ଅକଳରେ ପକାଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ସରକାରଙ୍କୁ ଅକଳରେ ପକାଉଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସରକାରଙ୍କୁ ଆକ୍ରମଣ କରିବାକୁ କାଳେ ସେ ତାଙ୍କର ସବୁ ପଇଁତରା ଲଗାଉଛନ୍ତି । ତାଙ୍କର କୁଆଡେ ଲକ୍ଷ, ଯେମିତି ବି ହେଲେ ସରକାରଙ୍କୁ ଅଡ଼ୁଆରେ ପକାଇବେ । ସରକାର ଅଡ଼ୁଆରେ ପଡ଼ିଲେ, ତାଙ୍କ ପତିଆରା ରଖିପାରିବେ । ଏକଥା ଏବେ ଚର୍ଚ୍ଚା ହେଉଛି ଆସନ୍ତା ୧୯ ତାରିଖରେ ଥିବା ଓଡ଼ିଶା ବନ୍ଦ ଡାକରା ଓ ଚାଷୀ ଆନ୍ଦୋଳନକୁ ନେଇ । ଓଡ଼ିଶା ବନ୍ଦ ସହିତ ଭୁବେନଶ୍ୱରରେ ବିଧାନସଭା ଘେରାଉ କରିବା ଯୋଜନା କରିଛି ନବ ନିର୍ମାଣ କୃଷକ ସଙ୍ଗଠନ । ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ ହେଉ ବା ଚାଷୀ ସମସ୍ୟ ପ୍ରସଙ୍ଗ । ଚାଷୀଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ କେହି ବିରୋଧ କରିବେ ନାହେିଁ । କିନ୍ତୁ ଏଠି ଢୋଲ ଭିତରେ ମୂଷା ପସିଲା ଭଳି ହୋଇଛି ।

ଦିନେ କଟ୍ଟର ବିରୋଧୀ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରି ବିଜେଡିରେ ମିଶିଗଲେ । ରାଜ୍ୟସଭା ପଦ ପାଇଲେ, ତାକୁ ଛାଡି ଏବେ ବିଧାୟକ, ଆଶା ଥିଲା ମନ୍ତ୍ରୀ ପଦ ପାଇବେ । କିଛି ତୋଷାମଦିଆ ବି ତାଙ୍କୁ ବେଶ୍ ପ୍ରୋତ୍ସାହିତ କଲେ, ଆପଣ ମନ୍ତ୍ରୀ ହେଉଛନ୍ତି । ମନେ ମନେ ମନ୍ତ୍ରୀ ଲଡୁ ବି ଫୁଟିଲା । ହେଲେ ହଠାତ୍ ଭାଙ୍ଗିଗଲା ସ୍ୱପ୍ନ । ମନ୍ତ୍ରୀ ପଦ ତ ମିଳିଲାନି, କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବି ଦଳ ଦେଲାନି । ଖାଲି ବିଧାୟକ ହୋଇ ବିଧାନସଭାର ପଛସିଟରେ ବସିଛନ୍ତି । ଅବଶ୍ୟ ତାଙ୍କର ଗଣମାଧ୍ୟମକୁ ନେଇ ସ୍ୱତନ୍ତ୍ର ପରିଚୟ ଅଛି । ତଥାପି ବିଜେଡିରେ ମିଶିବା ପରେ ସେ ପରିଚୟ ବି କ୍ଷ୍ୟୁର୍ଣ୍ଣ ହୋଇଛି । କାରଣ ପୂର୍ବରୁ ସେ କଂଗ୍ରେସ ସମର୍ଥିତ ଥିଲେ । ତାଙ୍କ ଗଣମାଧ୍ୟମ ସଂସ୍ଥା ସରକାର ବିରୋଧୀ ବୋଲି ପରିଚିତ ଥିଲା । ଏବେ ସରକାର ସମର୍ଥିତ ଗଣମାଧ୍ୟମ ବୋଲି ପରିଚିତ ଅଛି ।

ସବୁ ଦୃଷ୍ଟିରୁ ଏକପ୍ରକାର କ୍ଷତି ସହିଛନ୍ତି ସୌମ୍ୟବାବୁ, ଯାହା ତାଙ୍କ ନିକଟତମ ମହଲରୁ ଲୋକଙ୍କ କହିବା କଥା, ଏକପ୍ରକାର ଦାନ୍ତ ରଗଡ଼ୁଛନ୍ତି । ହେଲେ କିଛି କରିବାର ରାସ୍ତା ନାହିଁ । ବିଜେଡି ତାଙ୍କୁ ଏକପ୍ରକାର ରାନୈତିକ କ୍ଷେତ୍ରରେ ପଙ୍ଗୁ କରିଦେଇଥିବାରୁ ସେ ପ୍ରତିଶୋଧ ନେବାକୁ ବଳ କୌଶଳ ଲଗାଉଥିବା ତାଙ୍କ ସମର୍ଥକ ମାନେ କହୁଛନ୍ତି । ବିଜେପିର ଦଳୀୟ ପୁସ୍ତକ ଉନ୍ମୋଚନରେ ଯାଇ ପହଞ୍ଚିବା, ବିଜେପି ନେତାଙ୍କୁ ପ୍ରଶଂସାରେ ପୋତି ପକାଇବା । ଗୋଟିଏ ପଟେ ଏପରି କରୁଥିବା ବେଳେ ଅନ୍ୟପଟେ ଏବେ ଚାଷୀ ଆନ୍ଦୋଳନ କରିବାକୁ ଯୋଜନା କରୁଛନ୍ତି । ନବନିର୍ମାଣ କୃଷକ ସଙ୍ଗଠନର ଆଗରୁ ସୌମ୍ୟବାବୁ ଥିଲେ ମୁଖିଆ । ତାଙ୍କ କଥାରେ ହିଁ ସଙ୍ଗଠନ ଉଠବସ୍ ହେଉଥିଲା । ସେ କାଳେ ସଙ୍ଗଠନ ଚଳାଇବା ପାଇଁ ସବୁ ପ୍ରକାର ସହଯୋଗ କରୁଛନ୍ତି । ସରକାରୀ ଦଳରୁ କଣଠେସା ହେବା ପରେ ଏବେ ପୁଣି ଥରେ କାଳେ ଚାଷୀ ପାୱାର ଦେଖାଇବାପାଇଁ ଯୋଜନା କରିଛନ୍ତି ସୌମ୍ୟବାବୁ । ଆଉ ଏହିଚାଷୀ ପାୱାରକୁ ମଧ୍ୟ ସେ ବିଜେପିକୁ ଦେଖାଉଛନ୍ତି । ବିଜେପିର ଓଡ଼ିଶା ମୁଖିଆମାନେ ବି ସୌମ୍ୟବାବୁଙ୍କ ଚାଷୀ ଲଡ଼ୁ ଖାଇସାରିଲେଣି । ତାଙ୍କୁ ଦଳକୁ ଆଣି, ଚାଷୀ ସଙ୍ଗଠନଙ୍କୁ କିପରି ହାତକୁ ଆଣିବେ ଏଥିପାଇଁ ସୌମ୍ୟବାବୁଙ୍କୁଦଳ ଭିତରେ ବେଶ୍ ସୂଯୋଗ ଦିଆଯାଉଛି । ଏପରିକି ଦଳର ପୁରୁଖା ନେତାଙ୍କୁ ପଛରେ ପକାଇ ତାଙ୍କୁ ସଭାରେ ଆସନ ଦିଆଯାଉଛି । ସୌମ୍ୟବାବୁ ଏଥିରେ ଦୁଇ ପ୍ରକାର ଚାଲ ଖେଳୁଛନ୍ତି, ଗୋଟିଏ ବିଜେଡିକୁ ଧମକେଇବା ଓ ବିଜେପି ଶିବିରକୁ ପଶିବା । ତେଣୁ ସୌମ୍ୟଙ୍କ ଏହି ଦୋହରା ଗେମ ତାଙ୍କ ପାଇଁ ଅଡୁଆ ହେବ ନା ତାଙ୍କୁସମର୍ଥନ କରୁଥିବା ଦଳ ପାଇଁ ମହଙ୍ଗା ହେବ ତାହା ଦେଖିବାକୁ ବାକିରହିଲା ।

Leave a Reply

Your email address will not be published. Required fields are marked *