କାହିଁକି ଚୁପ୍ ଅପରାଜିତା ଷଡ଼ଙ୍ଗୀ ?

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ନାରୀ ସୁରକ୍ଷା ନେଇ ବେଶ୍ ଚିନ୍ତା ପ୍ରକଟ କରନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନାରୀ ସୁରକ୍ଷା ପାଇଁ ସେ ଅନେକ ପଦକ୍ଷେପ ନେଉଥିବା ତାଙ୍କ ସମର୍ଥକମାନେ କହନ୍ତି । ଲୋକସଭା ହେଉ କି ଜନସଭା, ସବୁଠି ସେ ଗୋଟିଏ କଥା କୁହନ୍ତି, ନାରୀଟିଏ ସୁରକ୍ଷିତ ହେଲେ ସମାଜ ସମୃଦ୍ଧ ହୋଇପାରିବ । କିନ୍ତୁ ଏଠି କାହିଁକି ନିରବ ହୋଇଯାଛନ୍ତି ଅପରାଜିତା? ବିଜେବି କଲେଜର ଜଣେ ଛାତ୍ରୀ ରୁଚିକା ମହାନ୍ତି, ତାଙ୍କୁ ମାରିଦିଆଗଲା କି ସେ ମରିଛନ୍ତି, ତାହା ବି ଅସ୍ପଷ୍ଟ । କିନ୍ତୁ ନ୍ୟାୟ ମାଗୁଛନ୍ତି ତାଙ୍କ ମା’ । ହେଲେ ମହିଳାଙ୍କ କଥା କହୁଥିବା ଅପରାଜିତା ଏଠି ପୁରା ଚୁପ୍ । କାହିଁକି ଏ ନିରବତା? ଏ ଘଟଣା ପଛରେ କିଛି ପୁରୁଖା ନେତାଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।

ଆମେ ଏଠି କହିରଖୁଛୁ, ଆଇଟିଆରରେ ସେମିତି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଯେଉଁ ଘଟଣାରେ ପୂର୍ବତନ ବିଏମସି ମେୟର ବା ଏବେକାର ବିଧାୟକ ଅନନ୍ତ ନାରାୟଣ ଜେନା ବେଶ୍ ବିବାଦୀୟ ହୋଇଥିଲେ । ଅବଶ୍ୟ ସେ ସରକାରୀ ଦଳରେ ଥିବାରୁ ସେ ଅଭିଯୁକ୍ତ ତାଲିକାକୁ ଆସିଲେ ନାହିଁ । ତଥାପି ସେ ଘଟଣା ବେଶ୍ ଚାପଯୁକ୍ତ ଥିଲା ପୋଲିସ ପାଇଁ । ରୁଚିକା ଆତ୍ମହତ୍ୟା ମାମଲା ବି ସେମିତି । ଏଠାରେ ବି ପୋଲିସ ବେଶ୍ ଚାପରେ ରହୁଛି । ଆଉ ରୁଚିକାଙ୍କୁ ନ୍ୟାୟ ପାଇଁ ଏଠାରେ ଦରକାର ପଡ଼ୁଛି, ଜନଆନ୍ଦୋଳନ । ଜଣେ ନାରୀକୁ ନ୍ୟାୟ ଦେବା ପାଇଁ ଜନଆନ୍ଦୋଳନରେ ଖୋଜାପଡ଼ୁଛନ୍ତି ଅପରାଜିତା । ହେଲେ କାହାନ୍ତି ସେ? କାହିଁକି ମୁହଁ ଖୋଲୁନାହାନ୍ତି? ସେ ସରକାରଙ୍କୁ ଭୟ କରୁଛନ୍ତି? ନା ଏହି ଘଟଣା ପଛରେ ଥିବା କିଛି ଲୋକଙ୍କୁ ସେ ସୁରକ୍ଷା ଦେବା ପାଇଁ କିଛି କହୁନାହାନ୍ତି? ସେ ଚୁପ୍ ରହିବା ପଛରେ କ’ଣ ରହିଛି ରହସ୍ୟ? ତାହା ସେ ସ୍ପଷ୍ଟ କରିବା ଉଚିତ୍ ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୨ ସପ୍ତାହ ବିତିଲାଣି । ଏହି ପ୍ରସଙ୍ଗ ରାଜରାସ୍ତାରୁ ଯାଇ ବିଧାନସଭାରେ ବି ଉଠିଲାଣି । ବିରୋଧୀ ଏହି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଲେଣି । କିନ୍ତୁ ଏପର୍ଯ୍ୟନ୍ତ ଅପରାଜିତା ଷଡଙ୍ଗୀଙ୍କ ନିରବତାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଭୁବନେଶ୍ୱରରେ ଏହି ଘଟଣା ଘଟିଥିବା ବେଳେ ଭୁବନେଶ୍ୱର ସାଂସଦ ଚୁପ୍ ରହିବା ପଛରେ କାରଣ କ’ଣ?

କେବଳ ରୁଚିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ନୁହେଁ, ନ୍ୟାୟ ପାଇଁ ତାଙ୍କ ମା’ ଧାରଣାରେ ବସିଥିବା ବେଳେ ତାଙ୍କୁ ପୋଲିସ ଯେଉଁଭଳି ଧରଣାସ୍ଥଳରୁ ଘୋସାରି ଘୋସାରି ଉଠାଇ ନେଉଛନ୍ତି । ତାହା ବି ଆମ ରାଜ୍ୟରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଏପରି ଘୋସାରି ଘୋସାରି ପୋଲିସ ନେଇଯିବା ଘଟଣାକୁ ସମସ୍ତେ ନିନ୍ଦା କଲେ । କିନ୍ତୁ ଅପରାଜିତା ଷଡଙ୍ଗୀ ଏ ସମ୍ପର୍କରେ ପାଟି ମଧ୍ୟ ଖୋଲୁନାହାନ୍ତି । ଯିଏ ରାଜ୍ୟ ସାରା ବୁଲି ସମସ୍ତଙ୍କ ସୁଖ ଦୁଃଖରେ ଛିଡ଼ା ହେଉଛନ୍ତି, ହେଲେ ଏ କ୍ଷେତ୍ରରେ କାହିଁକି ଚୁପ୍ ରହିଛନ୍ତି । ନା ଚୁପ୍ ରହିବାକୁ ତାଙ୍କୁ କୁହାଯାଇଛି? କାହିଁକି ମୁହଁ ଖୋଲୁନାହାନ୍ତି? ଏହା ଏବେ ବଡ଼ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *