ତିର୍ତ୍ତୋଲ (ଦ କୁଇଭର): ପୁଣି ନିରାଶ ହେବେ ସୋମାଲିକା ଦାଶ । ତିର୍ତ୍ତୋଲ ବିଧାୟକଙ୍କ ସେକ୍ସ ରାକେଟ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ବିଧାୟକଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚ ଅତିରିକ୍ତ ପୋଲିସ ମହାନିର୍ଦ୍ଦେକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପ୍ରଶାସନିକ ଓ ରାଜନୈତିକ ଗୋଲଚକ୍ରିରେ ପେସି ହୋଇଯିବ ସୋମାଲିକାଙ୍କ ଭାଗ୍ୟ । ଏକଥା ଆମେ ଏଥିପାଇଁ କହୁଛୁ, କାରଣ କ୍ରାଇମବ୍ରାଞ୍ଚର ପୂର୍ବ ରେକର୍ଡ ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି ।

କ୍ରାଇମବ୍ରାଞ୍ଚର ଟ୍ରାକ ରେକର୍ଡ ଦେଖିଲେ ସ୍ପଷ୍ଟ ହେଉଛି ଯେ, ଯେଉଁ ମାମଲା କ୍ରାଇବ୍ରାଞ୍ଚ ହାତକୁ ଯାଇଛି, ତାହାକୁ ଚପାଇ ଦିଆଯାଇଛି । ନୟାଗଡର ପରୀ ହତ୍ୟାକାଣ୍ଡ ଘଟଣା ମଧ୍ୟ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାରେ ଅନେକ ତଦନ୍ତ କରିଥିଲା । ଯେଉଁ ଘଟଣାରେ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା । କିନ୍ତୁ ଏହି ମାମଲାରେ କିଛି ଦିନ ପରେ ଉଭେଇ ଗଲା । ସେହିପରି ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ । ଯେଉଁଥିରେ ୧୩ ନମ୍ବର ମୁଦାଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିଲା । ତଥାପି ସେ ତଦନ୍ତ ପରିସରଭୁକ୍ତକୁ ଆସିଲେ ନାହିଁ । ତଦନ୍ତ ତ ଦୂରର କଥା ପ୍ରତାପ ଜେନାଙ୍କ ପାଖ ମାଡ଼ିପାରିଲାନି ପୋଲିସ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ଘଟଣାରେ କ୍ରାଇମବ୍ରାଞ୍ଚ କେତେ ସଫଳ ହୋଇଛି । ଏହିଚ ସବୁ ମାମଲାକୁ ଚପାଇଦେବା ପାଇଁ ସରକାରଙ୍କ ଏହା ହେଉଛି ଚାଲ୍ ।

ସେହିପରି ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ତାଙ୍କ ପ୍ରେମିକା ସୋମାଲିକା ଦାଶ କରିଥିବା ଅଭିଯୋଗକୁ ମଧ୍ୟ କ୍ରାଇମବ୍ରାଞ୍ଚକୁ ଠେଲିଦେଇ ବିଧାୟକଙ୍କୁ କ୍ଲିନ୍ ଚିଟ୍ ଦେବାକୁ ସରକାରୀ ସ୍ତରରେ ଚାଲିଛି ଉଦ୍ୟମ । କାରଣ ବିଧାୟକ ସେକ୍ସ ରାକେଟ୍ ଚଳାନ୍ତି ବୋଲି ତାଙ୍କ ପ୍ରେମିକା ଗତ ଜୁନ୍ ମାସରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଏକ ମାସ ବିତିଗଲାଣି । ପୋଲିସ କ’ଣ ତଦନ୍ତ କଲା, ପ୍ରାଥମିକ ତଦନ୍ତରୁ କ’ଣ ସୁରାକ୍ ପାଇଲା ତାହା କାହାକୁ ଜଣାନାହିଁ । ହେଲେ ମାସେ ପରେ ହଠାତ୍ ଏସପି କାହିଁକି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଅନୁରୋଧ କଲେ, ତାହା ଏବେ ପ୍ରଶ୍ନବାଚୀ? ପ୍ରଶ୍ନ ଉଠୁଛି, ଅଭିଯୋଗ ପରେ ବିଧାୟକଙ୍କୁ ଜେରା କରିଛି କି ପୋଲିସ? ଇିନା ଜେରାରେ କାହିଁକି ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ହସ୍ତାନ୍ତର କରାଗଲା? ବିଧାୟକଙ୍କୁ କ୍ଳିନ୍ ଚିଟ୍ ଦେବା ପାଇଁ ସରକାରୀ ସ୍ତରରେ ଚାଲିଛି କି ଉଦ୍ୟମ? ଏମିତି ପ୍ରଶ୍ନ ଏବେ ଆହୁରି ସନ୍ଦେହ ସୃଷ୍ଟି କରିଛି । ଯଦିଓ ସୋମାଲିକା ଦାଶ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଉ ବୋଲି ଦାବି କରିଥିଲେ, ତଥାପି ପୋଲିସ କ’ଣ ପ୍ରାଥମିକ ତଦନ୍ତ କରିଛି, ତାହା କାହାକୁ ଜଣାନାହିଁ । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଲାଗୁଛି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଠେଲିଦେଇ, କ୍ଲିନ୍ ଚିଟ୍ ଦେବାକୁ ଉଭୟ ସରକାରୀ ଓ ରାଜନୈତିକ ସ୍ତରରେ ଉଦ୍ୟମ ଚାଲିଛି ।

Leave a Reply

Your email address will not be published. Required fields are marked *