Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ରୁଚିକା ଆତ୍ମହତ୍ୟା ପଛରେ କିଏ ?

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ଯଦି ଆତ୍ମହତ୍ୟା ତେବେ ଆତ୍ମହତ୍ୟାର କାରଣ କ’ଣ ତାହା କାହିଁକି କହିପାରୁନି ପୋଲିସ? ଯଦି ଆତ୍ମହତ୍ୟା ନୁହେଁ, ଏହା ଏକ ସଙ୍ଗଠିତ ହତ୍ୟା କି? ଯଦି ଏହା ସୁସଙ୍ଗଠିତ ହତ୍ୟା ତେବେ ଏହା ପଛରେ କିଏ? ତାହା ପଛରେ କୌଣସି ବଡ଼ ରହସ୍ୟ ଲୁଚି ନାହିଁ ତ? ପୋଲିସ ଏସବୁ ଜାଣି ଘଟଣାକୁ ଚାପୁନାହିଁ ତ? ଏହା ପଛରେ କିଛି ବଡ଼ ବଡ଼ିଆଙ୍କ ଲିଙ୍କ ରହିଛି କି? ଯେଉଁଥିପାଇଁ ପୋଲିସ ତଦନ୍ତକୁ ଲମ୍ବାଉଛି କି? ଏଭଳି ଅନେକ ପ୍ରଶ୍ନ ଏବେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଛି ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୨ ସପ୍ତାହରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଆତ୍ମହତ୍ୟାର କାରଣ ଖୋଜିପାଉନି ପୋଲିସ । ପ୍ରାଥମିକ ତଦନ୍ତ ରିପୋର୍ଟରେ ଏହା ଆତ୍ମହତ୍ୟା ବୋଲି ପୋଲିସ କହିଛି । କିନ୍ତୁ ଏହାପଛରେ ହତ୍ୟା ଷଡ଼ଯନ୍ତ୍ର ଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଏହି ଅଭିଯୋଗ ଏବେ ପୋଲିସ ପାଇଁ ମହଙ୍ଗା ହେଲାଣି । ଘଟଣା ହେଲା ରାଜଧାନୀ ଭୁବନେଶ୍ୱରର । ଆଉ ପ୍ରତିଷ୍ଠିତ କଲେଜ ବିଜେବି କଲେଜର ଛାତ୍ରୀ । ଏବେ ବିଧାନସଭାର ମୌସୁମୀ ଚାଲିଛି । କିଛି କୁଆଡ଼େ ହେଲେ ଭୁବନେଶ୍ୱରରେ ହୋହଲ୍ଲା ହୋଇଯିବ । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିପାରେ । ସରକାରଙ୍କୁ ଅଡ଼ୁଆରେ ପକାଇପାରନ୍ତି । ସେଥିପାଇୃଁ ଚିନ୍ତାରେ ପଡ଼ିଯାଇଛି କମିଶନରେଟ୍ ପୋଲିସ । କୌଣସି ସ୍ଥିତିରେ ଏହି ମାମଲାକୁ ଚପାଇ ରଖିବାକୁ ଚାହୁଁଛି ପୋଲିସ ।

ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଏହି ରହସ୍ୟର ଅସଲ ଲୋକ ପାଖାପାଖି ପୋଲିସ ପହଞ୍ଚି ସାରିଛି । ଏହା ପଛରେ କିଛି ପ୍ରଭାବଶାଳୀଙ୍କ ହାତ ଥିବା କୁହାଯାଉଛି । ଏକ ଲମ୍ବା ଚେନ୍ ପଛରେ ଲାଗିଥିବା ଅଭିଯୋଗ ହେଉଛି । ଏହାପଛରେ ଥିବା ପ୍ରଭାବଶାଳୀଙ୍କୁ ଧରିଦେଲେ ବର୍ତ୍ତମାନ ସ୍ଥିତିରେ ପରିସ୍ଥିତି ସମ୍ଭାଳିବା କଷ୍ଟକର ହେବ । ସେଥିପାଇଁ ପୋଲିସ ଏହି ମାମଲାକୁ ଲମ୍ବାଉଛି । ମୋବାଇଲକୁ ସିଙ୍ଗାପୁର ପଠାଇଦେବା ବାହାନାରେ ସମୟ ଗଡାଉଛି । କୌଣସି ହାଲତରେ ବିଧାନସଭା ଚାଲିଥିବା ଭିତରେ ଏ ପ୍ରସଙ୍ଗ ଯେପରି ନ ଉଠିବ, ସେଥିପାଇଁ ସବୁ ଯୋଜନା ମଧ୍ୟ କରାଯାଉଛି । ହେଲେ ଏ ଯୋଜନା କାହିଁକି? କାହିଁକି ପୋଲିସ ବିଳମ୍ବ କରୁଛି? ପ୍ରକୃତରେ ପୋଲିସ ତଦନ୍ତ କରୁଛି ନା ଜାଣିଶୁଣି ମାମଲା ଗଡ଼ାଇଚାଲିଛନ୍ତି? ମୋବାଇଲକୁ କାହିଁକି ସିଙ୍ଗାପୁର ପଠାଗଲା? ମୋବାଇଲକୁ ସିଙ୍ଗାପୁର ପଠାଇବା ପଛରେ ନାହିଁ ତ ପୋଲିସର କିଛି ବଡ଼ ପ୍ଲାନ୍? ପୋଲିସ ଏହି ଆତ୍ମହତ୍ୟାର କାରଣ ଖୋଜୁଛି ନା ପ୍ରକୃତ ଅପରାଧୀଙ୍କୁ ସୁରକ୍ଷା ଦେଉଛି । ତାହା ଏବେ ଚିନ୍ତାର ବିଷୟ ।

ରୁଚିକା ଆତ୍ମହତ୍ୟା ପଛରେ କିଏ ? | BJB College Ruchika Mohanty Case | THE Quiver

Exit mobile version