ଜଗଦୀପ ଧନଖଡ କିଏ ? ମମତାଙ୍କ ସହ କ’ଣ ଥିଲା ବିବାଦ ଜାଣନ୍ତୁ…

(ଦ କୁଇଭର ବ୍ୟୁରୋ): ଜଗଦୀପ ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ଗଣିତ ଯାହା ଅଛି ଆକଳନ ଅନୁସାରେ ସେ ନିଶ୍ଚୟ ବିଜୟଲାଭ କରିବେ । ଲୋକସଭା ଏବଂ ରାଜ୍ୟସଭାରେ ଏନଡିଏର ବହୁମତ ଥିବାରୁ ଜଗଦୀପ ଧନଖଡ ଉପରାଷ୍ଟ୍ରପତି ହେବା ନିଶ୍ଚିତ । ବିରୋଧୀ ଦଳ ନିଜର ପ୍ରାର୍ଥୀଙ୍କ ନାମ ରବିବାର ଘୋଷଣା କରିପାରେ । କଂଗ୍ରେସ ପୂର୍ବରୁ କହି ସାରିଛି ଯେ, ନିଜ ପାର୍ଟିରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଦେବ ନାହିଁ । ଉପରାଷ୍ଟ୍ରପତି ପାଇଁ ନାମାଙ୍କନର ଶେଷ ତାରିଖ ଜୁଲାଇ ୧୯ରେ ରହିଛି ।

ରାଜସ୍ଥାନର ଝୁନଝୁନ ଜିଲ୍ଲା କିଠାନା ଗାଁ ନିବାସୀ ଜଗଦୀପ ଧନଖଡ଼ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଶନିବାର ଘୋଷିତ ହୋଇଛନ୍ତି । ଧନଖଡ଼ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଝୁନଝୁନ ର ସାଂସଦ ଥିଲେ । ସେ ଭିପି ସିଂହଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ । ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଅଛନ୍ତି । ୧୯୯୧ରେ ସେ ଜନତା ଦଳ ଛାଡ଼ି କଂଗ୍ରେସର ସଦସ୍ୟତା ନେଇଥିଲେ । ସେହି ସମୟରେ ସେ କଂଗ୍ରେସ ଟିକେଟରେ ଆଜମେର ଲୋକସଭା ନିର୍ବାଚନରୁ ଲଢ଼ିଥିଲେ । କିନ୍ତୁ ବିଜେପିର ରାସାସିଂହ ରାୱତଙ୍କ ହାତରେ ପରାସ୍ତ ହୋଇଥିଲେ । ୨୦୦୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜ୍ୟର ବିଜେପି ସଭାପତି ହେବା ପରେ ସେ ଦଳରେ ଯୋଡ଼ି ହୋଇଥିଲେ । ଧନଖଡ଼ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ମଧ୍ୟ ଥିଲେ । ସେ ଅନ୍ତର୍ଜାତୀୟ ଅଦାଲତର ସଦସ୍ୟ ମଧ୍ୟ ଅଟନ୍ତି ଜ୍ଝ ୩୦ ଜୁଲାଇ ୨୦୧୯ ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ।

ବିଶ୍ବବିଦ୍ୟାଳୟରେ କୁଳାଧିପତି ନିଯୁକ୍ତିକୁ ନେଇ ମଧ୍ୟ ବିବାଦ ହୋଇଥିଲା ସେ ରାଜ୍ୟ ସରକାରଙ୍କ ବିନା ସହମତିରେ ବହୁ କୁଳାଧିପତିଙ୍କୁ ନିଯୁକ୍ତ କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଳାଧିପତି ନିଯୁକ୍ତି ନିଜେ କରିବେ ବୋଲି ଆଇନ ଆଣିଥିଲେ । ଫେବ୍ରୁଆରୀ ୧୨ରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏକ ଆଦେଶ ଜାରି କରି ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ ରଖିଥିଲେ ଯାହାକୁ ନେଇ ମଧ୍ୟ ବିବାଦ ହୋଇଥିଲା ।ମମତା ଅଭିଯୋଗ କରୁଥିଲେ ଯେ , ରାଜ୍ୟପାଳ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକଙ୍କୁ ଧମକ ଦେଉଛନ୍ତି। ରାଜ୍ୟପାଳଙ୍କ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବହୁ ଚିଠି ଦେଇସାରିଥିଲେ ମଧ୍ୟ ସେ ଶୁଣୁନାହାନ୍ତି। ଧନଖଡ ବହୁ ଫାଇଲକୁ ମଞ୍ଜୁରୀ ମଧ୍ୟ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଥିଲେ ମମତା ।

ସେହିପରି ଧନଖଡ ମମତା ସରକାର ଦ୍ବାରା ଆୟୋଜିତ ଇଣ୍ଡଷ୍ଟ୍ରିଆଲ ମିଟିଂ ରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଥିଲେ ଯାହାକୁ ନେଇ ବିବାଦ ହୋଇଥିଲା । ରାଜ ଭବନରେ ବ୍ୟବସାୟୀ ମାନଙ୍କୁ ଭେଟନ୍ତି ଅଭିଯୋଗ କରିଥିଲା ଟିଏମସି । ବଙ୍ଗଳାର ରାଜ୍ୟ ସରକାର ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି ଅନେକ ଥର ଟୁଇଟ କରିଥିଲେ ଧନଖଡ । ରାଜ୍ୟପାଳ-ସରକାର ମଧ୍ୟରେ ବିବାଦ ବଢ଼ିବଢ଼ି ଚାଲିଥିଲା । ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଜୁଲାଇ ୧୯ ରହିଛି । ନିର୍ବାଚନ ଅଗଷ୍ଟ ୬ ରେ ହେବ ।

Leave a Reply

Your email address will not be published. Required fields are marked *